ଶୋଭା ବଢ଼ାଇବ ରିଂ ରୋଡ୍
ଭୁବନେଶ୍ୱର (ବୁ୍ୟରୋ): ରାଜଧାନୀର ଶୋଭା ବଢ଼ାଇବ ରିଂ ରୋଡ୍ । ଖୁବଶୀଘ୍ର ଏହାର ନିର୍ମାଣ ଆରମ୍ଭ ହେବ । ଜମି ଅଧିଗ୍ରହଣ ଜନିତ ସମସ୍ୟା ପ୍ରକଳ୍ପ ପାଇଁ ବାଧକ ସାଜିଥିଲା । ହେଲେ ସମସ୍ୟାର ସମାଧାନ ସହ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଣ୍ଟାଭିଡ଼ିଛି । ୬୫ କିମି ଦୂରତା ବିଶିଷ୍ଟ ଏହି ରିଂ ରୋଡ ନିର୍ମାଣ ହେଲେ ରାଜଧାନୀର ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ହ୍ରାସ ପାଇବ । ଏହା ବିଡିଏର ଡ୍ରିମ୍ ପ୍ରୋଜେକ୍ଟ ହୋଇଥିବାବେଳେ ଏହାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଡିଏ ଉପାଧ୍ୟକ୍ଷ ଆଇଏଏସ୍ ସଞ୍ଜୟ ସିଂହ କହିଛନ୍ତି ।
ଦିନକୁ ଦିନ ଭୁବନେଶ୍ୱରର କଳେବର ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଯାନବାହାନ ଚଳାଚଳ ମଧ୍ୟ ବଢୁଛି । ଫଳରେ ଭୁବନେଶ୍ୱରରେ ଗୁରୁତର ଟ୍ରାଫିକ୍ ସମସ୍ୟା ସହ ଦୁର୍ଘଟଣା ମଧ୍ୟ ନଜରକୁ ଆସୁଛି । ଏହାର ସ୍ଥାୟୀ ସମାଧାନ ପାଇଁ ବିଡିଏ କର୍ତ୍ତୃପକ୍ଷଙ୍କ ଦ୍ୱାରା ରିଂ ରୋଡ ଭଳି ଏକ ଡ୍ରିମ୍ ପ୍ରୋଜେକ୍ଟ ହାତକୁ ନିଆଯାଇଛି । ସହର ବାହାରେ ୬୪.୯ କିମି ଦୈର୍ଘ୍ୟର ରିଂ ରୋଡ ନିର୍ମାଣ ହେବ । ଏହାକୁ କାର୍ଯ୍ୟକାରୀ କରିବା ମଧ୍ୟରେ ୮ ସ୍ଥାନରେ ଟାଉନ୍ ପ୍ଲାନିଂ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହା ହେଲେ ରିଂ ରୋଡ ନିର୍ମାଣ ପାଇଁ ପ୍ରକ୍ରିୟା ସହଜ ହେବ । ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସହ ଜମି ଅଧିଗ୍ରହଣକୁ ନେଇ ପୂର୍ବରୁ ଥିବା ପ୍ରତିବନ୍ଧକ ଦୂର ହୋଇଛି । ରିଂ ରୋଡ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଶେଷ କରାଯିବ ବୋଲି ଉପାଧ୍ୟକ୍ଷ ଶ୍ରୀ ସିଂହ କହିଛନ୍ତି । କଟକ-ପୁରୀ ବାଇପାସ ପରେ ଏବେ ରିଂ ରୋଡ ନିର୍ମାଣ ହେଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଛି ।