କ୍ଷମତାକୁ ଆସିଲେ ୩ଲକ୍ଷର କୃଷିଋଣ ଛାଡ଼
ଗୁଜରାଟରେ ରାହୁଲଙ୍କ ନିର୍ବାଚନୀ ଘୋଷଣା
ଗାନ୍ଧୀନଗର (ଏଜେନ୍ସି): ଚଳିତ ବର୍ଷ ଶେଷ ଭାଗରେ ଗୁୂଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ବେଶ୍ ଚଳଚଞ୍ଚଳ ହୋଇପଡିଛନ୍ତି । ବିଶେଷକରି ଗୁଜରାଟରେ ଏବେ ବିଜେପି, ଆମ୍ ଆଦ୍ମୀ ପାର୍ଟି (ଆପ୍) ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ନିର୍ବାଚନୀ ପ୍ରଚାର କରାଯାଉଥିବା ଦେଖିବାକୁ ମିଳୁଛି । ନିକଟରେ ଆପ୍ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦୁଇ ଦିନିଆ ଗୁଜରାଟ ଗସ୍ତ କରିବା ସହ ଏଠାରେ ରାଜନୈତିକ ସମାବେଶ କରି ରାଜ୍ୟବାସୀଙ୍କୁ ଅନେକ ବଡବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ସୋମବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଗୁଜରାଟର ସାବରମତୀ ରିଭରଫ୍ରଣ୍ଟ୍ ଠାରେ ନିର୍ବାଚନୀ ସଭା କରିବା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ ଉପସ୍ଥିତ ଥିଲେ । ପ୍ରାୟ ୫୨ହଜାର ବୁଥ୍ କର୍ମଚାରୀଙ୍କୁ ରାହୁଲ ସମ୍ବୋଧିତ କରିଥିଲେ ।
ସୋମବାର ଅହମ୍ମଦାବାଦ ଠାରେ ପହଞ୍ଚôବା ପରେ ପ୍ରଦେଶ କଂଗ୍ରେସ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ ରାଜ୍ୟବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଗୁଜରାଟରେ କଂଗ୍ରେସ ସରକାର ଗଠନ କରେ ତେବେ ରାଜ୍ୟର ପ୍ରତ୍ୟେକ କୃଷକଙ୍କୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯିବ, ଏଥିସହ ୩ଠଠ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଏବଂ ୫ଠଠ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗେଇ ଦିଆଯିବ ବୋଲି ରାହୁଲ ଘୋଷଣା କରିଛନ୍ତି । ଏତଦ୍ବ୍ୟତୀତ କଂଗ୍ରେସ ରାଜ୍ୟରେ କ୍ଷମତାସୀନ ହେଲେ ରାଜ୍ୟର ଯୁବଗୋଷ୍ଠୀଙ୍କ ପାଇଁ ପ୍ରତିବର୍ଷ ୧ଠଲକ୍ଷ ନିଯୁୂକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ମଧ୍ୟ କହିଛନ୍ତି । ଅନ୍ୟ ପ୍ରତିଶ୍ରୁତି ମଧ୍ୟରେ କରୋନାସଂକ୍ରମଣଜନିତ ମୃତୁ୍ୟବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ପ୍ରାୟ ୩ଲକ୍ଷ ନାଗରିକ କରୋନାରେ ପ୍ରାଣ ହରାଇଥିବା ବେଳେ ପ୍ରଦେଶ ବିଜେପି ସରକାର ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରିନାହିଁ । କିନ୍ତୁ କଂଗ୍ରେସ ସରକାର ଗଢ଼ିଲେ କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ।
ରାହୁଲ କହିଛନ୍ତି, କଂଗ୍ରେସର ଲଢ଼େଇ କୌଣସି ରାଜନୈତିକ ଦଳ ବିରୋଧରେ ନୁହେଁ ବରଂ ଏକ ବିଚାରଧାରା ବିରୋଧରେ । ବିଜେପି ସର୍ଦ୍ଦାର ପଟେଲଙ୍କ ନୀତିକୁ ଅନୁସରଣ କରୁଥିବା ଯାହା କହୁଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । କାରଣ ସର୍ଦ୍ଦାର ପଟେଲ କେବେହେଲେ କୃଷକଙ୍କୁ କଷ୍ଟ ହେବା ଭଳି ନୀତିକୁ ସମର୍ଥନ କରୁନଥିଲେ । କିନ୍ତୁ ବିଜେପି କୃଷକଙ୍କ ବିରୋଧରେ ହିଁ ୩ କୃଷି ଆଇନ୍ ଲାଗୁ କରିବା ପୂର୍ବକ ସେମାନଙ୍କ ଅଧିକାରକୁ ସଂକୁଚିତ କରିଦେବାକୁ ଚେଷ୍ଟା କରୁଛି । ସର୍ଦ୍ଦାର ପଟେଲ ଆଜି ଜୀବିତ ଥିଲେ ସେ ମଧ୍ୟ କୃଷକଙ୍କ କୃଷିଋଣ ଛାଡ କରିଥାନ୍ତେ । କିନ୍ତୁ ବିଜେପି କୃଷକଙ୍କ ଋଣ ଛାଡ କରିବା ବଦଳରେ ନିଜ ଉଦ୍ୟୋଗପତି, ଶିଳ୍ପପତି ବନ୍ଧୁମାନଙ୍କ ଋଣ ଛାଡ କରିବାରେ ଲାଗିଛି । ଏହି ଅବସରରେ ରାହୁଲ ନୋଟବନ୍ଦୀ ଠାରୁ ଆରମ୍ଭ କରି ବିଜେପି ସରକାରର ସାଢ଼େ ୭ବର୍ଷର କାର୍ଯ୍ୟଧାରାକୁ ଉଲ୍ଲେଖ କରିବା ପୂର୍ବକ ତୀବ୍ର ସମାଲୋଚନା କରିଥିଲେ ।