ରାଜଧାନୀରେ ଡେଙ୍ଗୁ ଆତଙ୍କ

ଦିନକରେ ୩ଠ ଆକ୍ରାନ୍ତ, ସଂଖ୍ୟା ୧୩ଠଠ ଛୁଇଁବ
ଭୁବନେଶ୍ୱର (ବୁ୍ୟରୋ): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ ବଢ଼ିବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ ଡେଙ୍ଗୁ ତାର କାୟାବିସ୍ତାର କରି ଚାଲିଥିବାବେଳେ ଘରେ ଘରେ ଜର ମାଡିଗଲାଣି । କୋଭିଡ ଭଳି ଡେଙ୍ଗୁରେ ମଧ୍ୟ ରାଜଧାନୀ ଭୁବନେଶ୍ୱର ହଟସ୍ପଟ ପାଲଟିଛି । ଅଗଷ୍ଟ ଶେଷ ସୁଦ୍ଧା ଖୋର୍ଦ୍ଧାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୮ ଥିବାବେଳେ ସେପ୍ଟେମ୍ବର ୨ ସୁଦ୍ଧା ଏହା ୧୨୭୭କୁ ବୃଦ୍ଧିପାଇଛି । ଖାଲି ଭୁବନେଶ୍ୱରରୁ ୧୨୧୯ ଜଣ ଆକ୍ରାନ୍ତ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ତଥ୍ୟରୁ ପ୍ରକାଶ ପାଇଛି । ଦିନକରେ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୂଆ ଚିହ୍ନଟ ରୋଗୀଙ୍କ ମଧ୍ୟରୁ ୨୮ ଜଣ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ରୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗ୍ରାମାଞ୍ଚଳର ।
ତେବେ ଅଗଷ୍ଟ ମାସରେ କେବଳ ୫ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ବର୍ଷା ଋତୁ ଜାରି ଥିବାବେଳେ ମଶା ବଂଶ ବୃଦ୍ଧି ହେବା ସ୍ୱାଭାବିକ୍, ତେଣୁ ଏଥିପ୍ରତି ଧ୍ୟାନ ଦେବା ପାଇଁ ବିଭାଗୀୟ ପରାମର୍ଶ ପ୍ରକାଶ ପାଇଛି ।ସବୁଠାରୁ ବଡ଼ କଥା ଓ ଚିନ୍ତାର ବିଷୟ ପାଲଟିଛି ସାଲିଆସାହି । ଭୁବନେଶ୍ୱରର ଶୈଳଶ୍ରୀବିହାର, ନିଳାଦ୍ରୀବିହାର, ଡମଣା ଓ ପଟିଆ ପରେ ଏବେ ସାଲିଆସାହିରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଉଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାଲିଆସାହିରୁ ଏଯାବତ୍ ମୋଟ ୫୩ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି । ଏଲିଜା ଟେଷ୍ଟିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଏମ୍ସି ପକ୍ଷରୁ ଉଭୟ ବୁସ୍ କଟିଂ ଓ ଫଗିଂ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *