ସଡ଼କ ଦୁର୍ଘଟଣାରେ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ପରଲୋକ
ମୁମ୍ବାଇ, ୪ା୯: ଟାଟା ଗ୍ରୁପ୍ର ପୂର୍ବତନ ଚେୟାରମ୍ୟାନ୍ ତଥା ଦେଶର ସୁପ୍ରସିଦ୍ଧ ଶିଳ୍ପପତି ସାଇରସ୍ ପଲ୍ଲୋନଜୀ ମିସ୍ତ୍ରୀଙ୍କର ରବିବାର ଅପରାହ୍ଣରେ ସଡକ ଦୁର୍ଘଟଣାରେ ପରଲୋକ ଘଟିଛି । ସେ ଗୁଜରାଟର ଉଦୱାଡାସ୍ଥିତ ପାର୍ସି ମନ୍ଦିରରୁ ଅନ୍ୟ ୩ଜଣଙ୍କ ସହ ମର୍ସିଡିଜ୍ ବେଞ୍ଜ୍ କାର୍ ଯୋଗେ ଫେରୁଥିବାବେଳେ ମୁମ୍ବାଇ-ଅହମଦାବାଦ ହାଇୱେରେ ଦୁର୍ଘଟଣା ଘଟିଥିଲା ।
୫୪ବର୍ଷୀୟ ମିସ୍ତ୍ରୀଙ୍କ କାର୍ ମୁମ୍ବାଇ ନିକଟ ପାଲଘର ଇଲାକାର ସୂର୍ଯ୍ୟାନଦୀ ପୋଲ ଉପରେ ରୋଡ୍ ଡିଭାଇଡର୍କୁ ଧକ୍କା ଦେଇଥିଲା । କାର୍ର ଏୟାରବ୍ୟାଗ୍ ଖୋଲିଥିଲେ ହେଁ ମିସ୍ତ୍ରୀ ଓ ଅନ୍ୟ ଜଣଙ୍କର ମୃତୁ୍ୟ ହୋଇଥିଲା । କାର୍ ଚଳାଉଥିଲେ ମୁମ୍ବାଇର ସ୍ତ୍ରୀ ରୋଗ ବିଶେଷଜ୍ଞ ଅନାହିତା ପଣ୍ଡୋଲେ । ଅନାହିତା ବର୍ତ୍ତି ଯାଇଥିବା ସ୍ଥଳେ ତାଙ୍କ ସ୍ୱାମୀ ଜାହାଙ୍ଗୀର ପଣ୍ଡୋଲେଙ୍କର ମୃତୁ୍ୟ ହୋଇଛି । ମହାରାଷ୍ଟ୍ର ସରକାର ଦୁର୍ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି ।
ସାଇରସ୍ଙ୍କ ପିତା ପାଲୋନଜୀ ମିସ୍ତ୍ରୀଙ୍କର ଜୁନ୍ ମାସରେ ପରଲୋକ ହୋଇଥିଲା । ପାଲୋନଜୀଙ୍କ କନିଷ୍ଠ ପୁତ୍ର ସାଇରସ୍ ୧୯୬୮ରେ ଜନ୍ମିତ ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଷଷ୍ଠ ଗ୍ରୁପ୍ ଚେୟାରମ୍ୟାନ୍ ଥିଲେ । ୨୦୧୨ ଡିସେମ୍ବରରେ ରତନ ଟାଟା ଟାଟା ସନ୍ସର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେବା ପରେ ସାଇରସ୍ ମିସ୍ତ୍ରୀଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଥିଲା ।
କିନ୍ତୁ ରତନଙ୍କ ସହ ମତଭେଦ ଯୋଗୁଁ ୨୦୧୬ରେ ମିସ୍ତ୍ରୀଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା ।
ମୁମ୍ବାଇରେ ସ୍କୁଲ ଶିକ୍ଷା ସାରି ମିସ୍ତ୍ରୀ ଲଣ୍ଡନର ଇମ୍ପିରିଅଲ୍ କଲେଜ୍ରେ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ ଶିକ୍ଷା ଲାଭ କରିଥିଲେ । ସାଇରସ୍ଙ୍କ ପିତା ପାଲୋନଜୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ଥିଲା ୧୦୨୮୨୯କୋଟି ଟଙ୍କା । ମିଡିଆ ରିପୋର୍ଟ ଅନୁଯାୟୀ ୨୦୧୮ରେ ସାଇରସ୍ଙ୍କ ବ୍ୟକ୍ତିଗତ ସମ୍ପତ୍ତି ମୂଲ୍ୟ ୭୦,୯୫୭କୋଟି ଟଙ୍କା ଥିଲା ।
ରତନ ଟାଟାଙ୍କ ସହ ତାଙ୍କର ଥିଲା ପାରିବାରିକ ସମ୍ପର୍କ । ନୋଏଲ୍ ଟାଟାଙ୍କୁ ସାଇରସ୍ଙ୍କ ଭଉଣୀ ଅଲ୍ଲୁ ବିବାହ କରିଛନ୍ତି ।