ବେଙ୍ଗାଲୁରୁରେ ବର୍ଷା ବିତ୍ପାତ
ବେଙ୍ଗାଲୁରୁ (ଏଜେନ୍ସି): ରବିବାର ରାତିରୁ କର୍ଣ୍ଣାଟକର ଅଧିକାଂଶ ପ୍ରାନ୍ତରେ ନିରବଚ୍ଛିନ୍ନ ବର୍ଷା ଲାଗିରହିବା ଫଳରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଛି । ରାଜ୍ୟରେ ୨ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ସହରତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । କର୍ଣ୍ଣାଟକର ସବୁଠୁ ଅଧିକ ବର୍ଷା ପ୍ରଭାବିତ ଅଞ୍ଚଳ ମଧ୍ୟରେ ରାଜଧାନୀ ବେଙ୍ଗାଲୁରୁ ମଧ୍ୟ ସାମିଲ ରହିଛି ।
ଅନ୍ୟପକ୍ଷେ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ କର୍ଣ୍ଣାଟକରେ ପ୍ରବଳ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି । ସ୍ଥିତିକୁ ଦୃଷ୍ଟିରେ ରଖି କୋଡାଗୁ, ଶିବମୋଗା, ଉତ୍ତର କନ୍ନଡ, ଦକ୍ଷିଣକନ୍ନଡ, ଉଡୁପି ଏବଂ ଚିକମାଗାଲୁର ଆଦି ଜିଲ୍ଲାଗୁଡ଼ିକ ପାଇଁ ଆଇଏମ୍ଡି ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷେ ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ସରକାରୀ ସ୍ତରରେ ସତର୍କ କରାଯାଇଛି । ସେହିପରି ସ୍କୁଲ, କଲେଜଗୁଡ଼ିକୁ ବନ୍ଦ ରଖିବା ପାଇଁ ସରକାର ଘୋଷଣା କରିଛନ୍ତି । ତେବେ ଆଇଟି ନଗରୀ ଭାବେ ଜଣାଶୁଣା ବେଙ୍ଗାଲୁରୁରେ ବର୍ଷାଜନିତ ଟ୍ରାଫିକ୍ ଜାମ୍ କାରଣରୁ କର୍ମଚାରୀମାନେ ଦୀର୍ଘ ୫ଘଣ୍ଟା କାଳ ଟ୍ରାଫିକ୍ରେ ଫସିରହିଥିଲେ । ଏଥିପାଇଁ ଆଇଟି କମ୍ପାନୀଗୁଡ଼ିକୁ ୨୨୫ କୋଟି ଟଙ୍କାର କ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଚିଠି ଲେଖି ଆଇଟି କମ୍ପାନୀଙ୍କ ସଂଘ ଆଉଟର ରିଙ୍ଗ୍ ରୋଡ୍ କମ୍ପାନୀଜ୍ ଆସୋସିଏସନ୍ (ଓଆରଆରସିଏ) ଦର୍ଶାଇଛି ।
ଏସବୁ ମଧ୍ୟରେ ଜଳାର୍ଣ୍ଣବ ଅଞ୍ଚଳଗୁଡ଼ିକରେ ଆଉ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ବର୍ଷାଜଳ ନିଷ୍କାସନ ହୋଇପାରୁନଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍ୱଚ୍ଛ ପାନୀୟ ଜଳ ଯୋଗାଣକୁ ବନ୍ଦ କରିଦିଆଯାଇଛି । ବାଙ୍ଗାଲୋର ୱାଟର ସପ୍ଲାଏ ଆଣ୍ଡ ସ୍ୱେରେଜ୍ ବୋଡର୍୍ (ବିଡବ୍ଲୁ୍ୟଏସ୍ଏସ୍ବି) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତକୁ କାବେରୀ ନଦୀରୁ ଜଳ ବିଶୋଧନ କରି ସ୍ୱଚ୍ଛ ପାନୀୟ ଜଳ ଯୋଗାଣ କରାଯାଉଥିବା ବେଳେ ବିଡବ୍ଲୁ୍ୟଏସ୍ଏସ୍ବିର ଏକାଧିକ ଜଳ ପ୍ରକଳ୍ପ (ପମ୍ପିଂ ଷ୍ଟେସନ୍) ଏବେ ଅତ୍ୟଧିକ ପାଣିରେ ବୁଡ଼ିରହିଛି । ସୁତରାଂ ଜଳ ବିଶୋଧନ ପ୍ରକ୍ରିୟା ସମ୍ଭବ ହୋଇପାରୁନାହିଁ । ଏହି କାରଣରୁ ଜଳ ଯୋଗାଣକୁ ବନ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ରବିବାର ରାତିରୁ ଲଗାଣ ବର୍ଷା କାରଣରୁ ବେଙ୍ଗାଲୁରୁରର ପ୍ରାୟ ୫ଠ ଅଞ୍ଚଳ ଏବେ ଜଳବନ୍ଦୀ ରହିଛି । ଅନ୍ୟପକ୍ଷେ ବର୍ଷାକାରଣରୁ ରାଜ୍ୟରେ କ୍ଷୟକ୍ଷତି ପରିମାଣ ୧ହଜାର କୋଟି ହେବ ବୋଲି ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି ।