କେସିଆର୍ଙ୍କ କଥା ଶୁଣିଲେନି ନୀତୀଶ
ସାମ୍ବାଦିକ ସମ୍ମିଳନୀରେ ଅପ୍ରୀତିକର ସ୍ଥିତି
ପାଟନା (ଏଜେନ୍ସି): ଦୁଇ ଦିନିଆ ବିହାର ଗସ୍ତରେ ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍) ପ୍ରମୁଖ କେ ଚନ୍ଦ୍ରଶେଖର ରାଓ (କେସିଆର) ଗୁରୁବାର ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଗୁରୁୂବାର ପାଟନା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ସେ (କେସିଆର) ଯୋଗଦେଇଥିବା ବେଳେ କିଛି ଗଣମାଧ୍ୟମ ପ୍ରତିନିଧି ୨ଠ୨୪ରେ ବିରୋଧୀ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ସମ୍ପର୍କରେ କିଛି ପ୍ରଶ୍ନ କରିଥିଲେ ।
ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ ଯେ, ନୀତୀଶ ବିଜେପି ବିରୋଧୀ ସାମ୍ମୁଖ୍ୟ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି? ତେବେ ଏଭଳି ଏକ ପ୍ରଶ୍ନର ଉତ୍ତରରେ ଟିଆରଏସ୍ ମୁଖ୍ୟ ସାମାନ୍ୟ ଅସ୍ତବ୍ୟସ୍ତ ହୋଇପଡିଥିବା ଦେଖିବାକୁ ମିଳିଥିଲା । କେସିଆର ଏହି ପ୍ରଶ୍ନର ଜବାବ ଦେଇ କହିଥିଲେ ଯେ, ଏବେ ଏସମ୍ପର୍କରେ କିଛି କହିବା କଷ୍ଟକର । ସମୟ ଆସିଲେ ସବୁକିଛି ସ୍ପଷ୍ଟ ହୋଇଯିବ । ତେବେ ଏଥିପାଇଁ ପ୍ରଥମେ ବିରୋଧୀ ଦଳଗୁଡ଼ିକ ଏକଜୁଟ୍ ହୋଇ ଏସମ୍ପର୍କରେ ବିଚାରବିମର୍ଶ କରିବାକୁ ପଡିବ । ଅନ୍ୟପକ୍ଷେ କେସିଆରଙ୍କ ଏଭଳି ଉତ୍ତର ଶୁଣି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିବା ନୀତୀଶ ନିଜ ଚୌକି ଛାଡି ଉଠିଯାଇଥିଲେ । କେସିଆର ବାରମ୍ବାର ନୀତୀଶଙ୍କୁ ବସିବାକୁ କହିବା ସତ୍ତ୍ୱେ ନୀତୀଶ ବସିନଥିଲେ । କିନ୍ତୁ ପରିସ୍ଥିତିକୁ ସମ୍ଭାଳିବାକୁ ଯାଇ ନୀତୀଶ ସ୍ମିତହାସ୍ୟ ଦେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ, ଆପଣମାନେ ଦୀର୍ଘ ୫ଠମିନିଟ୍ ଧରି ଅନେକ ପ୍ରଶ୍ନ ପଚାରିସାରିଛନ୍ତି ଏବଂ ସବୁର ଜବାବ ମଧ୍ୟ ପାଇସାରିଛନ୍ତି । ତେବେ ୨ଠ୨୪ରେ ବିରୋଧୀ ମଞ୍ଚର ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଫାଲ୍ତୁ ପ୍ରଶ୍ନକୁ ବାରମ୍ବାର ପଚାରୁଛନ୍ତି । ଅନ୍ୟପକ୍ଷେ କେସିଆରଙ୍କୁ ମଧ୍ୟ ନୀତୀଶ କହିଥିଲେ ଯେ, ଏମାନଙ୍କ (ସାମ୍ବାଦିକ) ପାଖରେ ଆଉ କିଛି ପଚାରିବାକୁ ନାହିଁ । ଏପରି କହିବା ସହ ସେ ବୈଠକ ଅଧାରୁ ଚାଲିଯାଇଥିଲେ । ନୀତୀଶଙ୍କ ସହ ସେଠାରେ ଉପସ୍ଥିତ ଥିବା ଆରଜେଡି ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ବୈଠକରୁ ଉଠି ଚାଲିଯାଇଥିଲେ । ଅନ୍ୟପକ୍ଷେ ନୀତୀଶ ଏବଂ ତେଜସ୍ୱୀଙ୍କ ଯିବା ପରେ ମଧ୍ୟ କେସିଆର ବସିରହି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଛି ।
ଏସବୁ ମଧ୍ୟରେ ବିଜେପି ପକ୍ଷରୁ ଏହି ଘଟଣାକୁ ନେଇ କଟାକ୍ଷ କରାଯାଇଛି । ଏହି ଘଟଣାର ଏକ ଭିଡିଓକୁ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଲେଖିଛନ୍ତି ଯେ, ଏମିତି ପ୍ରେସ୍ କନଫରେନ୍ସ ସେ ଆଜି ପର୍ଯ୍ୟନ୍ତ ଦେଖିନଥିଲେ । ସୂଚନାଯୋଗ୍ୟ, ବୁଧବାର ଦିନ କେସିଆର-ନୀତୀଶ ସାକ୍ଷାତକାର ସମୟରେ ଉଭୟ ନେତା ବିଜେପି ମୁକ୍ତ ଭାରତ’ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ପରସ୍ପରଙ୍କ ନେତୃତ୍ୱକୁ ବେଶ୍ ପ୍ରଶଂସା କରିବା ଦେଖିବାକୁ ମିଳିଥିଲା ।