ଲକ୍ଷ୍ୟ ସଶକ୍ତ ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’
ଭୁବନେଶ୍ୱର, ୪ା୯ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ବା “ଜୀବନ ବ୍ୟାପି ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ୍ ଭି ରମଣା ଏହି ସମ୍ମାନ ପ୍ରଦାନ କରିଛନ୍ତି । ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ । ବିଭିନ୍ନ କ୍ଷେତ୍ରରେ ଉନ୍ନତିମୂଳକ କାମ କରୁଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରୁଥିବା କ୍ୟାପିଟାଲ ଫାଉଣ୍ଡେସନର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଭୂରି ଭୂରି ପ୍ରଶଂସା କରିଛନ୍ତି ।
ଆୱାର୍ଡକୁ ରାଜ୍ୟବାସୀଙ୍କ ଉଦେ୍ଦଶ୍ୟରେ ସମର୍ପିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ଏବଂ ସାଢ଼େ ୪ କୋଟି ଓଡ଼ିଆଙ୍କ ଆର୍ଶୀବାଦ ତାଙ୍କ ଉପରେ ରହିଛି । ଏହା ତାଙ୍କୁ କାମ କରିବା ପାଇଁ ପ୍ରେରଣା ଦେଉଛି । ଦୀର୍ଘ ୨୨ ବର୍ଷ ଧରି ସେବା କରିବାକୁ ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ମିଶନଶକ୍ତିରେ ମହିଳାଙ୍କ ସଶକ୍ତିକରଣକୁ ନେଇ ମୁଁ ଗର୍ବିତ । ରାଜ୍ୟକୁ ୪ ଥର କୃଷି କର୍ମଣ ପୁରସ୍କାର ମିଳିଛି । ଚାଷୀଙ୍କ ଆୟକୁ ଦୁଇଗୁଣ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଶିଳ୍ପ ଓ ଆଲୁମିନିୟମ ନିର୍ମାଣରେ ଓଡ଼ିଶା ଆଗୁଆ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏକଦା ଗରିବ ରାଜ୍ୟ ଭାବେ ଜଣାଶୁଣା ଓଡିଶା ଏବେ ଗରିବ ମୁକ୍ତ ଓଡିଶା ପାଇଁ ପରିଚିତ । ୧୯୯୯ ମହାବାତ୍ୟା ପରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ନୂଆ ପରିଚୟ ସୃଷ୍ଟି କରିଛି । ରାଜ୍ୟର ଆଦିବାସୀ ଯୁବତୀଙ୍କ ପାଇଁ ସ୍କୁଲରେ ହଷ୍ଟେଲ ସୁବିଧା ହୋଇଛି । ସେହିଭଳି କୋଭିଡ ସମୟରେ ୧୭ ରାଜ୍ୟକୁ ଓଡ଼ିଶା ଅକ୍ସିଜେନ ଯୋଗାଇ ନିଜ ପାଇଁ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛି । ଓଡ଼ିଶାକୁ ୫-ଟି ଏବଂ ମୋ ସରକାର ମାଧ୍ୟମରେ ରୂପାନ୍ତରଣ କରିବା, ବିଶ୍ୱ କ୍ରୀଡ଼ା ହବ୍ରେ ପରିଣତ କରିବା, ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବା, ବିଜୁ ପକ୍କା ଘର ଯୋଜନାରେ ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇବା, ଦେଶରେ ପ୍ରଥମ ଥର ପାଇଁ ସହରାଞ୍ଚଳର ବାସହରାଙ୍କୁ ଜାଗା ମିସନ୍‌ ଜରିଆରେ ଜମି ଅଧିକାର ପ୍ରଦାନ କରିବା ଭଳି ଯୁଗାନ୍ତକାରୀ ପଦକ୍ଷେପ ରାଜ୍ୟ ସରକାର ନେଇଛନ୍ତି ।
ସରକାରୀ ସ୍କୁଲରେ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରିବା ସହ ସ୍ମାର୍ଟ କ୍ଲାସ୍ରୁମ୍ରେ ପରିଣତ କରିପାରିଛନ୍ତି ।
ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଛାଟ୍‌ ବାଜିଛି । କେହି ଯେପରି ଭୋକିଲା ନରହିବେ ସେଥିପାଇଁ ଟଙ୍କିକିଆ ଚାଉଳ ଯୋଗାଇବା ଠାରୁ ଆରମ୍ଭ କରି ସହରାଞ୍ଚଳରେ ୫ଟଙ୍କାରେ ଆହାର ମିଲ୍‌ ଦିଆଯାଉଛି । ସେହିପରି ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ କରି ତାରାତାରିଣୀ, ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ସବୁଠି ରୂପାନ୍ତରଣ କାର୍ଯ୍ୟକ୍ରମ କରାଯାଇଛି । ସ୍ୱତନ୍ତ୍ର କାଉନସିଲ୍‌ ଜରିଆରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶର ନୂଆ ଧାରା ସୃଷ୍ଟି ହୋଇଛି । ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ରାଜ୍ୟ ହୋଇପାରିଛି । ଏଭଳି ଭାବେ ତାଙ୍କ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଲୋକପାତ କରିଥିଲେ ।
ଏହି ଗର୍ବ ଓ ଗୌରବର ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଜିନ୍ଦାବାଦ ଧ୍ୱନିରେ ଓଡ଼ିଶା ଭବନ ପ୍ରକମ୍ପିତ ହୋଇ ଉଠିଥିଲା । ନୂଆଦିଲ୍ଲୀରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ୱାବଧାନରେ ପ୍ରବାସୀ ଓଡ଼ିଆ ଓ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଦର୍ଶାଯାଇଛି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ରୂପାନ୍ତରଣ ଯାତ୍ରା ଆରମ୍ଭ ହୋଇଥିଲା ଓ ଦୁଇ ଦଶନ୍ଧିରେ ରାଜ୍ୟରେ ଦ୍ରୁତ ବିକାଶ ସମ୍ଭବ ହୋଇପାରିଛି । ନିଜର ସରଳତା, ଦରଦୀ ହୃଦୟ ଓ ନିର୍ମଳ ଭାବମୂର୍ତ୍ତି ପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟ ଜିତିପାରିଛନ୍ତି । ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବାକୁ ଯୋଗ୍ୟତମ ବୋଲି ରବିବାର ସମାରୋହରେ ମତପ୍ରକାଶ ପାଇଥିଲା ।
ସୂଚନାଥାଉ କି, ୧୯୮୭ ମସିହାରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବିଚାରପତି, କୂଟନୀତିଜ୍ଞ, ସାମ୍ବାଦିକ ଓ ଶିକ୍ଷାବିତଙ୍କ ମିଳିତ ଉଦ୍ୟମରେ “କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି’ ଗଠନ ହୋଇଥିଲା । ପୂର୍ବରୁ ସୋସାଇଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ ଗୁଜୁରାଲ୍, ବରିଷ୍ଠ ଆଇନଜୀବୀ ରାମ ଜେଠମାଲିନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ମାନ ତାଲିକାରେ ନୀବନଙ୍କ ନାଁ ଯୋଡି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *