ଅସ୍ୱାସ୍ଥ୍ୟକର ପରିବେଶରେ ଚାନେ୍ଦାଳ ହାଟ
ଆରଏମ୍ସି ନେଉଛି ଟିକସ , ଦହଗଞ୍ଜ ହେଉଛନ୍ତି ଚାଷୀ
ଡ଼େରାବିଶ (ଆପ୍ର): ଡେରାବିଶ ବ୍ଲକ୍ ଅଧିନସ୍ଥ ଚାନେ୍ଦାଳ ହାଟ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲୁଥିବା ନେଇ ଚାଷୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଏହି ହାଟ ଉପରେ ବ୍ଲକ୍ ଅଧିନସ୍ଥ ୧୫ଟି ପଞ୍ଚାୟତର ଚାଷୀ ଓ ବ୍ୟବସାୟୀମାନେ ସେମାନଙ୍କର ଦ୍ରବ୍ୟ କ୍ରୟ ଓ ବିକ୍ରୟ କରିଥାନ୍ତି । ଲୁଣା ଓ କରାଣ୍ଡିଆ ନଦୀର ଅବବାହିକାରେ ପରିବା ଚାଷ କରୁଥିବା ଚାଷୀମାନଙ୍କର ଉତ୍ପାଦିତ ସାମଗ୍ରୀ ବିକ୍ରୟ ପାଇଁ ଏହି ହାଟ ହେଉଛି ମୁଖ୍ୟ ମାଧ୍ୟମ । ମାତ୍ର ଏଥିପ୍ରତି କାହାରୀ ଯେପରି ନିଘା ନାହିଁ । ଅସରାଏ ବର୍ଷାରେ ଏହି ହାଟର ଅବସ୍ଥା ନ କହିଲେ ଭଲ । ହାଟରୁ ବର୍ଷାପାଣି ନିଷ୍କାସନ ପାଇଁ ହୋଇଥିବା ନାଳିରେ ପାଣି ନିଷ୍କାସନ ପରିବର୍ତେ କେନାଲରୁ ପାଣି ଆସି ହାଟ ଭିତରେ ଜମୁଛି । ଫଳରେ ବ୍ୟବସାୟୀମାନେ ହାଟ ଭିତରେ ବସି ନ ପାରି କଟକ-ଚାନ୍ଦବଲୀ ରାସ୍ତା କଡରେ ନିଜର ବ୍ୟବସାୟ ପସରା ମେଲାଉଛନ୍ତି । ଏଥିଯୋଗୁ ସପ୍ତାହର ବୁଧବାର ଓ ଶନିବାର ବଜାରରେ ଟ୍ରାଫିକ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି । ଆମ୍ବୁଲାନ୍ସ ଟିଏ ବଜାର ଅତିକ୍ରମ କରିବା ପାଇଁ ଅଧଘଣ୍ଟା ସମୟ ଲାଗୁଛି ।
ଅନେକ ସମୟରେ ରାସ୍ତାରେ ଯାତାୟତା କରୁଥିବା ଗାଡିମଟର ଘଣ୍ଟା ଘଣ୍ଟା ଧରି ବଜାର ଉପରେ ରହିବା ଫଳରେ ନାହିଁ ନ ଥିବା ପରିସ୍ଥିତି ଉପୁଯୁଛି । ଏହି ପୁରାତନ ହାଟଟି କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟି ହାତରେ ରହିଛି । ଏହି ହାଟରୁ ମଧ୍ୟ ନିୟନ୍ତ୍ରିତ ବଜାର କମିଟି ହଜାର ହଜାର ଟଙ୍କା ଟିକସ ନେଉଥିଲେ ମଧ୍ୟ ଏହା ପ୍ରତି କେହି ଗୁରୁତ୍ୱ ନଦେବା ଘଟଣା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି । ଅନେକ ସମୟରେ ହାଟ ମଧ୍ୟରେ କୁଢ କୁଢ ଆବର୍ଜନା ଜମା ହୋଇ ରହିଥିଲେ ମଧ୍ୟ ଏହା ସଫା ହେଉନାହିଁ । ଏ ସମ୍ପର୍କରେ କେନ୍ଦ୍ରାପଡା ଆରଏମ୍ସି କତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ଖୁବଶିଘ୍ର ହାଟର ଉନ୍ନତିକରଣ ହେବ ବୋଲି କହୁଥିବା ବେଳେ, ବାସ୍ତବରେ କେବେ ଚାଷୀମାନେ ଉପକୃତ ହେବେ ତାହା ସମୟ ହିଁ କହିବ ବୋଲି ବଜାରର ପ୍ରମୁଖ ବ୍ୟବସାୟୀ ନିଶାମଣୀ ବେହେରା ପ୍ରକାଶ କରିଛନ୍ତି ।