ଆସ୍ଥା ଭୋଟ୍ରେ ସୋରେନ୍ ବିଜୟୀ
ରାଞ୍ଚô(ଏଜେନ୍ସି): ସୋମବାର ବିଧାନସଭାରେ ଆସ୍ଥାଭୋଟ୍ର ସମ୍ମୁଖୀନ ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଜୟୀ ହୋଇଛନ୍ତି । ତାଙ୍କୁ ନିଜ ଦଳ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍)ର ସମସ୍ତ ୩ଠ ବିଧାୟକଙ୍କ ସମେତ ମୋଟ୍ ୪୮ ସଦସ୍ୟଙ୍କ ସମର୍ଥନ ମିଳିଛି । ରାଜ୍ୟରେ ଜେଏମ୍ଏମ୍ର ଅନ୍ୟ ସହଯୋଗୀ ଦଳ ମଧ୍ୟରେ କଂଗ୍ରେସ, ଆରଜେଡି, ସିପିଆଇଏମ୍ ଏବଂ ଏନ୍ସିପି ଆଦି ସାମିଲ ରହିଛନ୍ତି । କଂଗ୍ରେସର ୧୫ ବିଧାୟକ ହେମନ୍ତଙ୍କୁ ସମର୍ଥନ ଦେଇଛନ୍ତି । ସେହିପରି ଝାଡଖଣ୍ଡ ବିଧାନସଭାରେ ଆରଜେଡି, ସିପିଆଇଏମ୍ ଏବଂ ଏନ୍ସିପି ଆଦି ଦଳରୁ ଜଣେ ଲେଖାଏ ବିଧାୟକ ରହିଥିବା ବେଳେ ଏମାନେ ମଧ୍ୟ ହେମନ୍ତଙ୍କ ନେତୃତ୍ୱକୁ ସମର୍ଥନ କରି ଭୋଟ୍ ଦେଇଛନ୍ତି । ସୁତରାଂ ୮୧ ବିଧାନସଭା ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ମୋଟ୍ ୪୨ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ଥିବା ବେଳେ ହେମନ୍ତଙ୍କୁ ଏହାର ଠାରୁ ଅଧିକ ୬ ବିଧାୟକଙ୍କ ସମର୍ଥନ ମିଳିଛି ।
ଗୃହରେ ଆସ୍ଥାଭୋଟ୍ ଅନୁଷ୍ଠିତ କରିବା ପରିପ୍ରେକ୍ଷୀରେ ସୋମବାର ଦିନ ଝାଡଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ଏସମ୍ପର୍କରେ ଆଲୋଚନାଚକ୍ରରେ ଭାଗ ନେଇ ହେମନ୍ତ ବିଜେପିର ନାମ ନନେଇ ମଧ୍ୟ ପରୋକ୍ଷରେ ତୀବ୍ର ସମାଲୋଚନା କରିଥିଲେ । ହେମନ୍ତ କହିଥିଲେ ଲୋକେ ଦୋକାନରୁ ନିଜ ଆବଶ୍ୟକ ସାମଗ୍ରୀ କିଣିବା ପରି ବିରୋଧୀ ଦଳ ଏବେ ଶାସକ ଦଳର ବିଧାୟକମାନଙ୍କୁୂ କିଣିବାକୁ ଚେଷ୍ଟା କରୁଛି । ଏହା ଗଣତନ୍ତ୍ର ପ୍ରତି ଅପମାନ । କ୍ଷମତାସୀନ ସରକାରକୁୂ ଭାଙ୍ଗି ନିଜେ ସରକାର ଗଢ଼ିବା ପାଇଁ ବିରୋଧୀ ଯେତେ ଘୋଡାବେପାର ପ୍ରକ୍ରିୟାରେ ସମ୍ପୃକ୍ତ ରହିଲେ ମଧ୍ୟ ଝାଡଖଣ୍ଡରେ କଦାପି ସଫଳ ହୋଇପାରିବ ନାହିଁ । କ୍ଷମତାସୀନ ମେଣ୍ଟ ସରକାର ନିଜ ସାମର୍ଥ୍ୟ ଏବଂ ବିଶ୍ୱାସନୀୟତା ନିଶ୍ଚିତ ଭାବେ ପ୍ରତିପାଦନ କରିବ । ପରେ ଭୋଟିଂ ପ୍ରକ୍ରିୟାନେଇ ବାଚସ୍ପତି ଅନୁମତି ଦେବା ପରେ ବିରୋଧୀ ବିଜେପିର ୨୬ ବିଧାୟକ ଗୃହତ୍ୟାଗ କରିଥିଲେ ଏବଂ ବିଧାନସଭା ବାହାରେ ନାରାବାଜି କରିଥିଲେ ।
