ସେପ୍ଟେମ୍ବରରୁ ବଢ଼ିବ ଗାଡ଼ି-ମୋଟର ଯାଞ୍ଚ
ଭୁବନେଶ୍ୱର, ୨ା୯ (ବୁ୍ୟରୋ): ଚଳିିତ ସେପ୍ଟେମ୍ବରରୁ ଗାଡି-ମୋଟର ଯାଞ୍ଚକୁ କଡାକଡି କରାଯିବ । ଆସନ୍ତା ପୂଜା ଋତୁକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଏଭଳି ନିଷ୍ପତି ନେଇଛି । ଏନେଇ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଓ ସଡ଼କ ସୁରକ୍ଷା ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି । ଚଳିତମାସ ଟ୍ରାଫିକ ନିୟମ ଉଲ୍ଲଂଘନ ଓ ମୋଟରଯାନ ନିୟମ ଭଙ୍ଗୁଥିବା ଅମାନିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଦେଖାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହାସହ ଏନଫୋର୍ସମେଣ୍ଟ ଡ୍ରାଇଭରେ ମଦ୍ୟପାନ କରି ଗାଡ଼ି ଚଲାଇବା, ହେଲମେଟ ଯାଞ୍ଚ, ସ୍କୁଲ ବସ୍, ଓଭର ଲୋଡିଂ ଓ ଫିଟନେସ୍ ଯାଞ୍ଚ କରାଯିବ ।
ଅଗଷ୍ଟ ୧୬ରୁ ୩୦ ତାରିଖ ଦୁଇ ସପ୍ତାହ ଧରି ବାଇକ୍ ଆରୋହୀଙ୍କ ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ କରାଯାଇଥିଲା ।
ଜାତୀୟ ଓ ରାଜ୍ୟ ରାଜପଥରେ କଡ଼ା ଚେକିଂ କରାଯିବା ସହ ବିନା ହେଲମେଟରେ ଡ୍ରାଇଭିଂ ପାଇଁ ୨୪ ହଜାର ୪୭୪ ଇ-ଚାଲାଣ ଜାରି କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଲାଇବା ପାଇଁ ମୋଟ ୮୮୮ ଗାଡ଼ି ଜବତ କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣର ଟ୍ରାଫିକ୍ ଏନଫୋର୍ସମେଣ୍ଟ ଟିମ୍ ୬୩ ଲକ୍ଷ ୯୮ ହଜାର ୧୧୬ ଟଙ୍କା ଜରିମାନା ବାବଦକୁ ଆଦାୟ କରିଥିବା ବେଳେ ବିନା ହେଲମେଟରେ ଗାଡ଼ି ଚଲାଇବା କାରଣରୁ ୧୨ ହଜାର ୫୪୫ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ।
ସୂଚନାଯୋଗ୍ୟ, ୨୦୨୧ରେ ସଡ଼କ ଦୁର୍ଘଟଣାରେ ୮୬୮ ଜଣ ବାଇକ ଚାଳକ ଓ ୪୪୦ ଜଣ ବାଇକ ଆରୋହୀଙ୍କୁ ମିଶାଇ ମୋଟ ୧୩୦୮ ଜଣଙ୍କ ମୃତୁ୍ୟ ଘଟିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ ପିନ୍ଧି ନଥିବା କାରଣରୁ ମୃତୁ୍ୟବରଣ କରିଛନ୍ତି । ସମୁଦାୟ ୧୨୮୦ ଜଣ ଗୁରୁତର ଆହତ ହୋଇଥିବାବେଳେ ୭୪୭ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଲାଲମୋହନ ସେଠୀ କହିଛନ୍ତି, ଚାଳକଙ୍କ ବିରୋଧରେ ଏହି ଅଭିଯାନର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ସଡ଼କ ଦୁର୍ଘଟଣା ଓ ମୃତୁ୍ୟହାର ରୋକିବା ପାଇଁ ଚାଳକଙ୍କ ମଧ୍ୟରେ ଦାୟିତ୍ୱବୋଧ ସୃଷ୍ଟି କରିବା । ଲୋକମାନେ ସହରାଞ୍ଚଳରେ ହେଲମେଟ ବ୍ୟବହାର କରୁଥିଲେ ମଧ୍ୟ ରାଜପଥରେ ହେଲମେଟ ନପିନ୍ଧି ଗାଡ଼ି ଚଲାଇବା କାରଣରୁ ଦୁର୍ଘଟଣା ଘଟୁଛି ।