୫-ଟି ହାଇସ୍କୁଲ୍ରେ କମ୍ପୁ୍ୟଟର୍ ଶିକ୍ଷା ବ୍ୟାହତ
୨ଜି ନେଟୱର୍କ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ
ଘୁ.ଉଦୟଗିରି (ଆପ୍ର): ନେଟୱର୍କ ସମସ୍ୟା ପାଇଁ ପାଠପଢ଼ା ଠାରୁ ଆରମ୍ଭ କରି ରୋଗୀସେବା ପର୍ଯ୍ୟନ୍ତ ନାନା ଅସୁବିଧା ଦେଖାଦେଉଛି । ବିଶ୍ୱ ଆଜି ୫ଜିରେ ପାଦ ଦେଇଥିବା ବେଳେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ଏବେ ବି ୨ଜି ସେବାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ସମସ୍ୟା ଦେଖାଦେଇଛି କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଠାରୁ ୯କିମି ଦୂର ରଟିଙ୍ଗିଆ ପଞ୍ଚାୟତରେ ।
ଏଠାରେ ଟାୱାର ଅଛି ସତ; କିନ୍ତୁ ସେବା ଯୋଗାଇପାରୁନି । ଅଞ୍ଚଳରେ କେବଳ ବିଏସଏନଏଲ ୨ଜି ନେଟୱର୍କରେ ହିଁ କାମ ଚାଲିଛି । ତାହା ପୁଣି କେବଳ ବିଦୁ୍ୟତ୍ ସଂଯୋଗ ଉପରେ । ଆଉ ବିଦୁ୍ୟତ୍ ବିଚ୍ଛିନ୍ନ ହେଲେ ଟାୱାର୍ କାର୍ଯ୍ୟକ୍ଷମ ହେବାକୁ ନା ଅଛି ଜେନେରେଟର୍ ନା ଅନ୍ୟ କୌଣସି ସୋର୍ସ । ଅଞ୍ଚଳରେ ଦିନକୁ ୬ ରୁ ୭ ଘଣ୍ଟା ବିଦୁ୍ୟତ ରହୁଥିବା ଯୋଗୁ ନେଟୱର୍କ ନେଇ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଗାଁରେ ଥିବା ସରକାରୀ ୫-ଟି ପଞ୍ଚାୟତ ହାଇସ୍କୁଲ୍ରେ ୪ଜି ନେଟୱର୍କ ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଥିବା କମ୍ପୁ୍ୟଟର୍ ବି ବ୍ୟବହାର ଉପଯୋଗୀ ହୋଇପାରୁନି । ଏଠାରେ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ରୁ ୪ ହଜାର ଲୋକ ମୋବାଇଲ ବ୍ୟବହାର କରୁଥିବା ଅନୁମାନ କରାଯାଉଛି । ସରକାର ସମସ୍ତ କାର୍ଯ୍ୟ ଡିଜିଟାଲ ମାଧ୍ୟମରେ କରିବାକୁ ସୂଚନା ଦେଉଥିବା ବେଳେ ଏଠି ତାର ବିପରୀତ ଫଳ । ସେହିପରି ଘୁ.ଉଦୟଗିରି ଠାରୁ ଗ୍ରାମ ଗୁଡ଼ିକ କମ୍ ଦୂରତା ହେଉଥିଲେ ସୁଦ୍ଧା କୌଣସି ମୋବାଇଲ ନେଟୱର୍କ ପାଉନାହିଁ । ବିଦୁ୍ୟତ୍ ଗଲେ ତଥା ଇଣ୍ଟର୍ନେଟ୍ ଫେଲ୍ ଯୋଗୁ ହସ୍ପିଟାଲରେ ରୋଗୀସେବା ବି ଏକ ରକମର ଠପ୍ ହୋଇ ଯାଉଛି । ସରକାରୀସ୍ତରରେ ଅଞ୍ଚଳ ପାଇଁ ୪ଜି ନେଟୱର୍କ ଟାୱାର ବ୍ୟବସ୍ଥା କରାଗଲେ ଅଞ୍ଚଳବାସୀ ଏହାର ସୁବିଧା ପାଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।