ନୌସେନାରେ ବିକ୍ରାନ୍ତ
କୋଚି, ୨ା୯: ସ୍ୱଦେଶୀ ଜ୍ଞାନକୌଶଳରେ, ୨୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଭାରତର ପ୍ରଥମ ବିମାନବାହକ ଯୁଦ୍ଧପୋତ ଆଇଏନ୍ଏସ୍ ବିକ୍ରାନ୍ତକୁ ଶୁକ୍ରବାର ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରାଯାଇଛି । ବର୍ଷେ କାଳ ସାମୁଦ୍ରିକ ପରୀକ୍ଷଣ ପରେ କୋଚୀସ୍ଥିତ କୋଚିନ ସିପ୍ୟାର୍ଡ ପରିସରରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନୌସେନାକୁ ହସ୍ତାନ୍ତର କରିଛନ୍ତି । ଫଳରେ ନୌସେନାର ବିମାନବାହାକ ଯୁଦ୍ଧପୋତ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଲା । ଅନ୍ୟ ଯୁଦ୍ଧପୋତର ନାମ ଆଇଏନ୍ଏସ୍ ବିକ୍ରମାଦିତ୍ୟ ।
ନୌସେନାର ଉପମୁଖ୍ୟ ଭାଇସ୍ ଆଡମିରାଲ୍ ଏସ୍ଏନ୍ ଘୋରମାଡ଼େ କହିଛନ୍ତି, ଆଇଏନ୍ଏସ୍ ବିକ୍ରାନ୍ତ ଆସିବା ଫଳରେ ଭାରତ-ପ୍ରଶାନ୍ତ ଓ ଭାରତ ମହାସାଗରରେ ଶାନ୍ତି ଓ ସ୍ଥିରତା ବଢ଼ିବ । ଆଇଏନ୍ଏସ୍ ବିକ୍ରାନ୍ତରେ ଏୟାରକ୍ରାଫ୍ଟ ଲ୍ୟାଣ୍ଡିଂ ଟ୍ରାଏଲ୍ ନଭେମ୍ବରରେ ଆରମ୍ଭ ହୋଇ ୨୦୨୩ ମଧ୍ୟଭାଗ ସୁଦ୍ଧା ପୂର୍ଣ୍ଣାଙ୍ଗ ହେବ । ଚୀନ୍ ଗତ ୧୦ ବର୍ଷ ଭିତରେ ୩ଟି ବିମାନବାହକ ଯୁଦ୍ଧପୋତ ନିର୍ମାଣ କରିଛି । ଚୀନ୍କୁ ଭାରତ ମହାସାଗରରେ ଜବାବ୍ ଦେବା ପାଇଁ ଭାରତ ପାଖରେ ଏବେ ୨ଟି ଏୟାର୍କ୍ରାପ୍ଟ କ୍ୟାରିୟର ହେଲା । ପାକିସ୍ତାନ ପାଖରେ ଗୋଟିଏ ହେଲେ ଏୟାର୍କ୍ରାପ୍ଟ କ୍ୟାରିୟର ନାହିଁ । ବିକ୍ରାନ୍ତ ବଳରେ ଭାରତ ମହାସାଗରରେ ଭାରତର ଦବ୍ଦବା ପୂର୍ବଭଳି ରହିବା ଆଶା କରାଯାଉଛି ।
ଆମେରିକା, ୟୁକେ, ରୁଷ୍, ଚୀନ୍ ଏବଂ ଫ୍ରାନ୍ସ ପରେ ଏବେ ଭାରତ ସ୍ୱଦେଶୀ ଜ୍ଞାନକୌଶଳରେ ବିମାନବାହକ ଯୁଦ୍ଧପୋତ ନିର୍ମାଣ ସାମର୍ଥ୍ୟ ହାସଲ କରିଛି । ଏହି ଯୁଦ୍ଧ ଜାହାଜର ୭୬ ପ୍ରତିଶତ ସାମଗ୍ରୀ ଭାରତରେ ନିର୍ମିତ ହୋଇଛି ।
୨୬୨ ମିଟର ଦୈର୍ଘ୍ୟ, ୬୨ ମିଟର ପ୍ରସ୍ଥ ଓ ୫୯ ମିଟର ଉଚ୍ଚତା ତଥା ୪୩ ହଜାର ଟନ୍ ଓଜନ ବିଶିଷ୍ଟ ବିକ୍ରାନ୍ତରେ ୩୦ଟି ମିଗ୍-୨୯କେ ଜେଟ୍ ଓ ହେଲିକପ୍ଟର ସାମିଲ । ଏଥିରେ ଯାଞ୍ଚ ଲାବ୍ ସହିତ ୧୬ ସଜ୍ଜା ବିଶିଷ୍ଟ ଏକ ହସ୍ପିଟାଲ ଅଛି । ବିକ୍ରାନ୍ତରେ ଥିବା ଅତ୍ୟାଧୁନିକ ରାଡାର୍ ଯୋଗେ ୫୦୦ କିମି ଦୂରତା ପର୍ଯ୍ୟନ୍ତ ଇଲାକାର ସ୍କାନ୍ କରାଯାଇପାରିବ । ଏହାର ସର୍ବାଧିକ ଗତିବେଗ ୨୮ ନଟିକାଲ୍ ମାଇଲ୍ । ବିକ୍ରାନ୍ତରେ ଥିବା ୬୩୦ ରୋଟରୀ ତୋପ ଏବଂ ଆଣ୍ଟି ମିଶାଇଲ୍ ସିଷ୍ଟମ୍ ସାହାଯ୍ୟରେ ମାତ୍ର ୩ ସେକେଣ୍ଡ୍ରେ ଟାର୍ଗେଟ୍କୁ ଧ୍ୱସ୍ତ କରାଯାଇପାରିବ ।