ଏସିଆ କପ୍ରୁ ଆହତ ଜାଡ଼େଜା ବାଦ୍
ଟିମ୍ ଇଣ୍ଡିଆକୁ ଝଟ୍କା
ଦୁବାଇ, ୨ା୯ (ଏଜେନ୍ସି): ଏସିଆ କପ୍ର ସୁପର୍-୪ ପର୍ଯ୍ୟାୟ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା ଲାଗିଛି । ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଆଣ୍ଠୁରେ ଯନ୍ତ୍ରଣା ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଅକ୍ଷର ପଟେଲ୍ଙ୍କୁ ଟିମ୍ରେ ସାମିଲ୍ କରାଯାଇଛି । ବିସିସିଆଇ ପକ୍ଷରୁ ଏକ ବିବୃତିରେ ଏହି ସୂଚନା ଦିଆଯାଇଛି ।
ପାକିସ୍ତାନ ଓ ହଂକଂ ବିପକ୍ଷ ମ୍ୟାଚ୍ରେ ଜାଡ଼େଜା ଟିମ୍ର ଅଂଶବିଶେଷ ଥିଲେ । ଅକ୍ଷର ରିଜର୍ଭ ଖେଳାଳି ଭାବେ ୟୁଏଇ ଯାଇଥିଲେ ।
ଏସିଆ କପ୍ରେ ଜାଡ଼େଜାଙ୍କ ପ୍ରଦର୍ଶନ
ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଜାଡ଼େଜା ୨୯ ବଲ୍ରୁ ୩୫ ରନ୍ର ଉଜ୍ଜ୍ୱଳ ଇନିଂସ୍ ଖେଳିଥିଲେ । ଏଥିରେ ଦୁଇଟି ଛକା ଓ ଦୁଇଟି ଚୌକା ରହିଥିଲା । ବୋଲିଂରେ ସେ ଦୁଇ ଓଭର୍ରେ ୧୧ ରନ୍ ଦେଇଥିଲେ । ଦ୍ୱିତୀୟ ଲିଗ୍ ମ୍ୟାଚ୍ରେ ହଂକଂ ବିପକ୍ଷରେ ଜାଡ଼େଜା ପ୍ରଭାବଶାଳୀ ବୋଲିଂ କରି ଚାରି ଓଭର୍ରେ ମାତ୍ର ୧୫ ରନ୍ ଦେଇ ୧ ୱିକେଟ୍ ନେଇଥିଲେ । ସେ ଏକ ଚମକ୍ପ୍ରଦ ଥ୍ରୋ କରି ରନ୍ଆଉଟ୍ କରିଥିଲେ । ତେବେ ସୌରାଷ୍ଟ୍ର ଅଲ୍ରାଉଣ୍ଡର୍ ଏହି ମ୍ୟାଚ୍ରେ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ ।
୨୦୨୨ରେ ୫୦ରୁ ଅଧିକ ଆଭରେଜ୍ରେ ସ୍କୋର୍
ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍ରେ ଜାଡ଼େଜା ଉତ୍ତମ ଫର୍ମରେ ଅଛନ୍ତି । ଚଳିତ ବର୍ଷ ସେ ନଅଟି ମ୍ୟାଚ୍ ଖେଳିଛନ୍ତି ଏବଂ ୫୦.୨୫ ଆଭରେଜ୍ରେ ୨୦୧ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୪୧.୫୪ ଥିଲା । ଏହାଛଡ଼ା ବୋଲିଂରେ ୫ ୱିକେଟ୍ ନେଇଛନ୍ତି ।
ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେଉଥିବାରୁ ଜାଡ଼େଜା ଶୀଘ୍ର ଆରୋଗ୍ୟ ଲାଭ କରନ୍ତି ବୋଲି ଟିମ୍ ମ୍ୟାନେଜ୍ମେଣ୍ଟ ଆଶା କରିବ । ଏସିଆ କପ୍ ସୁପର୍-୪ରେ ଭାରତ ରବିବାର ନିଜ ପ୍ରଥମ ମ୍ୟାଚ୍ ଖେଳିବ ।
ଅକ୍ଷରଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା
ଜାଡ଼େଜାଙ୍କ ସ୍ଥାନରେ ସାମିଲ୍ ହୋଇଥିବା ଅକ୍ଷର ପଟେଲଙ୍କ ଠାରୁ ଏବେ ଭାରତୀୟ ପ୍ରଶଂସକ ଭଲ ପ୍ରଦର୍ଶନ ଆଶା କରିଛନ୍ତି । ନିକଟରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ସେ ଦ୍ୱିତୀୟ ଦିନିକିଆରେ ଅପରାଜିତ ୬୪ ରନ୍ର ଇନିଂସ୍ ଖେଳିଥିଲେ । ତାଙ୍କ ଉଜ୍ଜ୍ୱଳ ପ୍ରଦର୍ଶନ ବଳରେ ଟିମ୍ ବିଜୟ ହାସଲ କରିଥିଲା । ସେ ଇଂଲଣ୍ଡ ଓ ଜିମ୍ବାୱେ ଗସ୍ତରେ ଟିମ୍ର ଅଂଶବିଶେଷ ଥିଲେ ।