ଗାଙ୍ଗପୁରରେ ଐତିହାସିକ ନଳଯାତ୍ରା
ଗାଙ୍ଗପୁର(ଆପ୍ର): ପାରମ୍ପରିକ ତଥା ଐତିହାସିକ ପର୍ବ ନଳଯାତ୍ରାକୁ ନେଇ ଘୁମୁସର ଅଞ୍ଚଳର ଗାଙ୍ଗପୁର, ବୋରି, ପାଲକଷଣ୍ଢା ଏବଂ ନିମିନା ଗାଁ ଚଳଚଞ୍ଚଳ ହୋଇଉଠିଛି । ଚଳିତ ବର୍ଷ ବୋରି, ପାଲକଷଣ୍ଢା ଏବଂ ନିମିନାରେ ପୂର୍ବରୁ ଏହି ନଳଯାତ୍ରା ଅନୁଷ୍ଠିତ ହୋଇଯାଇଥିବା ବେଳେ ଶନିବାର ଗାଙ୍ଗପୁରରେ ଅନୁଷ୍ଠିତ ହୋଇଛି ।
ପରମ୍ପରା ମୁତାବକ ଜଙ୍ଗଲରୁ ୧୨ଫୁଟ ଉଚ୍ଚତାର ୩ଟି ବାଉଁଶ ଆଣି ଗାଁ ମଣ୍ଡପରେ ସେଗୁଡିକୁ ଗଙ୍ଗା ଜଳରେ ଶୋଧନ କରାଯିବା ସହ ନଳଗୁଡିକୁ ଗାଁର ଆରାଧ୍ୟା କନ୍ଧୁଣୀଦେବୀ, ମା’ ରତ୍ନେଇ ଏବଂ ମା’ କାଳୀ ରୂପରେ ରଙ୍ଗବେରଙ୍ଗ କପଡା ଏବଂ ଫୁଲରେ ସଜାଇ ଦିଆଯାଇଥିଲା । ପରେ ଗାଁ ସାରା ଗଙ୍ଗା ଜଳ ସିଞ୍ଚନ କରାଯାଇ ମଣ୍ଡପ ନିକଟରେ ହୋମ କରାଯିବା ପରେ ଗାଁର ଦେବ ଗୌଡଙ୍କ ଘରୁ ଦେବୀଙ୍କୁ ଆବାହନ କରାଯାଇଥିଲା । ବିଶ୍ୱାସ ଅଛି ଦେବ ଗୌଡଙ୍କ ଗୃହରେ ଏକ ଦଣ୍ଡ ମଧ୍ୟରେ ଦେବୀ ଅବସ୍ଥାନ କରିଥାନ୍ତି । ଆବାହନ ସମୟରେ ଏହି ଦଣ୍ଡଟି ପୂଜକ ହାତକୁ ଆପେ ଆପେ ଡେଇଁ ଚାଲିଆସେ । ଦେବୀଙ୍କ ଆବାହନ ପରେ ସକାଳୁ ଲଟେରୀ ମାଧ୍ୟମରେ ମନୋନୀତ ହୋଇଥିବା ଗାଁର ବାଲ୍ମୀକି ବିଷୋୟୀ, ପ୍ରସନ୍ନ ବିଷୋୟୀ ଏବଂ ମିଥୁନ୍ ବିଷୋୟୀ ତିନି ଦେବୀ ରୂପୀ ନଳ ଗୁଡିକୁ ଧାରଣ କରି ଜଙ୍ଗଲରେ ଥିବା ରତ୍ନେଇ ଏବଂ କନ୍ଧୁଣୀ ଦେବୀ ପୀଠ ଅଭିମୁଖେ ଯାଇଥିଲେ ।
ବିଧିମୁତାବକ ପୂଜା ସରିବା ପରେ ତିନିଦେବୀ ବାଦ୍ୟ ବାଜଣା ସହ ଗାଁକୁ ଫେରି ପ୍ରତି ଘର ଆଗରେ ଭୋଗ ଗ୍ରହଣ କରିଥିଲେ । ଏହି ପର୍ବରେ ଗ୍ରାମର କୃଷି, ପଶୁ ସମ୍ପଦ ଏବଂ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥାଏ । ବିଭିନ୍ନ ଗ୍ରାମରୁ ହଜାର ହଜାର ଲୋକ ଏହି ପର୍ବରେ ସାମିଲ୍ ହୋଇଥିବା ବେଳେ କର୍ତ୍ତା ଭାବେ ସନ୍ତୋଷ ବିଷୋୟୀ ଏବଂ ପୁରୋହିତ ଭାବେ ହରିହର ତ୍ରିପାଠୀ, ଅଶୋକ ରଥ, ବସନ୍ତ ପୁରୋହିତ କାର୍ଯ୍ୟ ତୁଲାଇଥିଲେ । ଗାଙ୍ଗପୁର ଭଣ୍ଡାରି, ଜାନୀ, ଶିବ ମନ୍ଦିର ପୂଜକ, ଗ୍ରାମ୍ୟ ପରିଚାଳନା କମିଟି, ଶିଶୁ ସଂକୀର୍ତ୍ତନମଣ୍ଡଳୀ, ଗ୍ରାମବାସୀ ଏବଂ ଯୁବକ ସଂଘ ସହଯୋଗ କରିଥିଲେ ।