ଜରାୟୁ କର୍କଟରୁ ମିଳିବ ଆଶ୍ୱସ୍ତି

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବଡ଼ ଉପଲବ୍ଧି
ନୂଆଦିଲ୍ଲୀ(ଏଜେନ୍ସି): ଗର୍ଭାଶୟ କର୍କଟ ବା ସର୍ଭାର୍ଇକଲ କ୍ୟାନ୍ସରକୁ ରୋକିବା ଦିଗରେ ଭାରତ ଏକ ବଡ ଉପଲବ୍ଧି ହାସଲ କରିଛି । ମହିଳାଙ୍କ ଠାରେ ଦେଖିବାକୁ ମିଳୁଥିବା ଗର୍ଭାଶୟ କର୍କଟ ଭଳି ସମସ୍ୟାକୁ ସ୍ଥାୟୀ ଭାବେ ପ୍ରତିକାର କରାଯିବା ଦିଗରେ ଚାଲିଥିବା ଅନୁସନ୍ଧାନ ସଫଳ ହୋଇଛି । ଏନେଇ ଦେଶର ପ୍ରମୁଖ ଟିକା ଉତ୍ପାଦନକାରୀ ଫାର୍ମା କମ୍ପାନୀ ସେରମ୍ ଇନ୍ଷ୍ଟିଚୁ୍ୟଟ୍ର ସିଇଓ ଆଦର ପୁନାୱାଲା ଗୁରୁବାର ଘୋଷଣା କରିଛନ୍ତି ।
ପୁନାୱାଲା କହିଛନ୍ତି, ମହିଳାଙ୍କ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ଭୟର କାରଣ ସାଜିଥିବା ଗର୍ଭାଶୟ କର୍କଟ ବିରୋଧରେ ଏକ ପ୍ରଭାବଶାଳୀ ଅସ୍ତ୍ର ଭାବେ ପ୍ରଥମ ସ୍ୱଦେଶୀ ଟିକାକୁ ପ୍ରସ୍ତୁତ କରାଯାଇଛି । ଖୁବଶୀଘ୍ର ଏହା ବଜାରରେ ମଧ୍ୟ ଉପଲବ୍ଧ ହେବ । ସିରମ୍ ଇନ୍ଷ୍ଟିଚୁ୍ୟଟ୍ ଏବଂ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍ ବାୟୋଟେକ୍ନୋଲୋଜି (ଡିବିଟି) ପକ୍ଷରୁ ମିଳିତ ଭାବେ ଏହି ଭ୍ୟାକ୍ସିନ୍କୁ ବିକଶିତ କରାଯାଇଛି । ଗୁରୁବାର କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ଟିକାକୁ ଲଞ୍ଚ୍ କରିଛନ୍ତି । କ୍ୱାଡି୍ରଭାଲେଣ୍ଟ ହୁ୍ୟମାନ୍ ପାପିଲୋମା ଭାଇରସ୍ ନାମରେ ଏହି ଭ୍ୟାକ୍ସିନ୍ର ନାମକରଣ କରାଯାଇଛି । ସମ୍ପ୍ରତି ଟିକାର ପ୍ରତି ଡୋଜର ମୂଲ୍ୟ ନିର୍ଦ୍ଧାରିତ ହୋଇନଥିବା ବେଳେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ମୂଲ୍ୟ ନିର୍ଦ୍ଧାରିତ କରାଯିବ ବୋଲି ପୁନାୱାଲା କହିଛନ୍ତି । ତେବେ ଏହା ୨ଶହରୁ ୪ଶହ ଟଙ୍କା ମଧ୍ୟରେ ସୀମିତ ରହିବ ବୋଲି ଅନୁମାନ କରାଯାଉଛି ।
ପ୍ରାପ୍ତ ସୂଚନାନୁସାରେ, ଦୀର୍ଘ ସମୟ ଧରି ମହିଳାଙ୍କ ପାଇଁ ଗର୍ଭାଶୟ କର୍କଟ ଏକ ଗମ୍ଭୀର ସମସ୍ୟା ସାଜିଥିବା ବେଳେ ଏଥିରୁ ମୁକ୍ତି ପାଇବା ପାଇଁ ଏହି ଭ୍ୟାକ୍ସିନ୍ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍ ଅନ୍ ଇମୁ୍ୟନାଇଜେସନ୍ (ଏନ୍ଟିଏଜିଆଇ)ର ଅଧ୍ୟକ୍ଷ ଡ. ଏନ୍କେ ଆରୋରା କହିଛନ୍ତି । ତାଙ୍କ ମତରେ ଗର୍ଭାଶୟ କର୍କଟର ମୂଳୋତ୍ପାଟନ କରିବା ପାଇଁ ହେଲେ ଏହି ଟିକାକୁ ପ୍ରଥମେ ୯ରୁ ୧୪ ବର୍ଷ ବୟସର ଝିଅମାନଙ୍କୁ ଦିଆଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବା ଉଚିତ୍ । ଏହାଦ୍ୱାରା ଆଗାମୀ ୩ଠ ବର୍ଷ ମଧ୍ୟରେ ଭାରତରେ ଗର୍ଭାଶୟ କର୍କଟ ଭଳି ଗୋଟିଏ ବି ମାମଲା ସାମ୍ନାକୁ ଆସିବ ନାହିଁ ବୋଲି ଆଶା କରାଯାଇପାରିବ ।
ସୂଚନାଯୋଗ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନ୍ସର (ଆଇଏଆର୍ସି-ଡବ୍ଲୁ୍ୟଏଚ୍ଓ) ଅନୁସାରେ ଭାରତରେ ପ୍ରତି ବର୍ଷ ହାରାହାରି ପ୍ରାୟ ୧.୨୩ ଲକ୍ଷ ଗର୍ଭାଶୟ କର୍କଟଜନିତ ନୂଆ ମାମଲା ପଞ୍ଜିକୃତ ହେଉଛି । ଏଥିମଧ୍ୟରୁ ହାରହାରି ୬୭ଠଠଠ ମହିଳାଙ୍କୁ ପ୍ରାଣ ମଧ୍ୟ ହରାଇବାକୁ ପଡୁଛି । ଦେଶରେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଥିବା ସାମାନ୍ୟ କର୍କଟ ରୋଗ ମଧ୍ୟରୁ ଅନ୍ୟତମ । ବିଶ୍ୱସ୍ତରରେ ମଧ୍ୟ ଗର୍ଭାଶୟ କର୍କଟ କ୍ଷେତ୍ରରେ ଭାରତ ୫ମ ସ୍ଥାନରେ ରହିଛି । ୧୫ରୁ ୪୪ ବର୍ଷୀୟ ମହିଳାଙ୍କ କ୍ୟାନସରଜନିତ ମୃତୁ୍ୟ କ୍ଷେତ୍ରରେ ଗର୍ଭାଶୟ କର୍କଟ ଅନ୍ୟତମ କାରଣ ସାଜିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *