ଶିଳ୍ପ ତାଲିମ୍ କେନ୍ଦ୍ରରେ ଶିକ୍ଷାଦାନ ଶୁଭାରମ୍ଭ
ାା ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା ।ା
ପୁରୀ (ବୁ୍ୟରୋ): ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଆଜିଠୁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ୍ ସିଆଣ୍ଡି ପଞ୍ଚାୟତ ଗୋପାଳପୁର ଠାରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ୍ କେନ୍ଦ୍ରରେ ପ୍ରଥମ ଶିକ୍ଷା ବର୍ଷର ପାଠ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇ କହିଛନ୍ତି ଚିଲିକା ଦ୍ୱୀପାଞ୍ଚଳରେ ଥିବା ଏହି ଅନୁଷ୍ଠାନ ଓଡ଼ିଶାର କୋଣଅନୁକୋଣରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇବ । ଏଠାରେ ୧୦୪ ଗୋଟି ସିଟ୍ ସହିତ ଚାରିଗୋଟି ବିଭାଗରେ ନାମଲେଖା ଆରମ୍ଭ ହୋଇଛି । ଯଥା ଇଲେକ୍ଟ୍ରିସିଆନ୍, ଫିଟର୍, ଇଲେକ୍ଟ୍ରୋନିକ୍ ମେକାନିକ୍ ଓ ଡ୍ରେସ୍ ମେକାନିକ୍ ସହିତ ପ୍ରଥମ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀ ନାମ ଲେଖିଛନ୍ତି ।
ଏହି ଶିକ୍ଷା ଅନୁଷ୍ଠାନରେ ଚିଲିକା ଦ୍ୱୀପାଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ସୁବିଧାରେ ଶିକ୍ଷାଲାଭ କରିପାରୁଥିବାରୁ ଶ୍ରୀ ଦାସବର୍ମା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ପରେ ଅନୁଷ୍ଠାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ୍ କେନ୍ଦ୍ର ପ୍ରତିଷ୍ଠାନର ପ୍ରିନ୍ସିପାଲ୍ ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।