ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି ସିକ୍ୟୋରିଟି ଗାର୍ଡ
ଡେରିକି ସ୍ୱାସ୍ଥ୍ୟକେନ୍ଦ୍ରରେ ଇଏ କି ସେବା?
ନାଉଗାଁ (ଆପ୍ର): ଜଗତସିଂହପୁର ଜିଲ୍ଲା ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଡାକ୍ତର ଅବା ଫାର୍ମାସିଷ୍ଟଙ୍କ ପରିବର୍ତ୍ତେ ସିକ୍ୟୋରିଟି ଗାର୍ଡର୍ ଦେଉଛନ୍ତି ଇଞ୍ଜେକ୍ସନ । ଏଭଳି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ନିଜର ଦୋଷକୁ ଲୁଚାଇବାକୁ ବିଭିନ୍ନ ପ୍ରକାର ଚେଷ୍ଟା ଚଳାଉଥିବା ଚର୍ଚ୍ଚା ହେଉଛି ।
ସୂଚନା ମୁତାବକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ସ୍ଥାନୀୟ ୫ ପଞ୍ଚାୟତର ୩୦ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ନିର୍ଭରଶୀଳ ଥିବା ବେଳେ ଏଭଳି ଚିକିତ୍ସାସେବାକୁ ସାଧାରଣରେ ନାପସନ୍ଦ କରାଯାଇଛି । ଅପରପକ୍ଷେ ଏଭଳି ଇଞ୍ଜେକ୍ସନ ଦେବା ପ୍ରସଙ୍ଗକୁ ମେଡିକାଲରେ ନିଯୁକ୍ତ ଫାର୍ମାସିଷ୍ଟ ଖଣ୍ଡନ କରିଛନ୍ତି । ଫାର୍ମାସିଷ୍ଟ ମିହିର କୁମାର ଲେଙ୍କାଙ୍କ କହିବା ମୁତାବକ ଗତ ଶନିବାର ୨ଟା ପରେ ସ୍ଥାନୀୟ ଗାଁର ରୋଗୀ ଜଣଙ୍କ ବାଲିକୁଦାର ପ୍ରେସିକ୍ରିପସନ ଆଣି ଆସିଥିଲେ । ୨ଟା ପରେ ସାର୍ ଆଉଟଡୋର ବନ୍ଦ କରି ଯାଇଥିବା ବେଳେ ମୁଁ ଖାଇବାଚୁ ଯାଇଥିଲି । ରୋଗୀ ଜଣଙ୍କ ତାଙ୍କୁ ଅନୁରୋଧ କରିବାରୁ ସେ ଇଞ୍ଜେକ୍ସନ ଦେଇଥିଲେ । ଅପରପକ୍ଷେ ଭାଇରାଲ ହେଉଥିବା ଭିଡିଓରେ ବର୍ତ୍ତମାନ ଦିନ ୧୦ଟା ହୋଇଥିବା ଭିଡିଓ କରୁଥିବା ବ୍ୟକ୍ତି ଜଣଙ୍କ କହୁଥିବା ଦେଖିବାକୁ ମିଳିଥିବା ବେଳେ ଆଉଟ୍ଡୋର ଭିତରେ ଜଣେ କିଏ ପସୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ତେଣୁ ଫାର୍ମାସିଷ୍ଟଙ୍କ ମତ ସମ୍ପୂର୍ଣ୍ଣ ମିଛ ବୋଲି କୁହାଯାଉଛି । ଭିଡିଓରେ ଶୁଭୁଥିବା ସମୟ ପ୍ରସଙ୍ଗରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି ।
ଏ ବିଷୟରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ମାନସ କୁମାର ମହାପାତ୍ରଙ୍କୁ ପଚାରିବାରୁ ରୋଗୀ ଜଣଙ୍କ ବାଲିକୁଦାର ପ୍ରେସିକ୍ରିପସନ ଆଣି ଡେରିକି ସ୍ୱାସ୍ଥ୍ୟକେନ୍ଦ୍ରରେ ଇଞ୍ଜେକ୍ସନ ଦେଇଥିବା ସଫେଇ ଦେଇ ପ୍ରସଙ୍ଗକୁ ଏଡାଇ ଦେଇଥିଲେ । ଏଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉକ୍ତ ପ୍ରସଙ୍ଗକୁ ଗୁରୁତ୍ୱର ସହିତ ନେଇ ଏହାର ନିରପେକ୍ଷ ତଦନ୍ତ କରିବାକୁ ଦାବି ହେଉଛି ।