ଜିଲ୍ଲା ପ୍ରଶାସନର ତଦନ୍ତ ଆରମ୍ଭ

ସିକୁ୍ୟରିଟି ଗାର୍ଡ ରୋଗୀକୁ ଇଂଜେକ୍ସନ ଦେବା ପ୍ରସଙ୍ଗ
ନାଉଗାଁ (ଆପ୍ର): ଜଗତସିଂହପୁର ଜିଲ୍ଲା ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ମଙ୍ଗଳବାର ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ସିକୁ୍ୟରିଟି ଗାର୍ଡ ରୋଗୀଙ୍କୁ ଇଂଜେକ୍ସନ ଦେବା ପ୍ରସଙ୍ଗରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶ ପରେ ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. କ୍ଷେତ୍ରବାସୀ ଦାସ ଓ ଡିପିଏମ୍ ଚକ୍ରଧର ସ୍ୱାଇଁ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ତଦନ୍ତ କରିଛନ୍ତି । ଅନ୍ୟପଟେ ଏହି କେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ନିଜକୁ ଦୋଷ ମୁକ୍ତ କରିବାକୁ କିଛି ସ୍ଥାନୀୟ ଲୋକଙ୍କୁ ନିଜ ସପକ୍ଷରେ ମତ ଦେବା ପାଇଁ ଏକଜୁଟ କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତଦନ୍ତ ପରେ କି କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଛି ।
ପ୍ରକାଶ ଯେ, ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୫ ପଞ୍ଚାୟତର ୩୦ ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ଫାର୍ମାସିଷ୍ଟ ବଦଳରେ ରୋଗୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ସିକୁ୍ୟରିଟି ଗାର୍ଡ ଇଂଜେକ୍ସନ ଦେଉଥିବା ଦେଖିବାକୁ ମିଳିଥିଲା । ଇଂଜେକ୍ସନ ଦେବା ପ୍ରସଙ୍ଗକୁ ମେଡିକାଲରେ ନିଯୁକ୍ତ ଫାର୍ମାସିଷ୍ଟ ଖଣ୍ଡନ କରିଥିଲେ । ଫାର୍ମାସିଷ୍ଟ ମିହିର ଲେଙ୍କାଙ୍କ କହିବା ମୁତାବକ ଅଗଷ୍ଟ ୨୭ ତାରିଖ ଶନିବାର ୨ଟା ପରେ ସ୍ଥାନୀୟ ଅଞ୍ଚଳର ରୋଗୀ ଜଣଙ୍କ ବାଲିକୁଦାର ପ୍ରେସିକ୍ରିପସନ ଆଣି ଆସିଥିଲେ । ୨ଟା ପରେ ସାର ଆଉଟଡୋର ବନ୍ଦ କରି ଯାଇଥିବା ବେଳେ ସେ ଖାଇବା ପାଇଁ ଯାଇଥିଲେ । ରୋଗୀ ଜଣକ ତାଙ୍କୁ ଅନୁରୋଧ କରିବାରୁ ସେ ଇଂଜେକ୍ସନ ଦେଇଥିବା କହିଥିଲେ । କିନ୍ତୁ ଭାଇରାଲ ହେଉଥିବା ଭିଡିଓରେ ବର୍ତମାନ ଦିନ ୧୦ଟା ହୋଇଥିବା ବୋଲି ଭିଡିଓ କରୁଥିବା ବ୍ୟକ୍ତି ଜଣଙ୍କ କହୁଥିବାର ଜଣାଯାଇଥିଲା । ତେଣୁ ଫାର୍ମାସିଷ୍ଟ ନିଜକୁ ଦୋଷ ମୁକ୍ତ କରିବା ପାଇଁ ଦିନ ୨ଟା ବାଜି ଥିବା ମିଛରେ ପ୍ରକାଶ କରୁଥିବା ଜଣାପଡିଥିଲା । ଏହି ପ୍ରସଙ୍ଗରେ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୨ ଡାକ୍ତର ଓ ୧ ଫାର୍ମାସିଷ୍ଟ ନିଯୁକ୍ତ ହୋଇଛନ୍ତି । ତଥାପି ଏପରି ଘଟଣା କାହିଁକି ଘଟିଲା ତାହାକୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *