ଟିଟିଏସ୍ରୁ ଡମ୍ପିଂ ୟାର୍ଡ ଗଲା ଅଳିଆ
ଭୁବନେଶ୍ୱର (ବୁ୍ୟରୋ): ବହୁ ବାଦ ବିବାଦ ପରେ ଗାଡକଣସ୍ଥିତ ଟିଟିଏସରୁ ଅଳିଆ ଉଠିବା ଆରମ୍ଭ ହୋଇଛି । ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ଦାବିକୁ ପ୍ରଶାସନ ମାନିନେବା ପରେ ଭୁଆଶୁଣି ଡମ୍ପିଂୟାର୍ଡକୁ ଅଳିଆ ସ୍ଥାନାନ୍ତର କରାଯାଉଛି । ଏନେଇ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ମେୟର ସୁଲୋଚନା ଦାସ । ଦୀର୍ଘ ୨୦ ଦିନ ଧରି ଅଚଳ ପଡିଥିବା ଭୁଆଶୁଣି ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ବାଟ ଫିଟିଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏନେଇ ସମାଧାନ ହୋଇଥିଲା । ବୁଧବାରଠାରୁ ଗାଡକଣସ୍ଥିତ ଟିଟିଏସରୁ ଟ୍ରକ ଯୋଗେ ଅଳିଆ ସ୍ଥାନାନ୍ତର କରାଯାଉଛି ।
ଦୈନିକ ୨ଶହ ଟ୍ରକରେ ଅଳିଆ ଉଠିବ । ପର୍ଯ୍ୟାୟ କ୍ରମେ ଟ୍ରକ ସଂଖ୍ୟା ହ୍ରାସ କରାଯିବ ବୋଲି ଏହି ଅବସରରେ ପ୍ରକାଶ ପାଇଛି । ଆସନ୍ତା ୯ ମାସ ମଧ୍ୟରେ ଅଧିକ କ୍ଷମତା ବିଶିଷ୍ଟ ଏମସିସି ଓ ମେଗା ଏମ୍ଆର୍ଏଫ୍ ପ୍ରତିଷ୍ଠା କରାଯିବ । ଭୁବନେଶ୍ୱରରୁ ଦୈନିକ ର୍ନିଗତ ହେଉଥିବା ଅଳିଆକୁ ସହର ଭିତରେ ଏମ୍ସିସି ଓ ଏମ୍ଆର୍ଏଫ୍ ଜରିଆରେ ପୃଥକୀକରଣ ଓ ପ୍ରକ୍ରିୟାକରଣ କରି ପରିଚାଳନା କରାଯିବ । ଡମ୍ପିଂୟାର୍ଡର ସ୍ଥାୟୀ ସମାଧାନ ପାଇଁ ବିଏମସି ନିର୍ଦ୍ଧାରିତ ସମୟ ମଧ୍ୟରେ କଣ ପଦକ୍ଷେପ ନେଉଛି ତାହାର ସମୀକ୍ଷା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ କରିବେ । ସେହିଭଳି ବିଏମସି କମିଶନର ଓ ଦାରୁଠେଙ୍ଗ ସରପଞ୍ଚଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ସମନ୍ୱୟ ବୈଠକ ବସିବ ବୋଲି ସୂଚନା ମିଳିଛି ।
ସେପଟେ ଆଉ ଡମ୍ପିଂୟାଡ୍ କରିବୁନି, ଏନ୍ଜିଟି ନିଦେ୍ର୍ଦଶ ମୁତାବକ ଆବଶ୍ୟକ ଏମ୍ସିସି ଓ ଏମ୍ଆରଏଫ୍ କରି ଅଳିଆ ପ୍ରକ୍ରିୟାକରଣ କରାଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି । ଏବେ ଭୁବନେଶ୍ୱରରେ ୩୨ ଏମ୍ସିସି ଓ ୧୪ ଏମ୍ଆରଏଫ୍ରେ ଭୁବନେଶ୍ୱରରୁ ବାହାରୁ ଥିବା ଅଳିଆ ପ୍ରକ୍ରିୟାକରଣ ହେଉଛି । ଭୁବନେଶ୍ୱରରୁ ଦୈନିକ ୫୦୦ ମେଟ୍ରିିକ୍ ଟନ୍ କଠିନ ଓ ଓଦା ଅଳିଆ ବାହାରୁଥିବାବେଳେ ୩୦୦ ଟନ୍ ଏମ୍ସିସି ଓ ଏମ୍ଆରଏଫ୍ରେ ପ୍ରକ୍ରିୟା କରଣ ହେଉଛି । ବାକି ୨୦୦ ଟନ ପ୍ରକ୍ରିୟା କରଣ ନିମନ୍ତେ ଆବଶ୍ୟକ ଅଧିକ ଏମ୍ସିସି ଓ ଏମ୍ଆରଏଫ୍ ଶୀଘ୍ର କରାଯିବ । ଡମ୍ପିଂୟାଡ୍ରେ ପଡ଼ିଥିବା ଆବର୍ଜନା ବାୟୋମାଇନିଂରେ ନଷ୍ଟ କରାଯିବ ବୋଲି ମେୟର ଶ୍ରୀମତି ଦାସ କହିଛନ୍ତି ।
ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଭୁବନେଶ୍ୱରରେ ମୋଟ ୪୧ ଏମ୍ସିିସି କରାଯିବାକୁ ଲକ୍ଷ୍ୟ ରହିଛି । ଯାହା ଭିତରୁ ୩୨ କାର୍ଯ୍ୟକ୍ଷମ ଅଛି । ବାକିଗୁଡ଼ିକ ଖୁବ୍ଶୀଘ୍ର ସରିବ ଓ କାର୍ଯ୍ୟକ୍ଷମ ହେବ । ସେହିପରି ୪ ମେଗା ଏମ୍ଆରଏଫ୍ କରିବାକୁ ମଧ୍ୟ ଜମି ଚିହ୍ନଟ ହୋଇସାରିଛି । ତେଣୁ ଏହା ଖୁବ୍ ଶୀଘ୍ର କରାଯିବ । ଫଳରେ ଭୁବନେଶ୍ୱର ଅଳିଆ ଭୁବନେଶ୍ୱରରେ ହିଁ ପ୍ରକ୍ରିୟା କରଣ ହେବ । ସେପଟେ ଦାରୁଠେଙ୍ଗକୁ ଏବେ ୨୦୦ ଟ୍ରକ୍ ଅଳିଆ ପକାଇବାକୁ ଛଡ଼ାଯିବ । ଯାହା ଆସନ୍ତା ମାସକୁ ୧୫୦କୁ ହ୍ରାସ କରାଯିବ । ଏଭଳି ଆସନ୍ତା ୯ ମାସ ଭିତରେ ଦାରୁଠେଙ୍ଗକୁ ଆବର୍ଜନା ପଠାଇବା ଟ୍ରକ୍ ସଂଖ୍ୟାକୁ ଶୂନ କରିଦିଆଯିବ ।
ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ କହିଛନ୍ତି, ଦାରୁଠେଙ୍ଗକୁ ଅଳିଆ ନ ପଠାଇବାକୁ ଓ ଅଳିଆ ଗାଡ଼ି ଧକ୍କାରେ ମୃତ ବ୍ୟକ୍ତିଙ୍କର ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ସରକାର ଏହା ଉପରେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଯାହାପାଇଁ ଡମ୍ଫିଂୟାର୍ଡରେ ଅଳିଆ ପଡ଼ିବା ଆରମ୍ଭ ହୋଇଛି । ଏହା ବିଏମ୍ସି ପାଇଁ ଶେଷ ସୁଯୋଗ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଗତ ୨୦ ଦିନ ହେବ ରାଜଧାନୀରୁ ଅଳିଆ ଉଠିବା ନେଇ ଅଚଳାବସ୍ଥା ଦେଖାଦେଇଥିଲା । ଦାରୁଠେଙ୍ଗରେ ଅଳିଆ ନପକାଇବାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଆସୁଥିଲେ । ସରକାର ଆଗାମୀ ୯ ମାସ ଭିତରେ ଦାବି ପୂରଣ କରିବାକୁ ଦାରୁଠେଙ୍ଗବାସୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଅଳିଆ ପକା ସ୍ୱାଭାବିକ ହୋଇଛି ।