ଭାଗବତକୁ ଡିଜିଟାଲ୍ କରିବା ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ: ଦାସବର୍ମା
ପୁରୀ (ବୁ୍ୟରୋ): ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହ ସ୍ଥାନୀୟ ସାତଲହଡ଼ି ମଠରେ ପାଳିତ ହୋଇଛି । ଏହି ସମାରୋହରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଯୋଗ ଦେଇଥିଲେ ।
ଏହି ଅବସରରେ ଶ୍ରୀ ଦାସବର୍ମା କହିଥିଲେ ବର୍ତ୍ତମାନର ଆଧୁନିକ ଯୁଗରେ ଭାଗବତ କିପରି ଡିଜିଟାଲ ମାଧ୍ୟମରେ ରହିପାରିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଯାହାଦ୍ୱାରା ଆଗାମୀ ପିଢ଼ି ଭାଗବତ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ପାଇପାରିବେ । ସେହିପରି ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିଦେ୍ର୍ଦଶକ କୈଳାସ ଚନ୍ଦ୍ର ଟିକାୟତରାୟ, ଶଙ୍କର୍ଷଣ ମଙ୍ଗରାଜ, କବି ବିପିନ ଦଳେଇ, ଦୁର୍ଗାମାଧବ ନନ୍ଦ ଓ ଦିଲ୍ଲୀପ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଗବତ ଓ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଚେତନାର ବାର୍ତ୍ତାବହ କିପରି ହୋଇପାରିବ ସେ ନେଇ ବକ୍ତବ୍ୟ ରଖିଥିଲେ । ଅନ୍ୟପକ୍ଷରେ ଉକ୍ତ କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବିଶେଷ ଭାବେ ଆଲୋଚନାଚକ୍ରରେ ଭକ୍ତ ଜଗନ୍ନାଥ ଦାସ ଓ ଭଗବାନଙ୍କ ମଧ୍ୟରେ ପ୍ରତିବନ୍ଧକ ନ ହେବା ପାଇଁ କିପରି ସମୁଦ୍ର ୭ ଲହଡ଼ି ପଛକୁ ଘୁଞ୍ଚô ଯାଇଥିଲା ତାହାକୁ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ କଳ୍ପନା ମିଶ୍ର ଧନ୍ୟବାଦ ଦେଇଥିଲେ ।