କପିଳେଶ୍ୱରପୁରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ପ୍ରଚେଷ୍ଟା ଜାରି ରହିବ
ାା ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ ପାଳିତ ।ା
ପୁରୀ/ବ୍ରହ୍ମଗିରି (ବୁ୍ୟରୋ): ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ତଥା ଓଡ଼ିଆ ଭାଗବତ ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତାଙ୍କ ଜନ୍ମପୀଠ ବ୍ରହ୍ମଗିରି କପିଳେଶ୍ୱରପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଏକାଡେମୀ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଅତିବଡୀ ଜଗନ୍ନାଥ ଦାସଙ୍କ ଏହି ଜୟନ୍ତୀ ସମାରୋହରେ ଅତିଥି ଭାବେ ପୂର୍ବତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, କୈଳାଶ ଚନ୍ଦ୍ର ଟିକାୟତରାୟ, ବ୍ରହ୍ମଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ଯୁଧିଷ୍ଠିର ନାୟକ, ବିଦ୍ୟାଧର ସ୍ୱାଇଁ, ବିଜୟ ଦଳାଇ ପ୍ରମୁଖ ଯୋଗଦେଇ ମହାପୁରୁଷ ଅତିବଡ଼ୀ ଜଗନ୍ନାଥ ଦାସଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ କହିଥିଲେ ଯେ ଓଡ଼ିଆ ଭାଷା ଓ ଓଡ଼ିଆ ଜାତିକୁ ଏକତାବଦ୍ଧ କରି ରଖିବା ପାଇଁ ଓଡ଼ିଆ ଭାଗବତ ଏକମାତ୍ର ମାଧ୍ୟମ । ଗାଁ ଗହଳିରେ ଭାଗବତ ଟୁଙ୍ଗିରେ ପ୍ରତିଦିନ ଭାଗବତ ଶୁଣିବା ଦ୍ୱାରା ଭକ୍ତି ଓ ସଦ୍ଭାବନା ଜାଗ୍ରତ ହୋଇଥାଏ । ମହାପ୍ରଭୁ ଜଗନ୍ନାଥଙ୍କର ପରମ ସେବକ ଅତିବଡ଼ୀ ଜଗନ୍ନାଥ ଦାସଙ୍କର ଜନ୍ମମାଟି ବ୍ରହ୍ମଗିରିର କପିଳେଶ୍ୱରପୁର ଆଜି ସାରା ବିଶ୍ୱରେ ବିଦିତ । ଆସନ୍ତା ଦିନରେ ଏହି ପୀଠ ପର୍ଯ୍ୟଟନସ୍ଥଳୀ ରୂପେ ମାନ୍ୟତା ପାଇବା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି କହିଥିଲେ । ଅତିବଡୀ ଜଗନ୍ନାଥ ଦାସଙ୍କର ଏ ଜନମାନସ ପ୍ରତି ଥିବା ପ୍ରତିଦାନ ସମ୍ବନ୍ଧରେ ଅତିଥିମାନେ ଆଲୋକପାତ କରିଥିଲେ । ସେ ଓଡ଼ିଆ ଭାଗବତ ରଚନା କରି ଏକ ସମାଜ ସଂସ୍କାରକର ଭୂମିକା ଗ୍ରହଣ କରିଥିଲେ । ସଂସ୍କୃତ ଭାଗବତର କ୍ଳିଷ୍ଟ ଆଧ୍ୟାତ୍ମିକ ଭାବ ଓ ତତ୍ୱ ସମୂହକୁ ସରଳ ମଞ୍ଜୁଳ ଓ ହୃଦୟଗ୍ରାହୀ ଓଡ଼ିଆ ଭାଷାରେ ପରିଣତ କରି ସେ ଏ ଜାତିର ବିଶେଷ କଲ୍ୟାଣ ସାଧିତ କରିଯାଇଛନ୍ତି । ତାଙ୍କର ସାଧନା, ତ୍ୟାଗ, ସଂସ୍କାର, ନିଷ୍ଠା ଓ ଜାତୀୟତା ଯୁଗେ ଯୁଗେ ଅବିସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ଅତିଥିମାନେ ବକ୍ତବ୍ୟ ଦେଇଥିଲେ ।