ବିଜେପି ଠାରୁ ଦରମା ନିଅ, ଆମ ପାଇଁ କାମ କର
ବିଜେପି କର୍ମୀଙ୍କୁ କେଜରିୱାଲ୍ଙ୍କ ପରାମର୍ଶ
ଅହମ୍ମଦାବାଦ (ଏଜେନ୍ସି): ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିôବା ବେଳେ ଆମ୍ ଆଦ୍ମୀ ପାର୍ଟି (ଆପ୍)ଏଠାରେ ଜୋରଦାର ପ୍ରଚାର ଚଳାଇଛି । ଦିନକ ପୂର୍ବେ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିର୍ବାଚନୀ ସଭା କରି ରାଜ୍ୟର କୃଷକ, ମହିଳା, ବେରୋଜାଗାର ଯୁବକ,ଯୁବତୀଙ୍କ ଉଦେ୍ଦଶ୍ୟରେ ବହୁ ବଡ଼ ବଡ଼ ପ୍ରତିଶ୍ରୁତି ଘୋଷଣା କରିବା ଦେଖିବାକୁ ମିଳିଥିଲା । ସେହିପରି ଶନିବାର ଦିନ ମଧ୍ୟ କେଜରିୱାଲ ଏଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି ।
କେଜରିୱାଲ ରାଜ୍ୟବାସୀଙ୍କୁ ଆହ୍ୱାନ କରି କହିଛନ୍ତି ଯେ, ଗୁଜରାଟରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରିଆସିଥିବା ବିଜେପିକୁ ଏବେ ହଟାଇବାର ସମୟ ଆସିଛି । ଗୁଜରାଟକୁ ନିଜ ଗଡ଼ ମଣୁଥିବା ବିଜେପିକୁ ଏବେ ରାଜ୍ୟବାସୀ ଉଚିତ୍ ଶିକ୍ଷା ଦେବା ଉଚିତ୍ । ଦୀର୍ଘ ଶାସନ କାଳରେ ମଧ୍ୟ ଗୁଜରାଟରେ ବିକାଶ ହୋଇପାରିନଥିବାର କାରଣ ବିଜେପିକୁ ପ୍ରଶ୍ନ କରିବା ଉଚିତ୍ । ଆମ୍ ଆଦ୍ମୀ ପାର୍ଟି ଏବେ ଗୁଜରାଟ ନିର୍ବାଚନରେ ପ୍ରବେଶ କରିଥିବାରୁ ବିଜେପି ଏବେ ଭୟଭୀତ ହୋଇପଡିଛି । ଏହାହିଁ ଆପ୍ର ବିଜୟ । ଗୁଜରାଟରେ ସ୍ୱଚ୍ଛ ଶାସନ ଦେବା ଆପ୍ର ମୁଖ୍ୟ ଉଦେ୍ଦଶ୍ୟ । କେଜରିୱାଲ ଏହି ଅବସରରେ କହିଛନ୍ତି ଯେ, ତାଙ୍କ ଦଳ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ସୁରତ୍ର ୧୨ ବିଧାନସଭା ଆସନ ମଧ୍ୟରୁ ଆପ୍ ୭ଟି ଆସନରେ ବିଜୟୀ ହେବ ବୋଲି ସ୍ପଷ୍ଟ ହୋଇଛି । ରାଜ୍ୟର ଅନ୍ୟପ୍ରାନ୍ତଗୁଡ଼ିକରେ ମଧ୍ୟ ଆପ୍କୁ ବିପୁଳ ପରିମାଣରେ ଭୋଟ୍ ଦେଇ ଆପ୍ର ହାତମୁଠାକୁ ଟାଣ କରିବା ପାଇଁ କେଜରିୱାଲ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ।