ଏଟିଏମ୍ ଚୋରି: ୫ ରାଜସ୍ଥାନୀ ସମେତ ୭ ଗିରଫ
୩. ୬୮ ଲକ୍ଷ ଟଙ୍କା, ୨ କାର୍ ଓ ଏଟିଏମ୍ ଜବତ
ଧର୍ମଶାଳା (ଆପ୍ର): ଧର୍ମଶାଳା ଥାନା ନେଉଳପୁର ବଜାରରୁ ଅଗଷ୍ଟ ୨୪ରେ ଏସ୍ବିଆଇ ଏଟିଏମ୍ ଚୋରିର ପର୍ଦ୍ଦାଫାସ କରିଛି ପୁଲିସ । ଏଟିଏମ୍ ନେଇ ପଳାଇଥିବା ୫ ରାଜସ୍ଥାନୀଙ୍କ ସମେତ ୭ ଲୁଟେରାଙ୍କୁ ପୁଲିସ ଗିରଫ କରି ସେମାନଙ୍କ ନିକଟରୁ ୩ ଲକ୍ଷ ୬୮ ହଜାର ଟଙ୍କା, ଡକାୟତିରେ ବ୍ୟବହୃତ ୨ କାର, ଚୋରି ଏଟିଏମ୍, ଲୁଟରେ ବ୍ୟବହୃତ ସରଞ୍ଜାମ, ୮ ମୋବାଲ, ୧୦ ସିମ୍ ଜବତ କରାଯାଇଛି । ଗିରଫ ଲୁଟେରା ହେଲେ ରାଜସ୍ଥାନ ଅଲୱର ଜିଲ୍ଲାର ଅସଲମ ହାସମି (୩୫), ସଦାମ ହୁସେନ (୩୦), ମହମ୍ମଦ ଜାମସେଦ ଖାଁ (୩୨), ସୁମିତ କୁମାର (୩୨), ଦୌସା ଜିଲ୍ଲାର ଏମ୍ପି ମିନା (୨୩) । ସେମାନ ପାଇଁ ଦାନଗଦିରେ ଘର ଭଡ଼ା ଯୋଗାଡ଼ କରିଥିବା ଦାନଗଦି ତ୍ରିଜଙ୍ଗାର ସେକ ଇଦ୍ରିସ (୩୬) ଓ ସିମ୍ ଯୋଗାଇଥିବା ଖୋର୍ଦ୍ଧା ଜିଲ୍ଲା ଛତ୍ରମା ଅଞ୍ଚଳର ତପନ କୁମାର ପ୍ରଧାନ (୨୮)ଙ୍କୁ ମଧ୍ୟ ଗିରଫ କରାଯାଇଛି ।
୨୪ ତାରିଖ ରାତିରେ ଏଟିଏମ୍ ତାଡି ନେଇଥିଲେ ଓ ୨୫ ସକାଳେ ଏହା ଜଣାପଡ଼ିଥିଲା । ଏଟିଏମ୍ ପ୍ରୋଜେକ୍ଟ ମ୍ୟାନେଜର ପ୍ରିତମ କୁମାରଙ୍କ ଅଭିଯୋଗ ଆଧାରରେ ପୁଲିସ କେସ ରୁଜୁ କରି ତଦନ୍ତ ଚଳାଇଥିଲା । ଚୋରି ହୋଇଥିବା ଏଟିଏମ୍ରେ ୫ଲକ୍ଷ ୬୭ ହଜାର ୫ ଶହ ଟଙ୍କା ରହିଥିବା ମ୍ୟାନେଜର କହିଥିଲେ । ଦାନଗଦି ଅଞ୍ଚଳର ଇଦ୍ରିସକୁ ପ୍ରଥମେ ଗିରଫ କରିବା ପରେ ତା’ଠାରୁ ତଥ୍ୟ ହାସଲ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୁଲିସ । ଲୁଟେରାମାନେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଅନୁରୂପ ଢାଞ୍ଚାରେ ଏଟିଏମ୍ ଚୋରି ଯୋଜନା କରିଥିବା ଖବର ମିଳିଥିଲା । ମୟୂରଭଞ୍ଜ ପୁଲିସ ଓ ଯାଜପୁର ପୁଲିସ ମିଳିତ ଭାବେ ଦାନଗଦି ଅଞ୍ଚଳରେ ଚଢାଉ କରି ରାଜସ୍ଥାନର ୫ ଜଣଙ୍କୁ ଗିରଫ କରିଥିଲେ । ସେମାନେ ଅଗଷ୍ଟ ୨୦ ତାରିଖରେ ରାଜସ୍ଥାନରୁ ଆସିଥିଲେ । ଦାନଗଦିରେ ଭଡା ଘର ନେଇ ତପନଠାରୁ ସିମ୍ କିଣି ଥିଲେ । ଯାଜପୁର ଏସ୍ପି ରାହୁଲ ପିଆର୍ ଧର୍ମଶାଳା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ପଠାଇ ଦିଆଯାଇଛି ।