ଆଜି ଭାରତ-ପାକ୍ ମୁକାବିଲା
ଏସିଆ କପ୍ ସୁପର୍-୪
ଦୁବାଇ, ୩ା୯ (ଏଜେନ୍ସି): ଏସିଆ କପ୍ର ସୁପର୍-୪ ପର୍ଯ୍ୟାୟରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଏହା ପୂର୍ବରୁ ଗ୍ରୁପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୫ ୱିକେଟ୍ରେ ହରାଇଥିଲା ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ପୂର୍ବ ପ୍ରଦର୍ଶନକୁ ଦୋହାଇବାର ଚାପ ରହିବ । ଅନ୍ୟପଟେ, ପାକିସ୍ତାନ ଟିମ୍ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ ।
ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଆଘାତ ଜନିତ କାରଣରୁ ଏସିଆ କପ୍ରୁ ବାଦ୍ ପଡ଼ିସାରିଛନ୍ତି । ଏହା ଭାରତ ପାଇଁ ବଡ଼ ଝଟ୍କା । ତାଙ୍କ ସ୍ଥାନରେ ଅକ୍ଷର ପଟେଲ୍ଙ୍କୁ ଟିମ୍ରେ ସାମିଲ୍ କରାଯାଇଛି । କେତେକ କ୍ରିକେଟ୍ ବିଶେଷଜ୍ଞଙ୍କ ମତରେ ଜାଡ଼େଜା ଟିମ୍ ପାଇଁ ଯେଉଁ ଫ୍ଲେଭର୍ ନେଇକି ଆସନ୍ତି, ତାହା ଅକ୍ଷର ପଟେଲ୍ଙ୍କ କ୍ଷେତ୍ରରେ ହୋଇ ନ ଥାଏ ।
ସୁପର୍-୪ରେ ଭାରତ ଅନ୍ୟ ଟିମ୍ ଭଳି ତିନି ମ୍ୟାଚ୍ ଖେଳିବ । ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଅଛି । ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ଦୁଇ ପାରମ୍ପରିକ ଟିମ୍ ମଧ୍ୟରେ ଦ୍ୱିତୀୟ ଥର ମୁକାବିଲା ହେବ ।
ପାକିସ୍ତାନର ଅଧିନାୟକ ବାବର ଆଜମ୍ ଫର୍ମରେ ନାହାନ୍ତି, ହେଲେ ମହମ୍ମଦ ରିଜୱାନ ଲଗାତାର ରନ୍ କରୁଛନ୍ତି । ଫଖର ଜମାନ୍ ହଂକଂ ବିପକ୍ଷରେ ଫର୍ମକୁ ଫେରିଛନ୍ତି । ଶାହୀନ ଆଫ୍ରିଦୀଙ୍କ ଅନୁପସ୍ଥିତି ସତ୍ତ୍ୱେ ଟିମ୍ ଭଲ ବୋଲିଂ ପ୍ରଦର୍ଶନ କରିଥିଲା । ଏବେ ପାକିସ୍ତାନର ଯୁବ ପେସର୍ ଶାହନୱାଜ ଦହାନୀ ଆଘାତ ଜନିତ କାରଣରୁ ଟିମ୍ରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ହସନ୍ ଅଲୀ ଖେଳିପାରନ୍ତି ।
ଯେଉଁ ହଂକଂ ଭାରତ ବିପକ୍ଷରେ ୧୫୦ରୁ ଅଧିକ ରନ୍ କରିଥିଲା ଏବଂ ମାତ୍ର ୫ ୱିକେଟ୍ ହରାଇଥିଲା, ପାକିସ୍ତାନ ତାହାକୁ ମାତ୍ର ୩୮ ରନ୍ରେ ଅଲ୍ଆଉଟ୍ କରିଦେଇଥିଲା । ତେଣୁ ପାକିସ୍ତାନକୁ ହରାଇବା ପାଇଁ ରୋହିତ ସେନାକୁ ମଜଭୁତ ଚୂଡ଼ାନ୍ତ ଏକାଦଶ ସହ ମଇଦାନକୁ ଓହ୍ଲାଇବାକୁ ହେବ ।
