ତହସିଲ୍ ଅଫିସ୍ ପାଲଟିଲା ରଣକ୍ଷେତ୍ର
ଫନି ସହାୟତା ଦାବିରେ ଆଇନ ଅମାନ୍ୟ ଆନେ୍ଦାଳନ
ପୁରୀ/ସାକ୍ଷୀଗୋପାଳ, ୩ା୯ (ବୁ୍ୟରୋ): ଫନି କ୍ରିୟାନୁଷ୍ଠାନ କମିଟି ଓ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ବିପନ୍ନମାନଙ୍କୁ ସହାୟତା ରାଶି ନ ମିଳିବାରୁ ଶନିବାର ସଙ୍ଗଠନର ଶତାଧିକ ପୁରୁଷ ଓ ମହିଳା ପୂର୍ବାହ୍ନରେ ସତ୍ୟବାଦୀ ତହସିଲ୍ କାର୍ଯ୍ୟାଳୟ ଘେରାଉ କରି ଆଇନ୍ ଅମାନ୍ୟ ଆନେ୍ଦାଳନ ଓ ଜେଲ୍ ଭରୋ ଆନେ୍ଦାଳନ କରିଥିଲେ । ସେହି ସମୟରେ ତହସିଲ୍ କାର୍ଯ୍ୟାଳୟ ପାଲଟିଥିଲା ରଣକ୍ଷେତ୍ର । ପରେ ପୁଲିସ୍ ଲାଠି ଚାଳନା ଆରମ୍ଭ ହୋଇଥିଲା । ଏଥିରେ ୪୮ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନାଥାଉକି ଗତ ତିନିବର୍ଷ ତଳେ ଫନିର ତାଣ୍ଡବଲୀଳାରେ କ୍ଷୟକ୍ଷତି ହୋଇଥିବା ବିପନ୍ନମାନେ ଏପର୍ଯ୍ୟନ୍ତ ପଲିଥିନ ତଳେ ରହୁଛନ୍ତି । ଏପଟେ ଫନି ସହାୟତା ପାଇଁ ୮୧,୨୭,୩୦,୮୧୬ ଟଙ୍କା ଅନୁଦାନ ଆସିଥିଲା । ସେଥିରୁ ବିପନ୍ନମାନଙ୍କୁ ୬୫,୭୭,୩୦,୮୧୬ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ୧୫.୫୦ କୋଟି ଟଙ୍କା ଫେରସ୍ତ କରାଯାଇଥିବା ଜଣାପଡ଼ିବା ପରେ ସହାୟତା ପାଇବା ପାଇଁ ରହିଥିବା ହିତାଧିକାରୀଙ୍କ ମଧ୍ୟରେ ନିରାଶର ଭାବନା ସୃଷ୍ଟି ହୋଇଥିଲା । ଏହି ପ୍ରମୁଖ ସମସ୍ୟା ନେଇ ତହସିଲ କାର୍ଯ୍ୟାଳୟରେ ଆନେ୍ଦାଳନକାରୀମାନେ ସତ୍ୟବାଦୀ ତହସିଲ୍ଦାର ଜୟନ୍ତ କୁମାର ଜୟ ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଏସ୍ଡିପିଓ ଦେବଦତ୍ତ ବରାଳ ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଆଜିପର୍ଯ୍ୟନ୍ତ ସହାୟତା ପାଇ ପାରି ନ ଥିବା ଫନି ବିପନ୍ନଙ୍କୁ ଯାଞ୍ଚ କରାଯାଇ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ତହସିଲ୍ଦାର ଜୟନ୍ତ କୁମାର ଜୟସିଂ ପ୍ରତିଶ୍ରୁତି ଦେବା ସମୟରେ ଆନେ୍ଦାଳନକାରୀ ଉତ୍କ୍ଷିପ୍ତ ହୋଇ ତହସିଲ୍ ଗେଟ ଭଙ୍ଗାରୁଜା କରିଥିଲେ । ତତ୍ସହିତ ପୁଲିସ ସହିତ ଧସ୍ତାଧସ୍ତି ହୋଇ ଜବରଦସ୍ତ କାର୍ଯ୍ୟାଳୟ ପରିସର ମଧ୍ୟକୁ ପ୍ରବେଶ କରିଥିଲେ । ଫଳରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ଏହି ଧସ୍ତାଧସ୍ତି ସମୟରେ ପୁଲିସ ରଞ୍ଜନ କୁମାର ଦଳାଇ ଆହତ ହୋଇଥିଲେ । ପରେ ଉପସ୍ଥିତ ପୁଲିସ ବିଶୃଙ୍ଖଳାକୁ ରୋକିବା ପାଇଁ ମୃଦୁ ଲାଠିଚାଳନା କରିଥିଲା । ଏହି ଲାଠି ଚାଳନାରେ ୪୮ ଜଣ ଆହତ ହୋଇ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଅପର ପକ୍ଷରେ ସତ୍ୟବାଦୀ ତହସିଲ୍ଦାର ଜୟନ୍ତ କୁମାର ଜୟସିଂ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକ୍ରମେ ସତ୍ୟବାଦୀ ପୁଲିସ ଆନେ୍ଦାଳନକାରୀଙ୍କ ବିରୋଧରେ ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଖରାପ ଭାଷାରେ ଗାଳି କରିବା, ସରକାରୀ କର୍ମଚାରୀଙ୍କୁ ଉଦେ୍ଦଶ୍ୟମୂଳକ ଭାବେ ଆକ୍ରମଣ କରିବା ନେଇ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ବୋଲି ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ସୂଚନା ଦେଇଛନ୍ତି ।
ଏହି ଆନେ୍ଦାଳନରେ ଅନୁଷ୍ଠାନର ସଭାପତି ପ୍ରାଣନାଥ ବିଶ୍ୱାଳ, ପଦ୍ମଲୋଚନ ମିଶ୍ର, ବସନ୍ତ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଲୋକ ଏହି ଆନେ୍ଦାଳନରେ ସାମିଲ୍ ହୋଇଥିଲେ । ଏହି ଘଟଣାକୁ ନେଇ ତହସିଲ୍ଦାର୍ ଜୟସିଂ କହିଛନ୍ତି ଆଗରୁ ଏହି ଆନେ୍ଦାଳନ ବିଷୟରେ କୌଣସି ସୂଚନା ଦିଆ ନ ଯାଇ ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ ।