ଚାଳ ଛପର ଘରେ ବିତୁଛି ୭ପ୍ରାଣୀଙ୍କ ଜୀବନ
ସରକାରୀ ସହାୟତା ଅପେକ୍ଷାରେ ପରିବାର
ନାଉଗାଁ (ଆପ୍ର): ତିରୁଣା ପଞ୍ଚାୟତ ଅନ୍ତର୍ଗତ ତିରୁଣା ଗାଁର ମଲ୍ଲିକ ସାହିରେ ଏକ ଚାଳ ଛପର ଘରେ ୭ ପ୍ରାଣଙ୍କ ଜୀବନ ବିତୁଛି । ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ଏହି ପରିବାରର । ବିଷ୍ଣୁ ଚରଣ ମଲ୍ଲିକ ନିଜ ପତ୍ନୀ ୪ ଝିଅ ଓ ଏକମାତ୍ର ପୁଅକୁ ନେଇ ରହୁଛନ୍ତି । ପନିପରିବା ଚାଷ କରି ଏହାକୁ ବେପାର କରି ସ୍ୱଳ୍ପ ରୋଜଗାରରେ ପରିବାର ଚଳାଉଥିବା ବେଳେ ଚାଳ ଛପର ଭଙ୍ଗାଘର ବିଷ୍ଣୁଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବିଷ୍ଣୁଙ୍କ କହିବା ମୁତବାକ ସରକାରଙ୍କ ତରଫରୁ ୨୦୧୨ ମସିହାରେ ତାଙ୍କ ପରିବାରକୁ ଆବାସ ଯୋଜନାରେ ଗୃହ ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ମିଳିବା ସହିତ ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ଆର୍ଥିକ ସହାୟତା ମିଳିଥିଲା । କିନ୍ତୁ ସେହି ସମୟରେ ତାଙ୍କର ଦେହ ଅସୁସ୍ଥ ହେବାରୁ ମିଳିଥିବା ଅର୍ଥକୁ ମେଡିକାଲରେ ଖର୍ଚ୍ଚ କରି ଦେଇଥିଲେ । ଏପରିକି ଦେହ ଖରାପ ହେତୁ ଦିର୍ଘଦିନ ସେ ଘରେ ରହି ଚିକିତ୍ସିତ ହେଉଥିଲେ । କାମଧନ୍ଦା କରି ନ ପାରିବାରୁ ଅର୍ଥର ଅଭାବ ଦେଖାଦେଇଥିଲା । ଯାହାଫଳରେ ସେ ଘର କାର୍ଯ୍ୟ ଆରମ୍ଭ କରିପାରି ନ ଥିଲେ ।
ସେହି ସମୟରେ ସରକାରଙ୍କ ପକ୍ଷରୁ ଯେଉଁମାନେ ଆବାସ ଯୋଜନାରେ ସାମିଲ ହୋଇ ପ୍ରଥମ କିସ୍ତି ଅର୍ଥ ପାଇବା ପରେ ଘର କାର୍ଯ୍ୟ ଆରମ୍ଭ କରିନାହାନ୍ତି, ସେମାନେ ତାଙ୍କର ସମସ୍ତ ଅର୍ଥ ଫେରସ୍ତ କଲେ ପୂନର୍ବାର ଆବାସ ଯୋଜନାରେ ସାମିଲ କରାଯିବ ବୋଲି ଘୋଷାଣା କରାଯାଇଥିଲା । ସେତେବେଳେ ଅର୍ଥକୁ ଫେରସ୍ତ କରିବା ପାଇଁ ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ନିରାଶ ହୋଇ ଫେରିଥିଲେ । ବର୍ତମାନ ଦୁଇ ବଖରା ଚାଳ ଛପର ଘରେ ୭ ପ୍ରାଣୀଙ୍କୁ ନେଇ ରହୁଛନ୍ତି । ଖରା ଏବଂ ଶୀତ ଦିନରେ ଯେମିତି ସେମିତି ଚାଳ ଛପର ଉପରେ ପଲଥିନି ପକାଇ ଚଳିଯାଉଥିବା ବେଳେ ବର୍ଷାଦିନେ ବିଷ୍ଣୁଙ୍କ ଅବସ୍ଥା ସଙ୍ଗିନ ହେଉଛି । ଚାଳଛପରରୁ ନିୟମିତ ବର୍ଷା ପାଣି ଗଳୁଥିବାରୁ ବିଷ୍ଣୁଙ୍କ ପରିବାରକୁ ଅନେକ ରାତି ଅନିଦ୍ରା ରହିବାକୁ ପଡୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପୂର୍ବରୁ ପ୍ରଦାନ କରାଯାଇଥିବା ଆବାସ ଯୋଜନାର ପ୍ରଥମ କିସ୍ତି ଟଙ୍କାକୁ ଫେରସ୍ତ ନେବା ସହିତ ପୂନର୍ବାର ଆବାସ ଯୋଜନାରେ ଘର ପ୍ରଦାନ କରିବାକୁ ବିଷ୍ଣୁ ଅନୁରୋଧ କରିଛନ୍ତି । ବିଷ୍ଣୁକୁ ଆବାସ ଯୋଜନାରେ ସାମିଲ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।