ଓଡ଼ିଶା ଜଗରନଟ୍ସ ଚାମ୍ପିଅନ୍

ଅଲ୍ଟିମେଟ୍ ଖୋ ଖୋ
ପୁନେ, ୪ା୯ (ଏଜେନ୍ସି): ଅଲ୍ଟିମେଟ୍ ଖୋ ଖୋର ପ୍ରଥମ ସିଜନ୍ର ଚାମ୍ପିଅନ୍ ହୋଇଛି ଓଡ଼ିଶା ଜଗରନଟ୍ସ । ରବିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ତେଲୁଗୁ ଯୋଦ୍ଧାସ୍କୁ ୪୬-୪୫ରେ ପରାସ୍ତ କରିଛି ଓଡ଼ିଶା ଟିମ୍ । ଶେଷ ୧୦ ସେକେଣ୍ଡରେ ଏହି ମହାମୁକାବିଲାର ଫଇସଲା ହୋଇଥିଲା ।
ଓଡ଼ିଶା ସରକାରଙ୍କ ମାଲିକାନାରେ ଥିବା ଓଡ଼ିଶା ଜଗରନଟ୍ସ ପୂରା ଲିଗ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା । ଚାମ୍ପିଅନ୍ ଭାବେ ଓଡ଼ିଶା ଟ୍ରଫି ସହ ଏକ କୋଟି ଟଙ୍କା ପୁରସ୍କାର ଜିତିଥିବା ବେଳେ ରନର୍ସଅପ୍ ତେଲୁଗୁ ଯୋଦ୍ଧାସ୍ ୫୦ ଲକ୍ଷ ଓ ତୃତୀୟ ସ୍ଥାନରେ ରହିଥିବା ଗୁଜରାଟ ଜାଏଣ୍ଟ୍ସ ୩୦ ଲକ୍ଷ ଟଙ୍କା ପୁରସ୍କାର ପାଇଛି ।
ଗୁଜରାଟ ଜାଏଣ୍ଟ୍ସର ଅଭିନନ୍ଦନ ପାଟିଲ୍ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଆଟାକର୍, ତେଲୁଗୁ ଯୋଦ୍ଧାସ୍ର ଦୀପକ ମାଧବ ସର୍ବଶ୍ରେଷ୍ଠ ଡିଫେଣ୍ଡର୍ ଏବଂ ଚେନ୍ନାଇ କ୍ୱିକ୍ ଗନ୍ସର ରାମଜୀ କଶ୍ୟପ ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ଶେଷ ଯାଏଁ ମ୍ୟାଚ୍ର ରୋମାଞ୍ଚ ବଳବତ୍ତର ରହିଥିଲା । ଶେଷ ଟର୍ଣ୍ଣରେ ଯେତେବେଳେ ୧.୨୪ ମିନିଟ୍ ବାକି ଥିଲା, ସେତେବେଳେ ସ୍କୋର୍ ୪୫-୪୩ରେ ଯୋଦ୍ଧାସ୍ ସପକ୍ଷରେ ଥିଲା । ପ୍ରତୀକ ଭାକର, ଅବଧୂତ ପାଟିଲ୍ ଓ ଦୀପକ ମାଧବ ୧.୧୦ ମିନିଟ୍ ସମୟ କାଢ଼ିବାରେ ସଫଳ ହୋଇଥିଲେ । କିନ୍ତୁ ସୂରଜ ଲାଣ୍ଡେଙ୍କ ଦ୍ୱାରା ସ୍କାଇ ଡାଇଭ୍ରେ ପାଟିଲ୍ ଆଉଟ୍ ହେବା କ୍ଷଣି ଓଡ଼ିଶା ୩ ପଏଣ୍ଟ ପାଇଥିଲା ଏବଂ ୧ ପଏଣ୍ଟରେ ମ୍ୟାଚ୍ ଜିତିଥିଲା ।
ଲାଣ୍ଡେ ସର୍ବାଧିକ ୯ ପଏଣ୍ଟ ହାସଲ କରିଥିଲେ, ହେଲେ ଶେଷ ୩ ପଏଣ୍ଟ ତାଙ୍କ କ୍ୟାରିଅରର ସବୁଠାରୁ ମୂଲ୍ୟବାନ ପଏଣ୍ଟ ସାବ୍ୟସ୍ତ ହୋଇଥିଲା । ଅନ୍ୟପଟେ, ଯୋଦ୍ଧାସ୍ ପକ୍ଷରୁ ରୋହନ ସିଂଘାଇ ଅଲ୍ରାଉଣ୍ଡ୍ ଖେଳ ପ୍ରଦର୍ଶନ କରି ୧୧ ପଏଣ୍ଟ ପାଇବା ଛଡ଼ା ନିଜ ଟିମ୍କୁ ୬ ବୋନସ୍ ପଏଣ୍ଟ ଦେଇଥିଲେ, କିନ୍ତୁ ଜିତାଇ ପାରି ନ ଥିଲେ ।
ଓଡ଼ିଶା ଟସ୍ ଜିତି ଡିଫେଣ୍ଡ୍ କରିବାକୁ ସ୍ଥିର କରିଥିଲା ଏବଂ ଏହି ଟର୍ଣ୍ଣ ଶେଷ ସୁଦ୍ଧା ବୋନସ୍ ଭାବେ ୧୦ ପଏଣ୍ଟ ପାଇଥିଲା ।
ବଲିଉଡ୍ର ଲୋକପ୍ରିୟ ଗାୟକ ମୋହିତ ଚୌହାନ ବ୍ଲକ୍ବଷ୍ଟର ଫାଇନାଲ୍ ଆରମ୍ଭ କରିବା ପାଇଁ ନିଜ ଶୈ÷ଳୀରେ ରାଷ୍ଟ୍ରଗାନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *