ଦ୍ୱୀପାଞ୍ଚଳକୁ ଦୈନିକ ଆସୁଛି ଟ୍ରକ୍ ଟ୍ରକ୍ ଚୋରା କୋଇଲା
କଣ୍ଟାପଡ଼ା (ଆପ୍ର): ପ୍ରତ୍ୟେକଦିନ ସକାଳ ୬ଟାରୁ ୭ଟା ମଧ୍ୟରେ ଦ୍ୱୀପାଞ୍ଚଳକୁ ଟ୍ରକ ଟ୍ରକ ଚୋରା କୋଇଲା ଆସି ପହଞ୍ଚୁଛି । ଏହି ଚୋରା କୋଇଲାର ମୁଖ୍ୟ ପେଣ୍ଠସ୍ଥଳୀ ପାଲଟିଛି ଉତ୍ତାରଣ, ଏରଞ୍ଚ, ସିଠାଳ ଆଦି ଅଞ୍ଚଳ । ପୁଲିସ୍ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ପ୍ରତ୍ୟେକ ଦିନ ଦ୍ୱୀପାଞ୍ଚଳକୁ ଅଡ଼ଶପୁର ତ୍ରିଛକି ଦେଇ କୋଇଲା ବୋଝେଇ ଗାଡ଼ି ଯାଉଥିଲେ ମଧ୍ୟ ଓଲଟପୁର ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଏହି କୋଇଲା ଗଦାକରାଯିବା ଯୋଗୁ ସାଧାରଣ ଲୋକମାନେ କୋଇଲା ଧୁସରେ ଅତିଷ୍ଠ ହୋଇପଡ଼ୁଛନ୍ତି । ରାଜ୍ୟ ସରକାର କୋଇଲା ଡିପୁ କରି ବିକ୍ରି କରିବାକୁ ଗ୍ରାମାଞ୍ଚଳକୁ ନିଷେଧାଦେଶ କରିଛନ୍ତି । କିନ୍ତୁ ଏହି ଦ୍ୱୀପାଞ୍ଚଳରେ ବେଧଡ଼କ୍ ଚାଲିଛି କୋଇଲା ବିକି୍ର । ଏପରିକି କୋଇଲା ବିକି୍ର କରୁଥିବା ମାଲିକ ମାନେ ସ୍ଥାନୀୟ ଲୋକମାନଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ଏହି ଘଟଣାକୁ ଦେଖି ନଦେଖିଲା ଭଳି ଚୁପ୍ ରହୁଛନ୍ତି । ପୋଲିସ୍ ପ୍ରଶାଶନ ଯଦି ସମ୍ପୃକ୍ତ କୋଇଲା ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନିଅନ୍ତି ଏବଂ କୋଇଲା ଗଦାଗୁଡ଼ିକୁ ଜବତ ନକରନ୍ତି ଆଗାମୀ ଦିନ ମାନଙ୍କରେ ଗ୍ରାମଞ୍ଚଳ ଏସ୍.ପି. ଓ ପ୍ରଦୁଷଣ ବୋର୍ଡ ଭେଟିବା ସହିତ ଉଚ୍ଚତମ ନ୍ୟାୟଳୟର ଦ୍ୱାରସ୍ଥ ହେବେ ବୋଲି ସମାଜ ସେବୀ ଗଙ୍ଗାଧର ସାହୁ, ରାଧାକାନ୍ତ ରାଉତରାୟ, ସୁବାଷ ଚନ୍ଦ୍ର ସାହୁ କହିଛନ୍ତି ।
