ମୁମ୍ବାଇକୁ ଫେରିଲା ଅଣ୍ଡରୱାର୍ଲ୍ଡ
ଡି-ଗ୍ୟାଙ୍ଗ୍ ପୁଣି ସକି୍ରୟ
ମୁମ୍ବାଇ, ୧ା୯: ଦାଉଦ୍ ଇବ୍ରାହିମ୍ ଓ ଡି କମ୍ପାନୀ ସହ ଜଡ଼ିତ ଅପରାଧୀମାନଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍ଆଇଏ) । ଗୁରୁବାର ଏନ୍ଆଇଏ ପକ୍ଷରୁ ପୁରସ୍କାର ରାଶିର ତାଲିକା ଜାରି କରାଯାଇଛି । ଦାଉଦ୍ ଉପରେ ରଖାଯାଇଛି ୨୫ ଲକ୍ଷ ଟଙ୍କାର ପୁରସ୍କାର । ଛୋଟା ଶକିଲ୍ ସମ୍ପର୍କରେ ସୂଚନା ଦେଲେ ୨ଠ ଲକ୍ଷ ଟଙ୍କାର ଇନାମ୍ ମିଳିବ । ଏହି ତାଲିକାରେ ଦାଉଦ୍, ଛୋଟା ଶକିଲ୍, ଅନୀସ ଇବ୍ରାହିମ୍, ଜାଭେଦ୍ ଚିକନା ଓ ଟାଇଗର୍ ମେମନ୍ ଆଦିଙ୍କ ନାମ ଅଛି । ପ୍ରଥମଥର ପାଇଁ ଏନ୍ଆଇଏ ଏ ସମସ୍ତଙ୍କ ଉପରେ ୯ଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ତା’ ସହିତ ପ୍ରଥମଥର ପାଇଁ ଏମାନଙ୍କ ପୁରୁଣା ଓ ନୂଆ ଫଟୋ ଏକସଙ୍ଗେ ଜାରି କରାଯାଇଛି । ତେବେ ଦାଉଦ୍ର ନୂଆ ଫଟୋ ସେଥିରେ ନାହିଁ, ଅଛି ୧୯୯୩ ମୁମ୍ବାଇ ବିସ୍ଫୋରଣ ପରେ ସରକାରୀ ଏଜେନ୍ସିମାନେ ଜାରି କରିଥିବା ଫଟୋ ।
ଏନ୍ଆଇଏର ସୂତ୍ର ଅନୁଯାୟୀ, ଭାରତରେ ଦାଉଦ୍ର ସବୁ କାମ ସମ୍ଭାଳୁଛି ତା’ର ଭାଇ ଇକବାଲ୍ କାସକର । ଦାଉଦ୍ର ଡାହାଣ ହାତ କୁହାଯାଉଥିବା ଛୋଟା ଶକିଲ୍ ସହ ଇକବାଲ୍ର ସମ୍ପର୍କ ଥିଲା । ଥାଣେର ସୁରେଶ ଦେବୀଚନ୍ଦ ମେହଟା ନାମକ ବିଲ୍ଡରଙ୍କ ଅଭିଯୋଗକ୍ରମେ ଇକବାଲ୍ ଏବେ ଜେଲରେ ଅଛି । ସେ ମେହଟାଙ୍କ ଠାରୁ ୩ କୋଟି ଟଙ୍କା ବଟି ମାଗିଥିଲା ।
ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ବନ୍ଧୀୟ ତାଲିମ୍ ଓ ଆତଙ୍କୀଙ୍କୁ ଟଙ୍କା ଯୋଗାଇବା ଦାୟିତ୍ୱ ଦିଆଯାଇଛି ଅନୀସ ଇବ୍ରାହିମ୍ଙ୍କୁ । ଧାରାବୀରୁ ଗିରଫ ହୋଇଥିବା ସମୀର କାଲିୟାକୁ ଜେରା କରିବାରୁ ଜଣାପଡ଼ିଥିଲା ଯେ, ଆଇଏସ୍ଆଇର ଜନୈକ କର୍ଣ୍ଣେଲ୍ ଗାଜିର ନିଦେ୍ର୍ଦଶ ଅନୁଯାୟୀ ଅନୀସ ଇବ୍ରାହିମ୍ ମୁମ୍ବାଇ ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଲିପର୍ ସେଲ୍ଗୁଡ଼ିକୁ ପୁନର୍ବାର ସକି୍ରୟ କରାଉଛି ।
ତାଲିମ୍ପ୍ରାପ୍ତ ଆତଙ୍କୀମାନଙ୍କୁ ଟଙ୍କା, ମାରଣାସ୍ତ୍ର ଓ ବାରୁଦ ଯୋଗାଇବା ଦାୟିତ୍ୱ ଦିଆଯାଇଥିଲା । ଅନୀସ ହିଁ ସମୀର କାଲିୟାକୁ ଏ ଦାୟିତ୍ୱ ହସ୍ତାନ୍ତର କରିଥିଲା ।
ଏନ୍ଆଇଏକୁ ମୁମ୍ବାଇରେ ଡ୍ରଗ୍ସ ଓ ଅବୈଧ ସମ୍ପତ୍ତି ଜରିଆରେ ଟେରର୍ ଫଣ୍ଡିଂର ପ୍ରମାଣ ମିଳିଛି । ଏହା ପଛରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ର ସିଣ୍ଡିକେଟ୍ କାମ କରୁଛି । ଆଇଏସ୍ଆଇ ସହାୟତାରେ ଆତଙ୍କର ନୂଆ ମଡୁ୍ୟଲ୍ ତିଆରି କରାଯାଉଛି । ଏନ୍ଆଇର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଦାଉଦ୍ ଗ୍ୟାଙ୍ଗ୍ର ଲୋକମାନେ ପାକିସ୍ତାନ ସମର୍ଥିତ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଉଛନ୍ତିି । ଏହି କାରଣରୁ ମୁମ୍ବାଇ, ଥାଣେ ଓ ଆଖାପାଖ ଇଲାକାରେ ବଟି ଆଦାୟ, ସଟ୍ଟାବାଜି, ଡ୍ରଗ୍ସ କାରବାର, ବିଲ୍ଡରମାନଙ୍କୁ ଧମକ ଦିଆଯିବା ବଢ଼ିଛି ।
ଜାତିସଂଘର ନିରାପତ୍ତା ପରିଷଦ ୨ଠଠ୩ରେ ଦାଉଦ୍ ଇବ୍ରାହିମ୍ ଉପରେ ୨୫ ନିୟୁତ ଡଲାର ପୁରସ୍କାର ରାଶି ରଖିଥିଲା । ଦାଉଦ୍ ସହିତ ଲସ୍କର ମୁଖ୍ୟ ହାଫିଜ୍ ସୟିଦ୍, ଜୈସ ସଂଗଠନର ମୁଖ୍ୟ ମୌଲାନା ମସୁଦ୍ ଅଜହର, ହିଜବୁଲ ମୁଜାହିଦିନର ପ୍ରତିଷ୍ଠାତା ସୟଦ୍ ସଲ୍ଲାହୁଦ୍ଦୀନ୍ ଓ ଅବଦୁଲ୍ ରଉଫ ଅସଗର ମଧ୍ୟ ଭାରତର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ଅଛନ୍ତି ।