ବୋଟ୍ସଂଘଙ୍କୁ ଲାଇଫ୍ ଜ୍ୟାକେଟ୍ ବାଣ୍ଟିବେ ଜିଲ୍ଲାପାଳ
ାା ଚିଲିକାରେ ଡଙ୍ଗାବୁଡ଼ି ମୃତୁ୍ୟ: ଅଘଟଣ ପରେ ଚେତା ପଶିଲା ।ା
ପୁରୀ (ବୁ୍ୟରୋ): ଚିଲିକାରେ ଡଙ୍ଗାବୁଡି ଘଟଣାରେ ଦୁଇଜଣଙ୍କ ମୁତୁ୍ୟ ପରେ ଜିଲ୍ଲାପାଳଙ୍କ ମୁଣ୍ଡରେ ଚେତା ବଶିଛି । ଆଜି ପର୍ଯ୍ୟନ୍ତ ବୋଟ ସଂଘକୁ ଲାଇଫ୍ ଜ୍ୟାକେଟ ପ୍ରଶାସନ ପକ୍ଷରୁ ବଣ୍ଟନ କରାଯାଇନାହିଁ କି ସେମାନଙ୍କ ପାଇଁ କୌଣସି କଟକଣା ଲଗାଯାଇନାହିଁ । ଯାହା ଫଳରେ ଚିଲିକାରେ ବାରମ୍ବାର ଅଘଟଣ ଘଟିଚାଲିଛି । ଗତକାଲି ଡଙ୍ଗାବୁଡ଼ି ଘଟଣାକୁ ନେଇ ଜିଲ୍ଲାପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।
ଅନ୍ୟପଟେ ପ୍ରଶାସନପକ୍ଷରୁ ସୋମବାର ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ପୂର୍ବରୁ ଚିଲିକାରେ ଜଣେ ବ୍ୟବସାୟୀ ଓ ଛତିଶଗଡ଼ର ଜଣେ ଯୁବ ପର୍ଯ୍ୟଟକଙ୍କ ମଧ୍ୟ ମୁତୁ୍ୟ ହୋଇଥିଲା । ହେଲେ ସେହି ସମୟରେ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ସହ ବୋଟ୍ ଚାଳକଙ୍କୁ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ ଘଟଣା ଘଟିବାର କିଛିଦିନ ବ୍ୟବଧାନରେ ପ୍ରଶାସନ ସବୁ ଭୁଲି ଯାଇ ଚୁପ୍ ହୋଇଗଲା । ଯାହାଫଳରେ ଗତ ରବିବାର ସନ୍ଧ୍ୟାରେ ଚିଲିକାରେ ଏତେବଡ଼ ଅଘଟଣ ଘଟିଲା ବୋଲି କୁହାଯାଉଛି । ତେବେ ଏଭଳି ଦୁର୍ଘଟଣା ଯେଭଳି ଆଗକୁ ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ପ୍ରଶାସନ ସଫେଇ ଦେଇଛି । ଏଣିକି ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ କରାଯିବ । ସିଙ୍ଗିଲ୍ ୱିଣ୍ଡୋ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଚିଲିକା ଦର୍ଶନ କରିବା ପାଇଁ ଅନେକ ସୁବିଧା ଯୋଗାଇ ଦିଆଯିବ । ପର୍ଯ୍ୟଟକମାନେ ଏହି ଆପ୍ ଜରିଆରେ କେତେ ସମୟ ବୁକିଂ ଓ କେତଜଣ ଯିବେ ଏବଂ କେତେ ଟଙ୍କାରେ ବୁକିଂ ସହ ଡଙ୍ଗା ଚାଳକଙ୍କ ତଥ୍ୟ ରହିବ । ସେ ନେଇ ଖୁବ୍ଶୀଘ୍ର ଡଙ୍ଗା ଚାଳକ ସଂଘ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସୂଚନା ଥାଉକି, ରବିବାର ସନ୍ଧ୍ୟାରେ ଚିଲିକାରେ ଡଙ୍ଗା ଭାରସାମ୍ୟ ହରାଇ ବୁଡିଯାଇଥିଲା । ଡଙ୍ଗାରେ ପ୍ରଥମେ ୧୩ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଫଳରେ ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି । ପର୍ଯ୍ୟଟକମାନଙ୍କୁ ନେଇ ଯାଇଥିବା ଡଙ୍ଗା ପର୍ଯ୍ୟଟକଡଙ୍ଗା ହୋଇନଥିବା ବେଳେ ଏହା ଏକ ଘରୋଇ ଡଙ୍ଗା ବୋଲି ଜଣାପଡିଛି । ହେଲେ ସେମାନେ ଭୋଜିଲାଗି ଯିବା ସମୟରେ ସୌମେନ୍ଦ୍ର ମହାନ୍ତି ଓ ତାଙ୍କ ସାଙ୍ଗଙ୍କ ସହ ଶେଷ ସେଲ୍ଫି ନେଇଥିଲେ । ସେମାନଙ୍କ ସହ ଯାଇଥିବା ବନ୍ଧୁମାନଙ୍କୁ ମିଶାଇ ଦୁଇଟି ଡଙ୍ଗାରେ ୨୯ ଜଣ ଓ କିଛି ସ୍ଥାନୀୟବ୍ୟକ୍ତି ମିଳିତ ଭାବେ ଭୋଜି କରିବାକୁ ଚିଲିକା ମଝିରେ କାଳିଜାଈ କୁଦକୁ ଯାଇଥିଲେ । ଭୋଜି ସାରିବା ଫେରିବା ବେଳେ ଜୋର୍ରେ ପବନ ହେବାରୁ ଡଙ୍ଗାଟି ଚିଲିକାରେ ବୁଡିଯାଇଥିଲା । ୧୩ଜଣ ବସିଥିବା ଡଙ୍ଗାଟି ବୁଡିଯିବା ପରେ ପ୍ରଥମେ ୧୦ଜଣଙ୍କୁ ଉଦ୍ଧାର କରା ଯାଇଥିଲା । ପରେ ମତ୍ସ୍ୟଜୀବୀ ଉଗ୍ରସେନ ଦାସ ପହଁରି ପହଁରି କୂଳରେ ପହଞ୍ଚିଥିଲେ । ମାତ୍ର ନିଖୋଜ ଥିବା ଦୁଇଜଣ ଯୁବକ ପ୍ରାଣ ହରାଇଥିଲେ । ସେମାନେ ପୁରୀ ତଳମାଳିସାହିର ରାକେଶ ସ୍ୱାଇଁ ଓ ମାର୍କଣ୍ଡେଶ୍ୱର ସାହିର ସୌମେନ୍ଦ୍ର ମହାନ୍ତି ବୋଲି ଜଣାପଡ଼ିଛି । ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ କୁମାର ଦାଶ ରାଜ୍ୟ ହୁ୍ୟମାନ କମିଶନରଙ୍କୁ ଅନୁରୋଧ କରିଛନ୍ତି ।