ଆପ୍କୁ ଭୋଟ୍ ଦିଅ, ୨ଲକ୍ଷ ପର୍ଯ୍ୟନ୍ତ କୃଷିଋଣ ଛାଡ଼ ପାଅ
ଗୁଜରାଟରେ କେଜରିୱାଲଙ୍କ ନିର୍ବାଚନୀ ପ୍ରତିଶ୍ରୁତି
ଅହମଦାବାଦ (ଏଜେନ୍ସି): ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆଜି ପର୍ଯ୍ୟନ୍ତ ଗୁଜରାଟ ବିଜେପିର ଗଡ଼ ଭାବେ ରହିଆସିଥିବା ବେଳେ ଏଥର କିନ୍ତୁ ପରିସ୍ଥିତି ଭିନ୍ନ ରହିଛି । ଆସନ୍ତା ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଜବରଦସ୍ତ ଏଣ୍ଟ୍ରି ହୋଇଛି । ଏହାକୁ ନେଇ ବିଜେପି ଶିବିରରେ ମଧ୍ୟ କେତେକାଂଶରେ ସଂଶୟ ସୃଷ୍ଟି ହୋଇଛି । ଏସବୁ ମଧ୍ୟରେ ଆପ୍ ପକ୍ଷରୁ ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟ ଦିଆଯିବା ଆରମ୍ଭ ହୋଇଯାଇଛି ।
ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ବେଳେ ପ୍ରଥମ ଦିନରେ ଦ୍ୱାରକା ସହରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ବଡ଼ ବଡ଼ ନିର୍ବାଚନୀ ଘୋଷଣା କରିବା ଦେଖିବାକୁ ମିଳିଛି । କେଜରିୱାଲ ପ୍ରଥମ ପ୍ରତିଶ୍ରୁତି ରାଜ୍ୟର କୃଷକଙ୍କ ଉଦେ୍ଦଶ୍ୟରେ କରିଛନ୍ତି । ତାଙ୍କ ଦଳ ଆପ୍କୁ ଭୋଟ୍ ଦେଇ କ୍ଷମତାସୀନ କରାଇଲେ ରାଜ୍ୟର ପ୍ରତ୍ୟେକ କୃଷକଙ୍କ କୃଷି ଋଣ ଉପରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯିବ ବୋଲି କେଜରିୱାଲ କହିଛନ୍ତି । ସେହିପରି ରାଜ୍ୟର ବେରୋଜଗାର ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇ ପ୍ରତ୍ୟେକ ଯୁବକ/ଯୁବତୀଙ୍କୁ ରୋଜଗାର ଦେବାର ଗ୍ୟାରେଣ୍ଟି ମଧ୍ୟ ସେ ଦେଇଛନ୍ତି । ତାଙ୍କ ସରକାର କ୍ଷମତାକୁ ଆସିଲେ ରାଜ୍ୟରେ ବାର୍ଷିକ ୧ଠଲକ୍ଷ ସରକାରୀ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଯେପର୍ଯ୍ୟନ୍ତ ନିଯୁକ୍ତି ନମିଳିଛି ସେପର୍ଯ୍ୟନ୍ତ ଯୁବଗୋଷ୍ଠୀଙ୍କୁ ମାସିକ ୩ହଜାର ଟଙ୍କାର ବେରୋଜଗାର ଭତ୍ତା ଦେବେ ବୋଲି ମଧ୍ୟ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏତଦ୍ବ୍ୟତୀତ ୩ଠଠ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ଉନ୍ନତମାନର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସେବା ଭଳି ତାଙ୍କ ସରକାର ଦିଲ୍ଲୀବାସୀଙ୍କୁ ଦେଉଥିବା ସମସ୍ତ ସୁବିଧା ସୁଯୋଗ ଗୁଜରାଟରେ ମଧ୍ୟ ଲାଗୁ କରିବାକୁ କେଜରିୱାଲ ଘୋଷଣା କରିଛନ୍ତି । ଏହି ଅବସରରେ ଦୈନିକ ୧୨ ଘଣ୍ଟାର ମାଗଣା ବିଜୁଳି, ରାଜ୍ୟବାସୀଙ୍କ ବକେୟା ବିଜୁଳି ବିଲ୍ ଛାଡ, ଏମ୍ଏସ୍ପି ଆଧାରରେ କୃଷିଜାତ ସାମଗ୍ରୀର କ୍ରୟ, ଫସଲ କ୍ଷତି ସ୍ଥଳେ ଏକର ପିଛା ୨ଠହଜାର ଟଙ୍କା କ୍ଷତିପୂରଣ, ନର୍ମଦା ଡ୍ୟାମ୍ର ପୁନରୁଦ୍ଧାର ଏବଂ ମହିଳାଙ୍କୁ ମାସିକ ୧ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବାକୁ କେଜରିୱାଲ ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରକାଶ, ଚଳିତ ବର୍ଷ ଶେଷ ଭାରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ସଭାସମିତି ମଧ୍ୟ ଆୟୋଜନ କରାଯାଉଛି । ଗୁଜରାଟକୁ ବିଭିନ୍ନ ଦଳର ତୁଙ୍ଗନେତାଙ୍କ ଗସ୍ତ ମଧ୍ୟ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆପ୍ ପ୍ରମୁଖ କେଜରିୱାଲ ମଧ୍ୟ ଦୁଇ ଦିନିଆ ଗୁଜରାଟ ଗସ୍ତ କରିଛନ୍ତି ।