ପକ୍ସୋ କୋର୍ଟ ଜଜ୍ଙ୍କ ଆତ୍ମହତ୍ୟା

କଟକ, ୨ ।୯ (ବୁ୍ୟରୋ): କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଝୁଲନ୍ତା ମୃତଦେହ ଆଜି କଟକସ୍ଥିତ ସରକାରୀ ବାସଭବନରୁ ଉଦ୍ଧାର ହୋଇଛି । ସିଡ଼ିଏ ସେକ୍ଟର ୯ ସ୍ଥିତ ସରକାରୀ ବାସଭବନରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତଦେହକୁ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି । ମୃତଦେହ ବ୍ୟବଚ୍ଛେଦ ହେବା ପରେ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ମର୍କତନଗର ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ ତାଙ୍କ ବାସଭବନକୁ ଯାଇ ତଦନ୍ତ ଆରମ୍ଭ କରିବା ସହିତ ଆତ୍ମହତ୍ୟାର ବ୍ୟବହୃତ ରଶିକୁ ଜବତ କରିଛି । ତାଙ୍କ ମୃତଦେହରେ ଆଞ୍ଚୁଡ଼ା ଦାଗ ସହ ବେକରେ ଫୁଲା ଚିହ୍ନ ରହିଛି ।
ସୁବାସଙ୍କ ଆତ୍ମହତ୍ୟା ଖବର ପ୍ରଚାର ହେବାପରେ ଅଶ୍ୱିନୀ ହସ୍ପିଟାଲ ନିକଟରେ ଆଇନଜୀବୀଙ୍କ ଭିଡ଼ ଜମିରହିଥିଲା । ତାଙ୍କ ସହକର୍ମୀଙ୍କ କହିବା ଅନୁସାରେ ବିଚାରପତି ସୁବାସ କୁମାର ଗତ ଦୁଇ ଦିନ ଧରି ଛୁଟିରେ ଥିଲେ । ଛୁଟି ସରିବା ପରେ ସେ ଆଜି କାର୍ଯ୍ୟରେ ଯୋଗଦେବାର ଥିଲା । କିନ୍ତୁ ସେ ପୁଣି ସକାଳ ୧୦ଟାରେ ଷ୍ଟେନୋଙ୍କୁ ଫୋନ କରି ଆଜି ଛୁଟି ନେଇଥିଲେ । ଦିନ ୧୨ଟାରେ ଅର୍ଡଲିକୁ ଘରକୁ ପଠାଇ ଦେଇଥିଲେ । ସୁବାସଙ୍କ ପରିବାରରେ ପତ୍ନୀ ଓ ୨ ଝିଅ ଅଛନ୍ତି ।
ସେମାନେ ବଜାରକୁ କିଣାକିଣି ପାଇଁ ଯାଇଥିବାବେଳେ ଏପରି ଅଘଟଣ ଘଟିଥିବା ସୂଚନା ମିଳିଛି । ବଜାରରୁ ଫେରି କଲିଂ ବେଲ୍ ମାରିଥିଲେ । କେହି ନ ଖୋଲିବାରୁ କବାଟ ଭାଙ୍ଗି ଘରେ ଜଜ୍ଙ୍କ ଝୁଲନ୍ତା ଶବ ଦେଖିଥିଲେ । ସୁବାସଙ୍କ ମୃତୁ୍ୟ ଖବର ପାଇବା ପରେ ବରିଷ୍ଠ ଆଇନଜୀବୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ତାଙ୍କ ଆତ୍ମହତ୍ୟା ପଛରେ ପାରିବାରିକ ବିବାଦ ନଚେତ ଅଫିସରେ କାମ ଚାପ ଯୋଗୁ ଏଭଳି ପଦକ୍ଷେପ ନେଇ ଥିବା ନେଇ ସନେ୍ଦହ କରାଯାଉଛି । ସେହିପରି ସରକାରୀ ଓକିଲ ରମେଶ ମହାନ୍ତି କହିଛନ୍ତି, ସେ କେବେ ମାନସିକ ଅବସାଦ ଥିବା ଜଣାପଡ଼ୁନଥିଲେ । ସେ ଜଣେ ମେଳାପୀ ବ୍ୟକ୍ତି ଥିଲେ ଏବଂ ସମସ୍ତଙ୍କ ସହ ତାଙ୍କର ବନ୍ଧୁତାପୂର୍ଣ୍ଣ ସମ୍ପର୍କ ଥିଲା । ତେବେ ଅନେକ ପୋକ୍ସୋ ମାମଲାର ସେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଥିଲେ । ଆଜି ସେ ଛୁଟିରେ ରହିଥିଲେ । କିନ୍ତୁ ସେ ଏଭଳି ଏକ ଚରମ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଦୌ ବିଶ୍ୱାସ କରିହେଉନାହିଁ ।
ଜଷ୍ଟିସ ଶ୍ରୀ ବିହରୀଙ୍କ ପୈତୃକ ଘର ଯାଜପୁର ଜିଲ୍ଲାରେ । ସେ ଭୁବନେଶ୍ୱର ପଞ୍ଚାୟତ ବିହାରୀ ମଠ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ବାସନ୍ତୀ ସରକାରୀ ବିଦ୍ୟାଳୟରେ ସେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ ଏବଂ ଯାଜପୁରର ବିରଜା ଆଇନ ମହାବିଦ୍ୟାଳୟରେ ପାଠ ପଢ଼ିବା ପରେ ଯାଜପୁରରେ ଲ’ ପ୍ରାକ୍ଟିସ କରିଥିଲେ । ପରେ ଓଜେଏସ୍ରେ କୃତକାର୍ଯ୍ୟ ହୋଇ ଜଜ୍ ରୂପେ ୨୦୦୪ରେ ନିଯୁକ୍ତି ପାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *