ପ୍ରେମିକାଙ୍କୁ ମାରି ଲୁଚାଇ ରଖିଥିଲା
ାା ଏକ ତରଫା ପ୍ରେମର କରୁଣ ପରିଣତି ।ା
ବାରିପଦା (ଆପ୍ର): ପ୍ରେମରେ ଅନ୍ଧ ହୋଇ ଯୁବତୀଙ୍କୁ କଚାଡ଼ି ମାରିଦେଲା ଏକ ତରଫା ପ୍ରେମ କରୁଥିବା ଯୁବକ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ ଜୁଆଳିଭଙ୍ଗା ପଞ୍ଚାୟତ ପିସିପୁର-ଭଦ୍ରାଶୋଳ ଗ୍ରାମରେ ।
ଗ୍ରାମର ଦେବାନ ଭକ୍ତାଙ୍କ ଝିଅ ଯାତ୍ରୀ ଭକ୍ତା (୨୨)ଙ୍କୁ ସେହି ଗ୍ରାମର ଚାମଟୁ ନାଏକଙ୍କ ପୁଅ ଟିପୁନ ନାଏକ (୨୫) ମଙ୍ଗଳବାର ରାତିରେ ହତ୍ୟା କରିବା ପରେ ଶବ ନିକଟସ୍ଥ ଜଙ୍ଗଲରେ ଲୁଚାଇ ଦେଇଥିଲା । ମୋରଡ଼ା ଥାନାଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଖବରପାଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ବୁଧବାର ତଦନ୍ତରେ ସାମିଲ ହୋଇଥିଲା । ପ୍ରେମିକ ଟିପୁନକୁ ଗିରଫ କରାଯାଇଛି ।
ଯାତ୍ରୀଙ୍କୁ ଗତ ତିନିବର୍ଷ ହେବ ଟିପୁନ ପ୍ରେମ କରୁଥିଲା । ମଙ୍ଗଳବାର ସନ୍ଧ୍ୟାରେ ଟିପୁନ ଉତ୍ତ୍ୟକ୍ତ ହୋଇ ଯାତ୍ରୀଙ୍କୁ ବାଡ଼େଇ ଥିଲା । ସେତିକିରେ ରାଗ ଶାନ୍ତ ପଡ଼ି ନ ଥିଲା । ଶେଷରେ ଯାତ୍ରୀଙ୍କୁ ଉଠାଇନେଇ କଚାଡ଼ି ଜୀବନରୁ ମାରି ଦେଇଥିଲା ଟିପୁନ । ଏହାପରେ ଯାତ୍ରୀଙ୍କ ଶବକୁ ଜଙ୍ଗଲରେ ଲୁଚାଇ ଲୁଚି ରହିଥିଲା । ହତ୍ୟାକାରୀ ପ୍ରେମିକ ଟିପୁନକୁ କୌଶଳ କ୍ରମେ ଗିରଫ କରିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ତଦନ୍ତ ଭାର ଗ୍ରହଣ କରିଥିବା ଏସ୍ଆଇପିସି ପଣ୍ଡା ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଶବ ଜବତ କରାଯିବା ପରେ ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍କୁ ପଠାଇ ୨୨୯/୨୨ରେ ମାମଲା ରୁଜୁ କରାଯାଇଛି ।