ଚାଷୀଙ୍କୁ ମିଳିଲା ୮୬୯ କୋଟି
କାଳିଆ ଯୋଜନାରେ ୪୧ ଲକ୍ଷ କ୍ଷୁଦ୍ର ଓ ୮୫ ହଜାର ଭୂମିହୀନ ଚାଷୀ ଉପକୃତ
ଭୁବନେଶ୍ୱର, ୧ା୯ (ବୁ୍ୟରୋ): ପବିତ୍ର ନୂଆଖାଇ ପର୍ବରେ ଚାଷୀଙ୍କୁ କାଳିଆ ସହାୟତା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଛନ୍ତି, ଆଏଜ୍ ନୂଆଖାଇ । ଇ ଅବସରଥି ଆପଣମାନକେ ସମସ୍ତକେ ମୋର ଜୁହାର । ନୂଆଖାଇ ମାଟି ମା’ର ପର୍ବ । ଆମର ଚାଷୀ ଭାଇଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ । ତେଣୁ ଚାଷୀ ଆମର ଗର୍ବ ଓ ଗୌରବ । ଏହି ପବିତ୍ର ଦିନରେ ମୋର ଚାଷୀ ଭାଇ ଓ ଭଉଣୀଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଗୁରୁବାର ରାଜ୍ୟର ୪୧ ଲକ୍ଷ କ୍ଷୁଦ୍ର ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ ୮୬୯ କୋଟି ଟଙ୍କାର ସହାୟତା ଦିଆଯାଇଛି । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ୨୦୦୦ ଟଙ୍କା ପ୍ରଦାନ କରାଯାଇଛି । କାଳିଆ ଯୋଜନା ଦେଶର ସବୁଠାରୁ ଭଲ ଯୋଜନା । ଛୋଟ ଚାଷୀଙ୍କ ପାଇଁ ଏହା ଆଶା ଓ ଭରସା ସୃଷ୍ଟି କରିପାରିଛି । ଭୂମିହୀନ ଚାଷୀଙ୍କ ଜୀବିକାର ସୁରକ୍ଷା ପାଇଁ ମଧ୍ୟ ଏହା ବହୁତ ସାହାଯ୍ୟ କରୁଛି । ଗତ ମେ ମାସରେ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ଆମ ଚାଷୀ ଭାଇ ଓ ଭଉଣୀଙ୍କୁ ୮୦୦ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଥିଲା । ମୁଁ ଆଶା କରୁଛି, ଏହି ସହାୟତା ଆପଣଙ୍କ ଚାଷ କାମକୁ ଆଗେଇ ନେବାରେ ବହୁତ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଚଳିତ ବନ୍ୟା ଯୋଗୁ ଆପଣମାନେ ସମସ୍ତେ ଚିନ୍ତାରେ ଅଛନ୍ତି । ମୁଁ କହିବାକୁ ଚାହେଁ, ମୁଁ ସବୁ ସମୟରେ ଆପଣମାନଙ୍କ ସାଥିରେ ଅଛି । ଶୀଘ୍ର ଡ୍ୟାମେଜ୍ ଆସେସ୍ମେଣ୍ଟ କରି ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଆପଣଙ୍କୁ ଖୁବ ଶୀଘ୍ର ଫସଲ କ୍ଷତି ପାଇଁ ସହାୟତା ଯୋଗାଇ ଦିଆଯିବ । ଓଡିଶାର ଗୌରବକୁ ଆମର ଚାଷୀଭାଇ ଓ ଭଉଣୀମାନେ ଉଜ୍ଜଳ କରିଛନ୍ତି । ଖାଦ୍ୟ ସୁରକ୍ଷାରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ତେଣୁ ରାଜ୍ୟର ସବୁ ଲୋକ ଚାଷୀଭାଇଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।