ଭାରତୀୟ ଟିମ୍ ଫର୍ମରେ ଅଛି । ତେଣୁ ଟିମ୍ରେ ବେଶୀ ପରିବର୍ତ୍ତନର ସମ୍ଭାବନା ନାହିଁ । ଜାଡ଼େଜାଙ୍କ ସ୍ଥାନରେ ଅକ୍ଷରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ । ତେବେ ତାଙ୍କ ଉପରେ ଆଶାର ବୋଝ ରହିବ । ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲ ଭାରତୀୟ ଇନିଂସ୍ ଓପନ୍ କରିବେ ଏବଂ ତିନି ନମ୍ବରରେ ବିରାଟ କୋହଲି ଆସିବେ ।
ତେବେ ରାହୁଲଙ୍କ ବ୍ୟାଟିଂ ଟିମ୍ର ଚିନ୍ତା ବଢ଼ାଇ ଦେଇଛି । ପାକିସ୍ତାନ ବିପକ୍ଷରେ ସେ ଖାତା ଖୋଲି ପାରି ନ ଥିବା ବେଳେ ହଂକଂ ବିପକ୍ଷରେ ୩୯ ବଲ୍ ଖେଳି ୩୬ ରନ୍ କରିଥିଲେ । ରାହୁଲଙ୍କୁ ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ହେବ । ଚାରି ନମ୍ବରରେ ଆସୁଥିବା ସୂର୍ଯ୍ୟକୁମାର ଯାଦବ ଜୋର୍ଦାର ଫର୍ମରେ ଅଛନ୍ତି । ପାଞ୍ଚ ନମ୍ବରରେ ଫର୍ମରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ଛଅ ନମ୍ବରରେ ଦିନେଶ କାର୍ତ୍ତିକ ଆସିପାରନ୍ତି । ଏପରିସ୍ଥଳେ ଦେଖିବାକୁ ହେବ ଯେ ରିଷଭ ପନ୍ତଙ୍କୁ ଖେଳାଯିବ କି ନାହିଁ ।
ଜାଡ଼େଜାଙ୍କ ସ୍ଥାନରେ ଅକ୍ଷର ପଟେଲ୍ ସାମିଲ୍ ହେଲେ, ସେ ବ୍ୟାଟିଂ ପାଇଁ ସାତ ନମ୍ବରରେ ଆସିପାରନ୍ତି । ଟିମ୍ରେ ବିଶେଷଜ୍ଞ ସ୍ପିନର୍ ଭାବେ ଯୁଜେବନ୍ଦ୍ର ଚହଲ ରହିବେ ଯେତେବେଳେକି ତିନି ଜଣ ପେସର୍ ଖେଳିବେ । ଭୁବନେଶ୍ୱର କୁମାର ଓ ଅର୍ଶଦୀପ ସିଂହ ଖେଳିବେ । ତେବେ ଭାଇରାଲ୍ ଜ୍ୱର ହୋଇଥିବାରୁ ଆଭେଶ ଖେଳିବେ ନାହିଁ । ଆଭେଶ ନ ଖେଳିବା ଭାରତୀୟ ପେସ୍ ଆକ୍ରମଣ ପାଇଁ ବଡ଼ କ୍ଷତି । ସେ ଏସିଆ କପ୍ରେ ଭାରତର ଏକମାତ୍ର ବୋଲର୍ ଯିଏ ୧୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ବୋଲିଂ କରିପାରିବେ । ଆଭେଶଙ୍କ ସ୍ଥାନରେ ପେସର୍ ଦୀପକ ଚାହରଙ୍କୁ ଖେଳାଯାଇପାରେ । ସେ ରିଜର୍ଭ ଖେଳାଳି ଭାବେ ୟୁଏଇ ଯାଇଛନ୍ତି ।
ସମ୍ଭାବ୍ୟ ଭାରତୀୟ ଏକାଦଶ
ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ/ ରିଷଭ ପନ୍ତ, ଅକ୍ଷର ପଟେଲ୍, ଯୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଆଭେଶ ଖାଁ/ ଦୀପକ ଚାହର, ଅର୍ଶଦୀପ ସିଂହ ।