ପ୍ରକାଶ, ଝାଡଖଣ୍ଡରେ ବିଜେପି ଘୋଡାବେପାର କରୁଥିବା ଏବଂ କ୍ଷମତାସୀନ ମେଣ୍ଟ ସରକାରର ଅନେକ ବିଧାୟକଙ୍କୁ ନିଜ ପକ୍ଷରେ ନେବା ପାଇଁ ଚେଷ୍ଟା କରୁଥିବା ନେଇ ବେଶ୍ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ଫଳରେ ମେଣ୍ଟର ସମସ୍ତ ବିଧାୟକଙ୍କୁ ଛତିଶଗଡର ଏକ ରିସର୍ଟରେ ସପ୍ତାହେବ୍ୟାପୀ (୩ଠ ଅଗଷ୍ଠରୁ ୫ ସେପ୍ଟେମ୍ବର ଯାଏ) ଏକଜୁଟ୍ କରାଯାଇ ରଖାଯାଇଥିଲା ଏବଂ ବାହାର ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ସୁଯୋଗ ଦିଆଯାଇନଥିଲା । ତେବେ ଆସ୍ଥା ଭୋଟ୍ ପରିଣାମ ଆସିବା ପରେ ଶାସକ ଦଳର ସମସ୍ତ ବିଧାୟକଙ୍କୁ ସୋମବାର ସନ୍ଧ୍ୟାରେ ନିଜ ନିଜ ଘରକୁ ଯିବାକୁ ଅନୁମତି ଦିଆଯାଇଛି ।
ହେମନ୍ତଙ୍କ ପାଇଁ ଗୋଟିଏ ବିପଦ ଟଳିଯାଇଥିବା ବେଳେ ଆଉ ଏକ ବିପଦ ରହିଛି । ଏକ ବେଆଇନ୍ ଖଣି ଲିଜ୍ ପ୍ରଦାନ ମାମଲାରେ ଛନ୍ଦି ହୋଇପଡିଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ବିଧାୟକ ପଦ ରଦ୍ଦ କରାଯିବା ନେଇ ମଧ୍ୟ ବିଜେପି ପକ୍ଷରୁ ବରାବର ଦାବି କରାଯାଇଆସୁଛି । ଏହି ମାମଲା ଏବେ ନିର୍ବାଚନ ଆୟୋଗଙ୍କ ଠାରୁ ଯାଇ ରାଜ୍ୟପାଳଙ୍କ ପାଖରେ ବିଚାରଧୀନ ରହିଛି । ଅନ୍ୟପକ୍ଷେ ହେମନ୍ତ ସୋରେନ୍ ଏବେ ବିଧାୟକ ପଦରୁ କିପରି ଅଯୋଗ୍ୟ ଘୋଷିତ ନହେବେ ସେନେଇ ପ୍ରୟାସ କରିବେ । ଯଦି କୌଣସି କାରଣବଶତଃ ସେ ଅଯୋଗ୍ୟ ଘୋଷିତ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ରଖିବା ପାଇଁ ତାଙ୍କ ପାଖରେ ରହିଥିବା ବିକଳ୍ପ ଉପରେ ଏବେ ସେ ଜୋର ଦେବା ଆରମ୍ଭ କରିଛନ୍ତି । ଯଦି କେବଳ ସଦସ୍ୟତା ରଦ୍ଦ ହୁଏ ଏବଂ ତାଙ୍କୁ ନିର୍ବାଚନ ଲଢ଼ିବାରୁ ବିରତ ରଖାନଯାଏ ତେବେ ସେ ଏବେର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରିବେ । ଏପରି ହେଲେ ତାଙ୍କୁ ଆସନ୍ତା ୬ ମାସ ଯାଏ ସମୟ ମିଳିଯିବ ରାଜ୍ୟର ଯେକୌଣସି ଏକ ବିଧାନସଭା ଆସନରୁ ପୁନଃ ନିର୍ବାଚିତ ହେବା ପାଇଁ । ଯଦି ଏପରି ନହୁଏ ଅର୍ଥାତ୍ ତାଙ୍କ ସଦସ୍ୟତା ରଦ୍ଦ ହେବା ସହ ତାଙ୍କୁ ନିର୍ବାଚନ ଲଢ଼ିବାରୁ ମଧ୍ୟ ବଞ୍ଚôତ କରିଦିଆଯାଏ ତେବେ ସେ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ । ଶେଷରେ ତାଙ୍କ ପାଖରେ ଆଉ ଏକ ବଡ ବିକଳ୍ପ ମଧ୍ୟ ରହିଛି । ସେ ମୁଖ୍ୟମନ୍ତ୍ରୀ ପଦରେ ନିଜ ପରିବାରର କୌଣସି ସଦସ୍ୟ କିମ୍ବା ଦଳର କୌଣସି ବିଶ୍ୱସ୍ତଙ୍କୁ ସ୍ଥାନିତ କରିପାରିବେ ।