ଚାଷୀଙ୍କ ଉନ୍ନତିଧାରା ହେବ ବଳିଷ୍ଠ
୨୦୨୪ ସୁଦ୍ଧା କାର୍ଯ୍ୟକାରୀ ହେବ ୧୫ ପ୍ରମୁଖ ସେଚ ପ୍ରକଳ୍ପ
ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ ଗଙ୍ଗାଧର ମେହେର ଉଠା ଜଳସେଚନ ଓ ଲୋୟର ସୁକତେଲ ସ୍ଲିପ୍ୱେ ପ୍ରକଳ୍ପ
କାନପୁର ପ୍ରକଳ୍ପ, ଆନନ୍ଦପୁର ବ୍ୟାରେଜ ବି କାର୍ଯ୍ୟକ୍ଷମ ହେବ
ଭୁବନେଶ୍ୱର, ୨ା୯ (ବୁ୍ୟରୋ): ପ୍ରତ୍ୟେକ ଚାଷ ଜମିକୁ ଜଳସେଚନକୁ ସୁନିଶ୍ଚିତ କରାଯିବ । ଚାଷୀଙ୍କ ଉନ୍ନତିଧାରାକୁ ଆହୁରି ବଳିଷ୍ଠ କରିବା ପାଇଁ ରାଜ୍ୟରେ “ମଙ୍ଗାଧର ମେହେର ଉଠା ଜଳସେଚନ’, “ଲୋୟର ସୁକତେଲ ସ୍ଲିପ ୱେ’ ପରି ଅନେକ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଆସନ୍ତା ୨୦୨୪ ସୁଦ୍ଧା ରାଜ୍ୟରେ ନିର୍ମାଣଧୀନ ଥିବା ୧୫ ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟୁଇଟ୍ ଯୋଗେ ଏହି ସୂଚନା ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ ଚାଷ କ୍ଷେତରେ ଜଳ ସେଚନ ହେବ ଓ ରାଜ୍ୟର ଚାଷୀ ହସିବ । କେବଳ ବର୍ଷା ଉପରେ ଆଉ ରାଜ୍ୟ ଚାଷୀକୁ ନିର୍ଭର ହେବାକୁ ପଡ଼ିବ ନାହିଁ । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ବରଗଡ଼ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ୩୧ ହଜାରରୁ ଊର୍ଦ୍ଧ୍ୱ ଜମି ଜଳସେଚିତ ହେବ ।
ଆସନ୍ତା ମାର୍ଚ୍ଚ ମାସରୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ରଖାଯାଇଥିବାବେଳେ ଅନୁରୂପ ଭାବରେ ପଶ୍ଚିମ ଓଡ଼ିଶାର ଅନ୍ୟତମ ବୃହତ ଓ ମହତ୍ୱାକାଂକ୍ଷୀ ଲୋୟର ସୁକତେଲ ସ୍ଲିପ୍ ୱେ କାମ ମଧ୍ୟ ଆଉ ମାସେ ୨ ମାସ ମଧ୍ୟରେ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଫଳରେ ବଲାଙ୍ଗିର ଜିଲ୍ଲାର ଏହି ବହୁମୁଖୀ ପ୍ରକଳ୍ପ ଜଳସେଚନ, ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି ।
ରାଜ୍ୟରେ ଜାରି ରହିଥିବା ବିଭିନ୍ନ ବୃହତ ଜଳସେଚନ ପ୍ରକଳ୍ପ ଯେପରି ନିର୍ଦ୍ଧାରିତ ସମୟରେ ଶେଷ ହେବ ସେନେଇ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତ ଏପ୍ରିଲ ମାସରେ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହେବା ସହ ଆସନ୍ତା ୨୦୨୪ ସୁଦ୍ଧା ରାଜ୍ୟର ୧୫ ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା । ଏବେ ଆସନ୍ତା ୨୦୨୩ ମସିହା ଜୁନ୍ ମାସ ସୁଦ୍ଧା ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି । ପୂର୍ବ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲୁଥିବାବେଳେ ଆସନ୍ତା ଖରିଫ୍ରେ କୃଷକମାନେ ଚାଷଜମିକୁ ପାଣି ପାଇବେ । କେବଳ ଗଙ୍ଗାଧର ମେହେର ପ୍ରକଳ୍ପ ନୁହେଁ ଏହାସହ ଲୋୟର ସୁକତେଲ, କାନପୁର ଜଳସେଚନ ପ୍ରକଳ୍ପ, ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ସହ ଅନ୍ୟାନ୍ୟ କେତେକ ପ୍ରକଳ୍ପ ଶେଷ କରିବାକୁ ସରକାରୀସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି ।