ବୁଡ଼ିଗଲେ ୨ ଶିଶୁ,୨ ବାଳକ

ଗଣେଶ ଚତୁର୍ଥୀରେ ଅଘଟଣ
ନୟାଗଡ/ ଫୁଲନଖରା, ୩୧ା୮(ଆପ୍ର): ଗଣେଶ ଚତୁର୍ଥୀ ଉପଲକ୍ଷେ ଗାଁଗଣ୍ଡା ଉତ୍ସବମୁଖର ହୋଇଉଠିଥିବା ସମୟରେ ନୟାଗଡ଼ ଓ କଟକ ଜିଲ୍ଲାରେ ଏକ ଶିଶୁ ସମେତ ୪ ବାଳକଙ୍କ ସଲିଳ ସମାଧି ଘଟିଛି । ଏହି ଅଘଟଣ ଉଭୟ ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
ଗାଁର କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ପୁତ୍ର ଚନ୍ଦ୍ରଶେଖର ସ୍ୱାଇଁ (୮) ଓ ରୁଦ୍ରମାଧବ ସ୍ୱାଇଁ (୫) ଗଣେଶ ପୂଜା ଭୋଜି ଖାଇ ଘରକୁ ଫେରିବା ସମୟରେ ଶୌଚ ହେବା ନିମିତ୍ତ ନିକଟସ୍ଥ ଷଣ୍ଢଖାଲିଆ ପୋଖରୀକୁ ଯାଇଥିଲେ । ଶୌଚ ହେବା ସମୟରେ ଗୋଡ଼ ଖସିଯିବାରୁ ଦୁହେଁ ଗଣ୍ଡକୁ ଖସି ବୁଡ଼ି ଯାଇଥିଲେ । ପୋଖରୀକୁ ଯାଇଥିବା ଗାଁର ଜଣେ ଲୋକ ଦୁହେଁ ପାଣିରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଦୁହିଁଙ୍କୁ ଉଦ୍ଧାର କରାଯାଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ଦୁହିଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ସରପଞ୍ଚଙ୍କ ପ୍ରତିନିଧି ବ୍ରଜେନ୍ଦ୍ର କୁମାର ସ୍ୱାଇଁ, ସମିତି ସଭ୍ୟ ଶୁଭେନ୍ଦୁ ମହାନ୍ତି ଓ ନାଏବ ସରପଞ୍ଚ ସନ୍ତୋଷ କୁମାର ନାୟକ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ନିମିତ୍ତ ଦାବି ହୋଇଛି ।
ଏଥିସହିତ କଟକ ସହର ସନ୍ନିକଟ କୁଆଖାଇ ନଦୀରେ ଗାଧୋଇବା ସମୟରେ ଭୁବନେଶ୍ୱରର ଦୁଇଜଣ ନାବାଳକ ଭାସିଯାଇଥିଲେ । ଜଣଙ୍କର ଶବ ମିଳିଛି । ପଟିଆ ଅଞ୍ଚଳର ୫ ଜଣ ପିଲା ଗାଧୋଇବା ପାଇଁ କୁଆଖାଇର ପ୍ରତାପନଗରୀ ଘାଟକୁ ଯାଇଥିଲେ । ଗାଧୋଇବା ସମୟରେ ୩ ଜଣ ସୁଅରେ ଭାସି ଯାଇଥିଲେ ।
ସ୍ଥାନୀୟ ଲୋକେ ତୁରନ୍ତ ଜଣକୁ ଉଦ୍ଧାର କରିଥିଲେ । କିନ୍ତୁ ଆଶୁତୋଷ ପାଲ ଏବଂ ୠତୁରଞ୍ଜନ ମାଝୀ ଭାସିଯାଇଥିଲେ । ସଦର ଥାନା ପୁଲିସ, ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କଲାପରେ ଆଶୁତୋଷର ଶବ ଉଦ୍ଧାର କରିଥିଳେ । ସନ୍ଧ୍ୟା ପର୍ଯ୍ୟନ୍ତ ଋତୁରଞ୍ଜନଙ୍କର ସନ୍ଧାନ ମିଳି ନଥିଲା । ଅଗ୍ନିଶମ ବାହିନୀ ଓ ସଦର ଥାନା ପୁଲିସର ମିଳିତ ଉଦ୍ୟମରେ ଉଦ୍ଧାର ଚାଲିଥିଲା । ରାତି ହେବାରୁ ଉଦ୍ଧାର ବନ୍ଧ ରହିଛି । ଗୁରୁବାର ସକାଳେ ପୁଣି ଖୋଜା ଯିବ ବୋଲି ଅଗ୍ନିଶମ ଅଧିକାରୀ ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *