ଗୋର୍ବାଚେଭଙ୍କ ପରଲୋକ

ମସ୍କୋ, ୩୧ା୮: ସୋଭିଏତ୍ ସଂଘର ଶେଷ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭଙ୍କର ମଙ୍ଗଳବାର ୯୧ ବର୍ଷ ବୟସରେ ପରଲୋକ ଘଟିଛି । ଅନେକ ଦିନ ଧରି ସେ ଅସୁସ୍ଥ ଥିଲେ । ତାଙ୍କ ମୃତୁ୍ୟରେ ବହୁ ବିଶ୍ୱନେତା ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତେବେ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ ହେବା ନେଇ ସଂଶୟ ରହିଛି । ୟୁରୋପରେ ୪୦ବର୍ଷର ପ୍ରାଚ୍ୟ-ପାଶ୍ଚାତ୍ୟ ଶୀତଳ ଯୁଦ୍ଧ (କୋଲ୍ଡ ୱାର)ରେ ସେ ହିଁ ଏକକ ଉଦ୍ୟମରେ ପରିସମାପ୍ତି ଘଟାଇଥିଲେ, କିନ୍ତୁ ୟୁନାଇଟେଡ୍ ୟୁନିୟନ୍ ଅଫ୍ ସୋଭିଏତ୍ ସୋସାଲିଷ୍ଟ ରିପବ୍ଲିକ୍ (ୟୁଏସ୍ଏସ୍ଆର)ର ପତନ ରୋକିବାରେ ବିଫଳ ହୋଇଥିଲେ । ସୋଭିଏତ୍ ସଂଘ ଖଣ୍ଡ ଖଣ୍ଡ ହୋଇଯାଇଥିଲା ।
ଭାରତ-ସୋଭିଏତ୍ ରୁଷ୍ ସମ୍ପର୍କକୁ ଦୃଢତର କରାଇବାକୁ ଯାଇ ଗୋର୍ବାଚେଭ୍ ଦୁଇଥର (୧୯୮୬ ଓ ୧୯୮୮ରେ) ଭାରତ ଗସ୍ତରେ ଆସିଥିଲେ । ତାଙ୍କ ପ୍ରଥମ ଭାରତ ଗସ୍ତ ଥିଲା ଐତିହାସିକ । ତାହାର କାରଣ ପାକିସ୍ତାନକୁ ଆମେରିକା ବିପୁଳ ସାମରିକ ସହାୟତା ଦେବା ଏବଂ ଚୀନ୍ ଓ ପାକିସ୍ତାନ ମଧ୍ୟରେ ନିବିଡ ସମ୍ପର୍କ ସ୍ଥାପନ ସମୟରେ ଗୋର୍ବାଚେଭ୍ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଆସି ଆମେରିକା ଉପରେ ଆଣବିକ ଅସ୍ତ୍ର ପ୍ରସଙ୍ଗରେ ଚାପ ପକାଇଥିଲେ ।
୧୯୩୧ରେ ଏକ ଗରିବ ପରିବାରରେ ଜାତ ଗୋର୍ବାଚେଭ ୧୯୮୫ରେ ସୋଭିଏତ୍ ସଂଘର ନୂଆ ନେତା ନିର୍ବାଚିତ ହୋଇ ୭ ବର୍ଷରୁ କମ୍ କ୍ଷମତାରେ ଥିଲେ । ମିଖାଇଲ୍ ଗୋର୍ବାଚେଭ ନାଗରିକଙ୍କୁ ସ୍ୱାଧୀନତା ଦେଇ ଗଣତାନ୍ତ୍ରିକ ଧାରାରେ କମୁ୍ୟନିଷ୍ଟ ଶାସନରେ ସଂସ୍କାର ଆଣିବାକୁ ଚାହୁଁଥିଲେ । ୧୯୮୯ରେ ସାମ୍ୟବାଦୀ ପୂର୍ବ ୟୁରୋପର ସୋଭିଏତ୍ ସଂଘରେ ଗଣତନ୍ତ୍ର ସମର୍ଥକମାନେ ବିରୋଧ ପ୍ରଦର୍ଶନ ଜୋରଦାର କଲେ, କିନ୍ତୁ ସେମାନଙ୍କୁ ଦମନ କରିବା ଲାଗି ଗୋର୍ବାଚେଭ ବଳ ପ୍ରୟୋଗ କଲେ ନାହିଁ । ସେ ଗ୍ଲାସ୍ନୋସ୍ତ ନୀତି ବା ବାକ୍ ସ୍ୱାଧୀନତାକୁ ମାନ୍ୟତା ଦେଲେ । ଗୋର୍ବାଚେଭ ପେରେସ୍ତ୍ରୋଇକା ବା ପୁନର୍ଗଠନ ନାମକ ଆର୍ଥିକ ସଂସ୍କାର ଆରମ୍ଭ କରିଥିଲେ ।
ଏହି କାରଣରୁ ଗୋର୍ବାଚେଭ ବିଦେଶରେ ଖୁବ୍ ପ୍ରଶଂସିତ ହୋଇଥିଲେ । ମାତ୍ର ତାଙ୍କୁ ରକ୍ଷଣଶୀଳ ରୁଷୀୟମାନେ ଘୃଣାଚକ୍ଷୁରେ ଦେଖୁଥିଲେ । ଚଳିତ ବର୍ଷର ଏକ ଜନମତ ସର୍ଭେ ଅନୁଯାୟୀ, ୭୦ ପ୍ରତିଶତରୁ ଅଧିକ ରୁଷୀୟଙ୍କ ମତରେ ଗୋର୍ବାଚେଭ୍ଙ୍କ ଶାସନ କାଳରେ ଦେଶ ନକାରାତ୍ମକ ଦିଗରେ ଗତି କରିଥିଲା ।
ତାଙ୍କ ଶାସନ କାଳରେ ହଜାର ହଜାର ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରାଯାଇଥିଲା । ଆମେରିକା ସହ ପରମାଣୁ ନିରସ୍ତ୍ରୀକରଣ ଚୁକ୍ତିର ସଫଳତା ପାଇଁ ୧୯୯୦ରେ ତାଙ୍କୁ ମିଳିଥିଲା ନୋବେଲ୍ ଶାନ୍ତି ପୁରସ୍କାର । ଗୋର୍ବାଚେଭ୍ ପୁତିନ୍ଙ୍କ ଦମନମୂଳକ ନୀତିକୁ ବିରୋଧ କରି ଆସୁଥିଲେ । ସ୍ୱାଧୀନ ସାମ୍ବାଦିକତାର ସେ ଥିଲେ ପକ୍ଷପାତୀ । ନୋବେଲ୍ ପୁରସ୍କାର ଅର୍ଥରୁ କିଛି ବିନିଯୋଗ କରି ସେ ଯେଉଁ ନୋଭାୟା ଗେଜେଟା ନାମକ ସମ୍ବାଦପତ୍ର ପ୍ରକାଶ କରିଥିଲେ ତାହା ରୁଷିଆରେ ଲୋକପ୍ରିୟ ହୋଇଥିଲା । ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ପରେ ପୁତିନ୍ ସରକାର ତା’ର ପ୍ରକାଶନକୁ ବନ୍ଦ କରି ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *