୨ କୋଟି ଅପାତ୍ର ଚାଷୀଙ୍କୁ ନୋଟିସ୍
ପିଏମ୍ କିଷାନ ସମ୍ମାନ ନିଧି
‘ଟଙ୍କା ନ ଫେରାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ’
ନୂଆଦିଲ୍ଲୀ, ୧ା୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଯୋଗ୍ୟତା ନଥାଇ କେନ୍ଦ୍ରଠାରୁ ସରକାରଙ୍କଠାରୁ ବିଭିନ୍ନ କିସ୍ତିରେ ଟଙ୍କା ପାଇଥିବା ତଥାକଥିତ ଅଯୋଗ୍ୟ ଚାଷୀଙ୍କଠାରୁ ସବୁ ଟଙ୍କା ଫେରାଇ ଅଣାଯିବ । ଏହି ମର୍ମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ ୨ କୋଟି ଚାଷୀଙ୍କୁ ନୋଟିସ୍ ଜାରି କରାଯାଉଛି ।
କିଷାନ ସମ୍ମାନ ନିଧିରେ ଉପକୃତ ହେବା ସମ୍ବନ୍ଧରେ ୧୦ଟି ନିୟମ ପ୍ରଣୟନ କରାଯାଇଥିଲା । ସେଥିରେ ସର୍ତ୍ତ ଥିଲା ଯେ ଆୟକର ଦେଉଥିବା କୌଣସି ଲାଭଜନକ ପଦରେ ନିଯୁକ୍ତ ଥିବା କୃଷକମାନଙ୍କୁ ଏହି ଯୋଜନା ଅନୁଯାୟୀ ଅର୍ଥ ରାଶି ଦିଆଯିବ ନାହିଁ । ଏହି ସବୁ ସର୍ତ୍ତ ଅଧୀନକୁ ଆସୁଥିବା ଚାଷୀମାନଙ୍କୁ ନୋଟିସ୍ ପଠାଇ ସରକାର ଟଙ୍କା ଫେରାଇବା ପାଇଁ କହିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ସାରା ଦେଶରେ ଏଭଳି ପ୍ରାୟ ୨କୋଟି ଅଯୋଗ୍ୟ ଚାଷୀଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ ଯୋଜନା ଅନୁଯାୟୀ ଟଙ୍କା ହାତେଇଛନ୍ତି । ଉତ୍ତରପ୍ରଦେଶରେ ଗୋଟିଏ ଗୋଟିଏ ଜିଲ୍ଲାରେ ଅଯୋଗ୍ୟ ଚାଷୀଙ୍କ ସଂଖ୍ୟା ପ୍ରାୟ ୩୦ହଜାର । ଯୋଗ୍ୟତା ନଥାଇ ଯୋଜନାରୁ ଫାଇଦା ଉଠାଇବା ଠିକ୍ ନୁହେଁ । ତାହା ଆଇନତଃ ଏକ ଅପରାଧ । ଟଙ୍କା ନଫେରାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେମାନଙ୍କୁ ଚେତାବନୀ ଦିଆଯାଇଛି ।
କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ କଂଗ୍ରେସ ବିରୋଧ କରିଛି । ଦଳ ପକ୍ଷରୁ ଗୁରୁବାର ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଏହି ବିଷୟରେ ସାମ୍ବାଦିକ ସମ୍ମିଳନୀ ଡକାଯାଇ କୁହାଯାଇଛି, କିଷାନ ସମ୍ମାନ ନିଧି ଏବେ କିଷାନ ଅପମାନ ବିଧିରେ ପରିଣତ ହୋଇଛି । ଦଳର ବରିଷ୍ଠ ନେତା ତଥା ପ୍ରବକ୍ତା ଅଖିଳେଶ ପ୍ରସାଦ ସିଂହ ଗଭୀର କ୍ଷୋଭ ପ୍ରକାଶ କରି କହିଛନ୍ତି, ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଯୋଜନା ଅନୁସାରେ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ମାସିକ ୫୦୦ ହିସାବରେ ବର୍ଷକୁ ୬୦୦୦ଟଙ୍କା ପଠାଯାଇଥିଲା । ଉକ୍ତ ଯୋଜନାର ଖୁବ୍ ପ୍ରଚାର କରି ସରକାର ନିଜକୁ କୃଷକଙ୍କ ହିତୈଷୀ କହିବା ସହ ନିର୍ବାଚନରେ ଖୁବ୍ ଫାଇଦା ହାସଲ କରିଥିଲେ । ଏବେ କିନ୍ତୁ ସେମାନଙ୍କଠାରୁ ଟଙ୍କା ଫେରସ୍ତ ମଗାଯାଉଛି ।