ରୁଷ୍ର ୨ କୂଟନୀତିଜ୍ଞ ସମେତ ୨୫ ନିହତ
କାବୁଲ୍ରେ ଆତ୍ମଘାତୀ ହମଲା
କାବୁଲ, ୫ା୯: ଆଫଗାନିସ୍ତାନ ରାଜଧାନୀ କାବୁଲ୍ରେ ସୋମବାର ରୁଷୀୟ ଦୂତାବାସ ବାହାରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ୨ ଜଣ ରୁଷୀୟ କୂଟନୀତିଜ୍ଞ ସମେତ ୨୫ ଜଣ ନିହତ ଓ ୫୦ ଜଣ ଆହତ ହୋଇଛନ୍ତି । ଲୋକମାନେ ଭିସା ପାଇବା ଅପେକ୍ଷାରେ ଦୂତାବାସ ବାହାରେ ଧାଡିବାନ୍ଧି ଛିଡା ହୋଇଥିବା ବେଳେ ବିସ୍ଫୋରଣ ହୋଇଥିଲା । ଜଣେ ଆତ୍ମଘାତୀ ଆତଙ୍କୀ ପ୍ରଥମେ ଦୂତାବାସ ଭିତରକୁ ବଳପୂର୍ବକ ପଶିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ବାହାରେ ବୋମା ଫୁଟାଇଥିଲା । ଭିସା ପାଇଁ ଅପେକ୍ଷା କରିଥିବା ଲୋକଙ୍କ ନାଁ ଡାକିବା ପାଇଁ ବାହାରକୁ ଆସିଥିବା ଦୁଇଜଣ କୂଟନୀତିଜ୍ଞ ବିସ୍ଫୋରଣରେ ଟଳିପଡିଥିଲେ । ଏପର୍ଯ୍ୟନ୍ତ କୌଣସି ଆତଙ୍କୀ ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହିଁ । ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ଏହା ସବୁଠାରୁ ବଡ ବିସ୍ଫୋରଣ ।
ଉଲ୍ଲେଖଯୋଗ୍ୟ ଯେ ତାଲିବାନ ଅଧୀନରେ ଥିବା ଆଫଗାନିସ୍ତାନରେ ଯେଉଁ ଅଳ୍ପ କେତେକ ଦେଶ ଏପର୍ଯ୍ୟନ୍ତ ନିଜ ଦୂତାବାସ ବନ୍ଦ କରି ନାହାନ୍ତି ସେମାନଙ୍କ ମଧ୍ୟରେ ରୁଷିଆ ଅନ୍ୟତମ । କିନ୍ତୁ ତାଲିବାନ ସରକାରକୁ ପୁତିନ ସରକାର ଆନୁଷ୍ଠାନିକଭାବେ ମାନ୍ୟତା ଦେଇନାହାନ୍ତି ।