ସମଲେଇଙ୍କୁ ନବାନ୍ନ ଲାଗି
ସମ୍ବଲପୁର, ୧ା୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ଗୁରୁବାର ଲାଗି ହୋଇଛି ନବାନ୍ନ । ପୂର୍ବାହ୍ନ ୧ଠଟା ୫୭ରୁ ୧୧ଟା ୧ଠ ମଧ୍ୟରେ ନବାନ୍ନ ଲାଗି ହୋଇଥିଲା । ନୂଆ ଧାନ, କୁରେଇ ପତ୍ର, ପଞ୍ଚାମୃତ, ଚୂଡ଼ି, ଗହଣା, ଶାଢ଼ୀ ଏବଂ ପନିପରିବା ଲାଗି କରାଯାଇଥିଲା । ମା’ ସମଲେଶ୍ୱରୀଙ୍କ ସମେତ ସବୁ ମନ୍ଦିରକୁ ଯାଇଥିଲା ପାହୁର ଭାର । ନବାନ୍ନ ଲାଗି ପରେ ଘରେ ଘରେ ଲୋକେ ନୂଆଖାଇ ପାଳନ କରିଥିଲେ । ପରିବାରବର୍ଗ ନବାନ୍ନ ଖାଇବା ସହ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ ।
ନୂଆଖାଇରେ ସମଗ୍ର ପଶ୍ଚିମ ଓଡ଼ିଶା ହୋଇଛି ଉତ୍ସବମୁଖର । ଢୋଲ, ନିଶାନର ତାଳେ ତାଳେ ବାହାରିଥିଲା ବର୍ଣ୍ଣାଢ୍ୟ ଶୋଭାଯାତ୍ରା । କରୋନା ମହାମାରୀ ଯୋଗୁ ୨ବର୍ଷ ପର୍ବ ଏଭଳି ପାଳନ କରାଯାଇନଥିଲା । ଏଥର ନୂଆଖାଇ ପାଇଁ ଲୋକଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଛି । ଜ୍ଞାତିକୁଟୁମ୍ବ ଯେ ଯେଉଁଠି ଯେତେଦୂରରେ ଥିଲେ ମଧ୍ୟ ଗାଁକୁ ଫେରି ଉତ୍ସବ ମନାଇଛନ୍ତି ।