ପାକିସ୍ତାନର ରୋମାଞ୍ଚକ ବିଜୟ

ଏସିଆ କପ୍ ସୁପର୍-୪
ଦୁବାଇ, ୪ା୯: ପାକିସ୍ତାନ ରବିବାର ଏସିଆ କପ୍ ସୁପର୍-୪ ପର୍ଯ୍ୟାୟରେ ଭାରତକୁ ଗୋଟିଏ ବଲ୍ ବାକି ଥାଇ ୫ ୱିକେଟ୍ରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି । ଏହା ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଭାରତ ୫ ୱିକେଟ୍ରେ ପାକିସ୍ତାନକୁ ହରାଇଥିଲା ।
୧୮୨ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ପାକିସ୍ତାନ ଟିମ୍ର ଓପନିଂ ଯୋଡ଼ି ୨୨ ରନ୍ରେ ଭାଙ୍ଗିଥିଲା । ଅଧିନାୟକ ବାବର ଆଜମ୍ ୧୪ ରନ୍ କରି ରବି ବିଷ୍ଣୋଇଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ ମହମ୍ମଦ ରିଜୱାନ ନୂଆ ବ୍ୟାଟର୍ ଫଖର ଜମାନ୍ଙ୍କ ସହ ୪୧ ରନ୍ ଯୋଗ କରିଥିଲେ । ଜମାନ୍ ୧୫ ରନ୍ କରି ଯୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ । ରିଜୱାନ ଏହାପରେ ମହମ୍ମଦ ନୱାଜଙ୍କ ସହ ମିଶି ୭୩ ରନ୍ର ଭାଗୀଦାରୀ କରିଥିଲେ । ନୱାଜ ୨୦ ବଲ୍ରୁ ୪୨ ରନ୍ କରିଥିଲେ । ଭୁବନେଶ୍ୱର କୁମାର ତାଙ୍କ ୱିକେଟ୍ ନେଇଥିଲେ । ରିଜୱାନ (୫୧ ବଲ୍ରୁ ୭୧)ଙ୍କ ଇନିଂସ୍ର ଅନ୍ତ ଘଟାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଖୁସଦିଲ ଶାହ ୧୪ ଓ ଇଫତିକାର ଅହମ୍ମଦ ୨ ରନ୍ କରି ଅପରାଜିତ ଥିଲେ ।
ପାକିସ୍ତାନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ କୋହଲି ୪୪ ବଲ୍ରୁ ସର୍ବାଧିକ ୬୦ ରନ୍ର ଇନିଂସ୍ ଖେଳିଥିଲେ ।
ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲ ଆକ୍ରମଣାତ୍ମକ ଢଙ୍ଗରେ ଇନିଂସ୍ ଆରମ୍ଭ କରିଥିଲେ । ଓପନିଂ ୱିକେଟ୍ ପାଇଁ ୩୧ ବଲ୍ରୁ ୫୪ ରନ୍ର ଭାଗୀଦାରୀ ହୋଇଥିଲା । ରୋହିତ ୧୬ ବଲ୍ରୁ ୨୮ ରନ୍ କରି ହାରିସ୍ ରାଉଫ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ତାଙ୍କ ଇନିଂସ୍ରେ ୩ ଚୌକା ଓ ୨ ଛକା ରହିଥିଲା । ରାହୁଲ ମଧ୍ୟ ସମାନ ୨୮ (୨୦ ବଲ୍ରୁ) ରନ୍ କରି ଶଦାବ ଖାଁଙ୍କ ଶିକାର ହୋଇଥିଲେ । ଏହାପରେ କୋହଲି ନୂଆ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ଇନିଂସ୍ ସମ୍ଭାଳିବାକୁ ପ୍ରୟାସ କରିଥିଲେ । ତୃତୀୟ ୱିକେଟ୍ ପାଇଁ ୨୯ ରନ୍ ଯୋଗ ହୋଇଥିଲା । ସୂର୍ଯ୍ୟକୁମାର ମାତ୍ର ୧୩ ରନ୍ କରି ମହମ୍ମଦ ନୱାଜ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟପଟେ, କୋହଲିଙ୍କ ଦୃଢ଼ ପ୍ରଦର୍ଶନ ଜାରି ରହିଥିଲା । କିନ୍ତୁ ପରବର୍ତ୍ତୀ ବ୍ୟାଟର୍ ରିଷଭ ପନ୍ତ କୌଣସି କମାଲ୍ କରିପାରି ନ ଥିଲେ ଏବଂ ବ୍ୟକ୍ତିଗତ ୧୪ ରନ୍ରେ ଶଦାବଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ପାଣ୍ଡ୍ୟା ଖାତା ଖୋଲି ନ ପାରି ମହମ୍ମଦ ହୁସେନଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଦୀପକ ହୁଡ଼ା ୧୬ ରନ୍ କରି ନସୀମ ଶାହଙ୍କ ଶିକାର ହୋଇଥିଲେ । ଶେଷ ଓଭର୍ରେ କୋହଲି ରନ୍ଆଉଟ୍ ହୋଇଯାଇଥିଲେ । ରବି ୮ ଓ ଭୁବନେଶ୍ୱର କୌଣସି ସ୍କୋର୍ ନ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *