ଶ୍ରୀକାନ୍ତ ଜିତିଲେ; ଲକ୍ଷ୍ୟ ଓ ସାଇନା ବିଦା
ଜାପାନ୍ ଓପନ୍ ବ୍ୟାଡ୍ମିଣ୍ଟନ
ଓସାକା, ୩୧ା୮ (ଏଜେନ୍ସି): ଭାରତର ତାରକା ସଟ୍ଲର୍ କିଦାମ୍ବୀ ଶ୍ରୀକାନ୍ତ ବିଶ୍ୱର ଚାରି ନମ୍ବର ଖେଳାଳି ଲୀ’ ଜି’ ଜିଆଙ୍କୁ ସ୍ତବ୍ଧ କରି ବୁଧବାର ଜାପାନ୍ ଓପନ୍ ସୁପର୍ ୭୫୦ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଲକ୍ଷ୍ୟ ସେନ୍ ପ୍ରଥମ ରାଉଣ୍ଡରେ ପରାଜିତ ହୋଇଛନ୍ତି । ସାଇନା ନେହୱାଲ୍ଙ୍କ ଅଭିଯାନ ବି ଶେଷ ହୋଇଛି ।
ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଶ୍ରୀକାନ୍ତ ବିଶ୍ୱ ଚାମ୍ପିଅନ୍ସିପ୍ସରୁ ସଅଳ ବିଦାୟ ଜନିତ ବିଫଳତାରୁ ମୁକୁଳି ପୁରୁଷ ଏକକରେ ନିଜ ପ୍ରଥମ ମ୍ୟାଚ୍ରେ ପଞ୍ଚମ ସିଡ୍ ମାଲେସୀୟ ଲୀ’ଙ୍କୁ ୨୨-୨୦, ୨୩-୨୧ରେ ମାତ୍ ଦେଇଥିଲେ । ଏହି ମ୍ୟାଚ୍ ୩୭ ମିନିଟ୍ ଯାଏଁ ଚାଲିଥିଲା । ୧୪ତମ ଖେଳାଳି ଶ୍ରୀକାନ୍ତ ଏହି ଖେଳାଳିଙ୍କ ବିପକ୍ଷରେ ଚାରି ଥର ଖେଳି ପ୍ରଥମ ଥର ବିଜୟ ହାସଲ କରିଥିଲେ । ଏଥି ପୂର୍ବରୁ ମଙ୍ଗଳବାର ଏଚ୍ଏସ୍ ପ୍ରଣୟ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ହଂକଂର ଏନ୍ଜି କା’ ଲଙ୍ଗ୍ ଅଙ୍ଗସ୍ ଅଧାରୁ ଓହରି ଯିବାରୁ ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ପାଇଥିଲେ ।
କିନ୍ତୁ ୨୦୨୧ ବିଶ୍ୱ ଚାମ୍ପିଅନ୍ସିପ୍ସ କାଂସ୍ୟ ପଦକଧାରୀ ୨୧ବର୍ଷୀୟ ଲକ୍ଷ୍ୟ ବିଶ୍ୱର ୨୧ତମ ଜାପାନୀ କେନ୍ତା ନିଶିମୋତୋଙ୍କ ଆହ୍ୱାନକୁ ପ୍ରତିହତ କରିପାରି ନ ଥିଲେ । ସେ ୨୧-୧୮, ୧୪-୨୧, ୧୩-୨୧ରେ ହାରି ଯାଇଥିଲେ ।
ମହିଳା ଏକକରେ ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ପଦକଧାରିଣୀ ସାଇନା ଟପ୍ ସିଡ୍ ଅକାନେ ୟାମାଗୁଚିଙ୍କ ଠାରୁ ୯-୨୧, ୧୭-୨୧ରେ ପରାଜିତ ହୋଇଥିଲେ । ଏହି ମ୍ୟାଚ୍ ୩୦ ମିନିଟ୍ ଧରି ଚାଲିଥିଲା । ପ୍ରତିଭାଶାଳୀ ଏମ୍ଆର୍ ଅର୍ଜୁନ ଓ ଧ୍ରୁବ କପିଳାଙ୍କ ପୁରୁଷ ଯୁଗଳ ଯୋଡ଼ି ମଧ୍ୟ କୋରିଆର ଚୋଇ ସୋଲ ଗୁ୍ୟ ଓ କିମ୍ ଓନ୍ ହୋଙ୍କ ଠାରୁ ୨୧-୧୯, ୨୧-୨୩, ୧୫-୨୧ରେ ହାରି ଯାଇଥିଲେ । ବିଶ୍ୱ ଚାମ୍ପିଅନ୍ସିପ୍ସରେ କ୍ୱାର୍ଟର୍-ଫାଇନାଲ୍ ଫିନିଶ୍ ପରେ ସେମାନେ ବିଶ୍ୱ ମାନ୍ୟତାରେ ନଅ ସ୍ଥାନ ଉପରକୁ ଉଠି ୨୬ତମ ସ୍ଥାନରେ ପହଞ୍ଚିଥିଲେ । କିନ୍ତୁ ପ୍ରଥମ ଗେମ୍ ଜିତିବା ସତ୍ତ୍ୱେ ଭାରତୀୟ ଯୋଡ଼ି ମ୍ୟାଚ୍ ବଞ୍ଚାଇ ପାରି ନ ଥିଲେ ।
ମହିଳା ଯୁଗଳରେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜୟିନୀ ଗାୟତ୍ରୀ ଗୋପୀଚାନ୍ଦ ଓ ତ୍ରୀସା ଜୋଲୀ ଥାଇଲାଣ୍ଡ୍ର ଜୋଙ୍ଗକୋଲଫାନ୍ କିଟିଥାରାକୁଲ ଓ ରାୱିନ୍ଦା ପ୍ରଜୋଙ୍ଗଜାଇଙ୍କ ଠାରୁ ୧୭-୨୧, ୧୮-୨୧ରେ ହାରି ଯାଇଥିଲେ । ସେହିପରି ମିଶ୍ରିତ ଯୁଗଳ ଯୋଡ଼ି ଜୁହି ଦେୱାନଗନ ଓ ଭେଙ୍କଟ ଗୌରବ ଚୀନା ଯୋଡ଼ି ଟପ୍ ସିଡ୍ ଝେଙ୍ଗ ସି’ ୱି’ ଓ ହୁଆଙ୍ଗ ୟା’ କିଓଙ୍ଗଙ୍କ ଠାରୁ ୧୧-୨୧, ୧୦-୨୧ରେ ପରାସ୍ତ ହୋଇଥିଲେ ।