ରାଜଧାନୀବାସୀଙ୍କୁ ମିଳିବ ମୌଳିକ ସୁବିଧା
ବିଏମ୍ସି ପାଳିଲା ସ୍ୱାୟତ୍ତ ଶାସନ ଦିବସ
ଭୁବନେଶ୍ୱର (ବୁ୍ୟରୋ): ସ୍ୱାୟତ୍ତ ଶାସନ ଦିବସ ପାଳନ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) । କୋଭିଡ କଟକଣା ଯୋଗୁଁ ଦୀର୍ଘ ୨ବର୍ଷ ପରେ ସ୍ୱାୟତ୍ତ ଶାସନ ଦିବସ ପାଳୁଛନ୍ତି ବିଏମସି ନବନିର୍ବାଚିତ ପ୍ରତିନିଧି । ବିଏମସି କାର୍ଯ୍ୟାଳୟ ପରିସରରେ ମେୟର ସୁଲୋଚନା ଦାସ ପତାକା ଉତ୍ତୋଳନ କରିବା ସହ ସ୍ୱାୟତ୍ତ ଶାସନ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମେୟର ଓ କମିଶନରଙ୍କ ଉପସ୍ଥିତିରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ସମସ୍ତ କର୍ପୋରେଟର ଓ ଅଧିକାରୀ ଉପସ୍ଥିତ ରହିଥିଲେ । ଏଥିସହ ରାଜଧାନୀର ସର୍ବାଙ୍ଗୀନ ଉନ୍ନତି ସହ ସହରବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲେଚାନା ହୋଇଥିଲା ।
ଆସନ୍ତାକାଲି ଓ ଶୁକ୍ରବାର ୨ ଦିନ ବିଭିନ୍ନ ୱାର୍ଡରେ ପ୍ରାୟ ୬୧କୋଟି ଅର୍ଥର ୪୦ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରାଯିବ । ମୁଖ୍ୟତଃ ଡ୍ରେନେଜ, ରାସ୍ତାଘାଟ, ଆଲୋକୀକରଣ, ପାର୍କ ଓ ଜଳାଶୟ ଆଦିର ଉନ୍ନତିକରଣ କରାଯିବ । ସ୍ମାର୍ଟସିଟିକୁ ଅଧିକ ସ୍ୱଚ୍ଛ ନିର୍ମଳ ଓ ସୁନ୍ଦର ଭାବେ ଗଢି ତୋଳାଯାଇ ପାରିବ ସେ ଦିଗରେ ମଧ୍ୟ କାର୍ଯ୍ୟ କରାଯିବ ବୋଲି ମେୟର ଶ୍ରୀମତି ଦାସ କହିଛନ୍ତି ।
ଆସନ୍ତାକାଲି ଓ ୨ତାରିଖରେ ବିଭିନ୍ନ ୱାର୍ଡରେ ପ୍ରାୟ ୪୦ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ୪ଜଣ ମନ୍ତ୍ରୀ ଓ ୩ଜଣ ବିଧାୟକ ସାମିଲ ହେବେ ।