ଡେକ୍ଚିରେ ଭରାନଈ ପାର ହେଲେ ପ୍ରସୂତି
କନ୍ଧମାଳରେ ଜନନୀ ଯନ୍ତ୍ରଣା
ଫୁଲବାଣୀ (ବୁରୋ): ବିପଦପୂର୍ଣ୍ଣ ଭାବେ ଭରା ନଈକୁ ଡେକଚିରେ ପାରି ହୋଇ ହସ୍ପିଟାଲ ଗଲେ ପ୍ରସୂତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବାଘ ନଦୀ ଉପରେ ପୋଲ ନ ଥିବାରୁ ୯ ମାସର ଗର୍ଭବତୀ ଝୁନୁଙ୍କୁ ବଡ଼ ବଡ଼ ତେକଚିରେ ବସାଇ ସଂପର୍କୀୟମାନେ ପାର କରି କଟ୍ରିଙ୍ଗିଆ ମା’ ଘର ପର୍ଯ୍ୟନ୍ତ ନେଇଛନ୍ତି । ସେଠାରୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଛି ।
ସଲାଗୁଡ଼ା ପଞ୍ଚାୟତ ମୁଖ୍ୟାଳୟଠାରୁ ଡୁମୁରିଗାଟା ଗାଁ ପ୍ରାୟ ୧୦କିମି । ଗାଁକୁ ଯିବାକୁ ହେଲେ ବାଘ ନଈ ପାର ହେବାକୁ ପଡେ । ନଈରେ ପୋଲି ନ ଥିବାରୁ ବର୍ଷାହେଲେ ପାଣି ପଶି ଜୀବନକୁ ପାଣି ଛଡ଼ାଇ ଯିବାକୁ ହୋଇଥାଏ । କେବଳ ଡୁମୁରିଗାଟା ନୁହେଁ ଅନେକ ଗାଁ ମୌଳିକ ସୁବିଧାରୁ ବଞ୍ଚିତ । ରାସ୍ତା, ପାନୀୟ ଜଳ ଏବଂ ବିଦ୍ୟୁତ୍ ସଂଯୋଗ ସ୍ୱପ୍ନ ହୋଇଛି । ୩ କିଲୋମିଟର ଦୂରରେ ବଦାପାଳୁ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଅଛି । ସେଠାକୁ ମଧ୍ୟ ବାଘ ନଦୀ ଡେଇଁ ଯିବାକୁ ପଡ଼େ । ସଲାଗୁଡ଼ା ପଞ୍ଚାୟତର ଅଧିକାଂଶ ଗ୍ରାମରେ ସମାନ ଅବସ୍ଥା । ପ୍ରଶାସନ ସମସ୍ୟାପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।