ମାରା ହେଉଛି ମହାପ୍ରଭୁଙ୍କ ଫୁଲ ଓ ତୁଳସୀ
ାା ଶ୍ରୀମନ୍ଦିର ଗର୍ଭଗୃହରେ ଗଳୁଛି ପାଣି ।ା
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ଗର୍ଭଗୃହରୁ ସିମେଣ୍ଟ ପଲସ୍ତରା ଖସି ପଡ଼ିଥିଲା । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏବେ ପୁଣି ଗର୍ଭଗୃହରେ ଅଘଟଣ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଗର୍ଭଗୃହରେ ଲାଗିଥିବା ଏସି ଯୋଗୁଁ ପାଣି ଗଳୁଛି । ଏଥିରୁ ପାଣି ଗଳିବା ଦ୍ୱାରା ମହାପ୍ରଭୁଙ୍କ ଲାଗି ରଖାଯାଇଥିବା ଫୁଲ, ତୁଳସୀ ସ୍ଥାନରେ ପାଣି ପଡୁଛି । ଫଳରେ ଦୈନିକ ଫୁଲ ଓ ତୁଳସୀ ମାରା ହେଉଥିବା ନେଇ ଅଭିଯୋଗ କରିଛନ୍ତି ଛାମୁ ଖୁଣ୍ଟିଆ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଦିନ ବାଧ୍ୟ ହୋଇ ସମସ୍ତ ଫୁଲ ଓ ତଳସୀକୁ ଫୋଫାଡ଼ିବାକୁ ପଡୁଛି । ଏହାର ତୁରନ୍ତ ପ୍ରତିକାର କରିବାକୁ ସେବାୟତ ଶ୍ରୀ ଖୁଣ୍ଟିଆ ଦାବି କରିଛନ୍ତି । ଶ୍ରୀମନ୍ଦିରର ଗର୍ଭଗୃହକୁ ଶୀତଳ ରଖିବା ଲାଗି ଏଏସ୍ଆଇ ବିଭାଗ ପକ୍ଷରୁ ବଡ଼ ବଡ଼ ଏସି ଲଗାଯାଇଛି । ଏହି ଏସି ଗୁଡ଼ିକର ପାଣି ପାଇପ୍ ଯୋଗେ ବାଟି ଘର, ବେହେରଣ ଦ୍ୱାର ଦେଇ ବାହାରକୁ ଛଡ଼ାଯାଇଛି । ଛାମୁ ଖୁଣ୍ଟିଆ ସେବକ ତଥା ଖୁଣ୍ଟିଆ ନିଯୋଗର ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ଯେ, ଏହି ଏସି ପାଇପ୍ରୁ ପାଣି ଗଳି ପ୍ରତିଦିନ ବାଟି ଉପରେ ପଡୁଛି । ପାଣି ପଡ଼ି ଦୈନିକ ଫୁଲ, ତୁଳସୀ ମାରା ହେଉଥିବାରୁ ଏହାକୁ ଫିଙ୍ଗିବାକୁ ପଡୁଛି । ବେତା, ବେତା ଫୁଲ, ତୁଳସୀ ଏଥିପାଇଁ ନଷ୍ଟ ହେଉଛି । ଏହାର ତ୍ୱରିତ ସମାଧାନ ନ କଲେ ଆଗାମୀ ଦିନରେ ମହାପ୍ରଭୁଙ୍କ ପାଇଁ ଫୁଲ ଓ ତୁଳସୀର ଅଭାବ ଦେଖାଦେଇପାରେ । ସେଭଳି ପରିସ୍ଥିତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦାୟୀ ରହିବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି ।
ସୂଚନାଥାଉକି, ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ଏଏସ୍ଆଇ ହାତରେ ରହିଥିବା ବେଳେ ନିୟମିତ ଭାବେ ମନ୍ଦିରକୁ ଯାଞ୍ଚ କରାଯାଉ ନ ଥିବାରୁ ଏଭଳି ବାରମ୍ବାର ଅଘଟଣ ଘଟୁଥିବା ଜଣାପଡ଼ିଛି ।