ସୁପର୍-୪ରେ ଟିମ୍ ଇଣ୍ଡିଆ

୪୦ ରନ୍ରେ ହାରିଲା ହଂକଂ, ସୂର୍ଯ୍ୟ ଓ ବିରାଟଙ୍କ ଅର୍ଦ୍ଧଶତକ
ଦୁବାଇ, ୩୧ା୮ (ଏଜେନ୍ସି): ସୂର୍ଯ୍ୟକୁମାର ଯାଦବ (୨୬ ବଲ୍ରୁ ଅପରାଜିତ ୬୮) ଓ ବିରାଟ କୋହଲି (୪୪ ବଲ୍ରୁ ଅପରାଜିତ ୫୯)ଙ୍କ ଅର୍ଦ୍ଧଶତକ ସହାୟତାରେ ଟିମ୍ ଇଣ୍ଡିଆ ଏସିଆ କପ୍ରେ ବୁଧବାର ନିଜ ଦ୍ୱିତୀୟ ମ୍ୟାଚ୍ରେ ହଂକଂକୁ ୪୦ ରନ୍ରେ ପରାସ୍ତ କରିଛି । କ୍ରମାଗତ ଦୁଇଟି ବିଜୟ ସହ ଭାରତ ସୁପର୍-୪କୁ ଉନ୍ନୀତ ହୋଇଛି ।
ହଂକଂର ଅଧିନାୟକ ନିଜାକତ ଖାଁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଟିମ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ସାମିଲ୍ କରାଯାଇଥିଲା ।
ଲୋକେଶ ରାହୁଲ ଓ ଅଧିନାୟକ ରୋହିତ ଶର୍ମା ସତର୍କତାର ସହ ଭାରତୀୟ ଇନିଂସ୍ ଓପନ୍ କରିଥିଲେ । ତେବେ ରୋହିତ (୧୩ ବଲ୍ରୁ ୨୧ ରନ୍) ବଡ଼ ଇନିଂସ୍ ଖେଳି ପାରି ନ ଥିଲେ । ୩୮ ରନ୍ରେ ଯୋଡ଼ି ଭାଙ୍ଗିଥିଲା । ଭାରତୀୟ ବଂଶୋଦ୍ଭବ ଆୟୁଷ ଶୁକ୍ଳାଙ୍କ ଖାତାକୁ ରୋହିତଙ୍କ ୱିକେଟ୍ ଯାଇଥିଲା ।
ଇତ୍ୟବସରେ, ରୋହିତ ଏକ ଉପଲବ୍ଧି ହାସଲ କରିଥିଲେ । ସେ ପ୍ରଥମ ରନ୍ ସଂଗ୍ରହ କରିବା ସହ ଟି-୨୦ ଆନ୍ତର୍ଜାତିକରେ ୩୫୦୦ ରନ୍ କରିବାରେ ବିଶ୍ୱର ପ୍ରଥମ ବ୍ୟାଟର୍ ହୋଇପାରିଥିଲେ ।
ଏହାପରେ ରାହୁଲ ନୂଆ ବ୍ୟାଟର୍ ବିରାଟ କୋହଲିଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ ୫୬ ରନ୍ର ଭାଗୀଦାରୀ ହୋଇଥିଲା । ତେବେ ରାହୁଲ ଦୁର୍ବଳ ପ୍ରଦର୍ଶନ କରିଥିଲେ । ୩୬ ରନ୍ କରିବା ପାଇଁ ସେ ୩୯ ବଲ୍ ଖେଳିଥିଲେ । ତାଙ୍କ ଷ୍ଟ୍ରାଇକ୍ ରେଟ୍ ୯୨.୩୦ ଥିଲା । ମହମ୍ମଦ ଗଜନଫର ତାଙ୍କ ୱିକେଟ୍ ନେଇଥିଲେ ।
୯୪ ରନ୍ରେ ଦ୍ୱିତୀୟ ୱିକେଟ୍ ପଡ଼ିବା ପରେ ବିରାଟ ଓ ସୂର୍ଯ୍ୟକୁମାର ଇନିଂସ୍କୁ ଆଗେଇ ନେଇଥିଲେ । ବିରାଟ ୪୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଶେଷ ଥର କୋହଲି ୨୦୨୨ ଫେବ୍ରୁଆରୀ ୧୮ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅର୍ଦ୍ଧଶତକ (୪୧ ବଲ୍ରୁ ୫୨ ରନ୍) ଲଗାଇଥିଲେ ।
ଶେଷ ପାଞ୍ଚ ଓଭର୍ରେ ଭାରତ ୭୮/୦ ସ୍କୋର୍ କରିଥିଲା । ଶେଷ ଓଭର୍ରେ ହାରୂନ୍ ହର୍ଷଦଙ୍କ ବଲ୍ରେ ସୂର୍ଯ୍ୟକୁମାର ଚାରି ଛକା ସହ ୨୬ ରନ୍ ସଂଗ୍ରହ କରିଥିଲେ । ଉକ୍ତ ଓଭର୍ରେ ସେ ୨୨ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୨ ୱିକେଟ୍ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲା । ବିରାଟ ୧ ଚୌକା ଓ ୩ ଛକା ସହାୟତାରେ ୫୯ ଏବଂ ସୂର୍ଯ୍ୟକୁମାର ୬ ଲେଖାଏଁ ଚୌକା ଓ ଛକା ସହାୟତାରେ ୨୬ ବଲ୍ରୁ ୬୮ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ଅର୍ଶଦ ୩ ଓଭର୍ରେ ସର୍ବାଧିକ ୫୩ ରନ୍ ଦେଇଥିଲେ ।
୧୯୩ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ହଂକଂ ଟିମ୍ ଧାର୍ଯ୍ୟ ଓଭର୍ରେ ୫ ୱିକେଟ୍ ହରାଇ ୧୫୨ ରନ୍ କରିବାକୁ ସମର୍ଥ ହୋଇଥିଲା । ଓପନିଂ ଯୋଡ଼ି ୧୨ ରନ୍ରେ ଭାଙ୍ଗିଥିଲା । ୟାସିମ୍ ମୂର୍ତ୍ତଜା ୯ ରନ୍ କରି ଅର୍ଶଦୀପଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଓପନର୍ ତଥା ଅଧିନାୟକ ନିଜାକତ ୧୦ ରନ୍ କରି ରନ୍ଆଉଟ୍ ହୋଇଯାଇଥିଲେ ।
ଦୃଢ଼ ବ୍ୟାଟିଂ କରୁଥିବା ବାବର ହୟାତ୍ (୩୫ ବଲ୍ରୁ ୪୧ ରନ୍)ଙ୍କ ଇନିଂସ୍ର ଅନ୍ତ ଘଟାଇଥିଲେ ରବୀନ୍ଦ୍ର ଜାଡ଼େଜା । ୭୪ ରନ୍ରେ ଟିମ୍ ତୃତୀୟ ୱିକେଟ୍ ହରାଇଥିଲା । ଅଇରାଜ ଖାଁ ୧୪ ରନ୍ କରି ଚତୁର୍ଥ ବ୍ୟାଟର୍ ଭାବେ ଅଭେଶ ଖାଁଙ୍କ ଶିକାର ହୋଇଥିବା ବେଳେ କିଞ୍ଚିତ ଶାହ ୩୦ ରନ୍ କରି ଭୁବନେଶ୍ୱର କୁମାରଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *