ସାଂସଦ ପ୍ରତିନିଧିଙ୍କ ନାଁରେ ମାଓ ପୋଷ୍ଟର୍
କୋଟଗଡ଼ (ଆପ୍ର): କୋଟଗଡ଼ ଥାନା ଜାମଝୋର ରାସ୍ତା କଡ଼ରେ ଲାଗିଲା ମାଓ ପୋଷ୍ଟର । ମାତ୍ର ମାସେ ବ୍ୟବଧାନରେ ପୁଣି ମାଓ ପୋଷ୍ଟର୍ ଲାଗିବାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଏହି ପୋଷ୍ଟରରେ କୋଟଗଡ଼ ସାଂସଦ ପ୍ରତିନିଧିଙ୍କ ନାମରେ ବହୁ ସଙ୍ଗୀନ ଅଭିଯୋଗ ଭରା ଦୁଇଟି ହାତ ଲେଖା ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ସାଂସଦ ପ୍ରତିନିଧି ଧର୍ମ ନାମରେ ଲୋକଙ୍କୁ ବିଭାଜନ କରୁଛି । ପାଳକମାନଙ୍କୁ ଏକତ୍ରିତ କରି ବିଭ୍ରାନ୍ତ କରୁଛି, ପୂର୍ବତନ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ କୋଷାଧ୍ୟକ୍ଷ ଛବି ବାବୁଙ୍କ ସହ ମିଶି ଗରିବ ଲୋକଙ୍କ ଜଙ୍ଗଲ ଜମି ଓ ସରକାରଙ୍କ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି, କଲେଜର ଟଙ୍କା ଖାଇଥିବା ଓ ଯୋଗୀରାଜକୁ ଧମକ ଦେବା ଉଲ୍ଲେଖ ରହିଛି । ସେ କୋଟି କୋଟି ଟଙ୍କା ଆଣୁଛି ପୁଲିସ ସହ ହାତ ମିଶାଇ ନିଜ ନାମରେ ମାଓ ପୋଷ୍ଟର ମାରୁଛି । ଏଥିପାଇଁ ଭିଜିଲାନ୍ସ ଦଣ୍ଡ ଦଉ ନଚେତ ଆମେ ଏହାର ପର୍ଦ୍ଦାଫାସ କରି ବସନ୍ତ ଭାଟ ପରି ହତ୍ୟା କରିବୁ ବୋଲି ପୋଷ୍ଟର୍ରେ ଉଲ୍ଲେଖ ରହିଛି ।
ସେହିପରି କୋଟଗଡ଼ ଆରଆଇ ଓ ତହସିଲଦାରଙ୍କୁ ହାତରେ ରଖି ଶହ ଶହ ଏକର ଜଙ୍ଗଲ ଜମିକୁ ନିଜ ଓ ପରିବାର ଲୋକଙ୍କ ନାମରେ କରିବା ଓ ଗରିବଙ୍କ ଜମି ଓ ଘରକୁ ଅକ୍ତିଆର କରିବା, ସରକାର ତାଙ୍କୁ ସହଯୋଗ କରୁଛି ତେଣୁ ତାକୁ ଭିଜିଲାନ୍ସ ଧରୁନଥିବାରୁ ଆମେ ମାଓବାଦୀ ସଂଗଠନ ଓଡ଼ିଶା ଡିଭିଜନ୍ ଏହାର ବିରୋଧ କରୁଛୁ । ବ୍ଲକ କୋଷାଧ୍ୟକ୍ଷ ଛବିଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିବା ପୋଷ୍ଟର୍ରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । କିଛି ଅର୍ଥ ଲୋଭରେ ଦୁର୍ନୀତି କୁ ଘଣ୍ଟ ଘୋଡାଥିବା ସାମ୍ବାଦିକଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି ।
ଏହି ସବୁ ସିପିଆଇ ମାଓବାଦୀ ବାଘୁନା ଡିଭିଜନ୍ କମିଟି, ଓଡିଶା ପୋଷ୍ଟର ଲଗାଇଥିବା ଜଣାପଡ଼ିଛି । ଏହି ପୋଷ୍ଟର ଘଟଣାକୁ ନେଇ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳି ଯାଇଥିବା ବେଳେ ପୁଲିସ ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।