ନିର୍ମାଣ ହେଲାନି ଲୁହାରବାଡ଼ ପ୍ରକଳ୍ପ

ଭିତ୍ତିପ୍ରସ୍ତରକୁ ବିତିଲା ୩୨ ବର୍ଷ
ତିହିଡ଼ି (ଆପ୍ର): ହଜାର ହଜାର ଚାଷୀଙ୍କୁ ବନ୍ୟା ଓ ମରୁଡ଼ି ଦାଉରୁ ସୁରକ୍ଷା ଦେବା ପାଇଁ ଦୀର୍ଘ ୩୨ ବର୍ଷ ତଳେ ଲୁହାରବାଡ଼ ଜଳଭଣ୍ଡାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ତେବେ ଚାଷୀଙ୍କର ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ । ତିହିଡ଼ି ବ୍ଲକ୍ ଅଧୀନ ବାମନବିନ୍ଧା ପଞ୍ଚାୟତର ସନ୍ତାନ ତଥା ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସ୍ୱର୍ଗତଃ ବୈରାଗୀ ଚରଣ ଜେନା ସ୍ଥାନୀୟ ଚାଷୀଙ୍କ ସମସ୍ୟାକୁ ଉପଲବ୍ଧି କରି ଏହି ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତାଙ୍କ ଅନୁରୋଧ କ୍ରମେ ତକ୍ରାଳୀନ ଜଳସେଚନ ମନ୍ତ୍ରୀ ବିଜୟ ମହାପାତ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
କାନପୁରା ଘୋଷରାର ଲୁହାରବାଡ଼ ପୋଲଟି ଲମ୍ବି ଯାଇଥିବା ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଦୁଇ ପାଶ୍ୱର୍ରେ ଅବସ୍ଥିତ । ଏହି ସ୍ୱପ୍ନର ଜଳଭଣ୍ଡାରଟି ନିଜର ଶ୍ରୀହୀନ କାୟା ମେଲାଇ ସେହିଦିନଠୁ ପଡ଼ିରହିଛି । ଏହି ପ୍ରକଳ୍ପ ନିର୍ମାଣ ହେବ ବୋଲି ଶୁଣାଯାଉଥିବା ବେଳେ ଏହାର ବାସ୍ତବ ରୂପାୟନ ହୋଇପାରୁନାହିଁ । ଏହାର ଗୋଟିଏ କିଲୋ ମିଟର ଆଗକୁ ମଇଁଷୀଗୋଠ କେନାଲ ଅଛି ଯାହା ମନ୍ତେଇକୁ ସଂଯୋଗ କରୁଛି । ଏଠାରେ ଏକ ସ୍ଲୁଇସ ଗେଟ୍ର ଅଧପନ୍ତରିଆ ଦରଭଙ୍ଗା ସିମେଣ୍ଟ ପିଣ୍ଡି ରହିଛି । ବିଜୁ ବାବୁଙ୍କ ସରକାର ଗଲା ପରେ କଂଗ୍ରେସ ଶାସନକୁ ଆସିଲା । ସେତେବେଳର ଜଳସେଚନ ବିଶ୍ୱାଳ ବସନ୍ତ ବିଶ୍ୱାଳଙ୍କୁ ମଧ୍ୟ ହଜାର ହଜାର ଚାଷୀ ଏହି ପ୍ରକଳ୍ପର ନିର୍ମାଣ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ ବି କିଛି ହୋଇପାରିଲା ନାହିଁ ।
ପୁଣି ୨୦୦୯ରେ ଚାନ୍ଦବାଲିର ବିଧାୟକ ବିଜୟ ନାୟକ ଜିତି ଆସିଥିଲେ । ସେ ମଧ୍ୟ ଉଦ୍ୟମ କରି ସଫଳ ହୋଇପାରିନଥିଲେ । ଦଶମୌଜା କେନାଲକୁ ଲୁହାରବାଡ଼ ଭଣ୍ଡାରେ ସଂଯୋଗ କରିବାର ଯେଉଁ ଯୋଜନା ଥିଲା ତାହା ମଧ୍ୟ ହୋଇପାରିଲା ନାହିଁ । ଚାଷ ପାଇଁ ଚାଷୀ ପାଣି ମୁନ୍ଦାଏ ପାଇପାରୁନାହାନ୍ତି । ଏହି ପ୍ରକଳ୍ପଟି ଯଦି ନିର୍ମାଣ କରାଯାଆନ୍ତା ତେବେ ୬ ରୁ ଊଦ୍ଧ୍ୱର୍ ପଞ୍ଚାୟତର ହଜାର ହଜାର ଚାଷୀ ଉପକୃତ ହୋଇପାରନ୍ତେ । ବାରମାସ ଚାଷୀ ଚାଷ ମଧ୍ୟ କରିପାରନ୍ତେ । ବର୍ତ୍ତମାନର ଯୁବ ବିଧାୟକ ବ୍ୟୋମକେଶ ରାୟ ଯଦି ଏହି ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ନିଅନ୍ତେ ହୁଏତ ଏହା ସାକାର ହୋଇପାରନ୍ତା ଓ ଚାଷୀମାନେ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମତ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *