ଗୁଜରାଟ ଦଙ୍ଗାର ସବୁ ମାମଲା ବନ୍ଦ

ନୂଆଦିଲ୍ଲୀ, ୩ଠା୮: ୨୦୦୨ ଗୁଜରାଟ ଦଙ୍ଗା ଓ ବାବ୍ରି ମସ୍ଜିଦ ଭଙ୍ଗ ସମ୍ବନ୍ଧୀୟ ସବୁ ମାମଲାକୁ ବନ୍ଦ କରିଦେଇଛନ୍ତି ସୁପ୍ରିମ୍କୋର୍ଟ । ସର୍ବୋଚ୍ଚ ଅଦାଲତରେ ଗୁଜରାଟ ଦଙ୍ଗାର ଉପଯୁକ୍ତ ତଦନ୍ତ ଦାବିରେ ୧୧ଟି ପିଟିସନ୍ ଦାଖଲ କରାଯାଇଥିଲା । ସେହିପରି ୧୯୯୨ ଡିସେମ୍ବର ୬ ତାରିଖ ଦିନ ଅଯୋଧ୍ୟାସ୍ଥିତ ବାବ୍ରି ମସ୍ଜିଦ ଭଙ୍ଗ ସମ୍ବନ୍ଧୀୟ ଏକାଧିକ ମାମଲା ଏବଂ ତତ୍ସମ୍ପୃକ୍ତ ଏକ ଅବମାନନା ପିଟିସନ୍ ଶୀର୍ଷ ଅଦାଲତରେ ବିଚାରାଧୀନ ଥିଲା । ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଲିତ, ଜଷ୍ଟିସ୍ ରବୀନ୍ଦ୍ର ଭଟ ଓ ଜଷ୍ଟିସ୍ ଜେବି ପାରଦୀୱାଲାଙ୍କ ନ୍ୟାୟପୀଠ ମଙ୍ଗଳବାର କହିଛନ୍ତି, ସମୟ ଅତିକ୍ରାନ୍ତ ହେବା ସହିତ ମାମଲାଗୁଡ଼ିକ ଏବେ ନିଷ୍ଫଳ ହୋଇଯାଇଛି । ତେବେ ଆକ୍ଟିଭିଷ୍ଟ୍ ତୀସ୍ତା ଶୀତଳୱାଡ଼ଙ୍କୁ ଅପିଲ କରିବା ପାଇଁ ନ୍ୟାୟପୀଠ ଅନୁମତି ଦେଇ କହିଛନ୍ତି, ଶୀତଳୱାଡ଼ଙ୍କ ତରଫରୁ ଯେବେ ବି ଆବେଦନ ଆସିବ, ତା’ଉପରେ ଆଇନ ଅନୁଯାୟୀ ବିଚାର କରାଯିବ ।
ବାବ୍ରି ଅବମାନନା ମାମଲାର ଆବେଦନକାରୀ ଅସଲମ ଭୂରେଙ୍କ ପରଲୋକ ଘଟିଛି । ୨୦୧୯ର ସୁପ୍ରିମ୍କୋର୍ଟ ଫଇସଲା ପରିପ୍ରେକ୍ଷୀରେ ଏବେ ମାମଲାକୁ ଜାରି ରଖିବା ଆଉ ଜରୁରୀ ନୁହେଁ ବୋଲି ୩ ଜଣିଆ ନ୍ୟାୟପୀଠ କହିଛନ୍ତି ।
ବାବ୍ରି ମସ୍ଜିଦ ଭଙ୍ଗ ପରବର୍ତ୍ତୀ ଦଙ୍ଗାରେ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଅଧିକାଂଶ ଅଭିଯୁକ୍ତ ପରବର୍ତ୍ତୀ ସମୟରେ ଦୋଷମୁକ୍ତ ହୋଇଥିଲେ । ୧୯୯୧ରେ ଅସଲମ୍ ଏକ ପିଟିସନ୍ ସୁପ୍ରିମ୍କୋର୍ଟରେ ଦାଖଲ କରିବା ପରେ ବାବ୍ରି ମସ୍ଜିଦ ଧ୍ୱସ୍ତ ହୋଇଥିଲା । ୧୯୯୨ରେ ଅସଲମ୍ ଦାଖଲ କରିଥିଲେ ଅବମାନନା ପିଟିସନ୍ । ୨୦୧୦ରେ ତାଙ୍କର ମୃତୁ୍ୟ ହୋଇଥିଲା । ସୁପ୍ରିମ୍କୋର୍ଟ ଏବେ ଉକ୍ତ ମାମଲା ସହିତ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ବିରୋଧରେ ଥିବା ଅଦାଲତ ଅବମାନନାକୁ ମଧ୍ୟ ବନ୍ଦ କରିଦେଇଛନ୍ତି ।
ପୂର୍ବରୁ ଦଙ୍ଗା ସମ୍ବନ୍ଧୀୟ ୯ ମାମଲାର ତଦନ୍ତ ପାଇଁ ସୁପ୍ରିମ୍କୋର୍ଟ ଏସ୍ଆଇଟି ଗଠନ କରିଥିଲେ । ସେଥିରୁ ୮ଟିର ଶୁଣାଣି ନିମ୍ନ ଅଦାଲତରେ ସରିଛି । ଏଥିରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି)ଙ୍କ ପିଟିସନ୍ ଅନ୍ତର୍ଭୁକ୍ତ ଗୁଜରାଟର ନରୋଦା ଗ୍ରାମର ଗୋଟିଏ ମାମଲା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
୨୦୦୨ ଫେବ୍ରୁଆରୀ ୨୭ ତାରିଖ ଦିନ ଗୋଧରାଠାରେ ଗୋଟିଏ ଟ୍ରେନ୍କୁ ପୋଡ଼ି ଦିଆଯାଇଥିଲା । ଟ୍ରେନ୍ ବଗିରେ ଥିବା ୫୮ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଅଯୋଧ୍ୟାରୁ ଫେରୁଥିବା କରସେବକ । ଏହି କାରଣରୁ ଗୁଜରାଟରେ ଘୋର ଦଙ୍ଗା ଉପୁଜି ଥିଲା । ଗୋଧରା କାଣ୍ଡକୁ ନେଇ କେନ୍ଦ୍ର ସରକାର ଗୋଟିଏ କମିଶନ ଗଠନ କରିଥିଲେ । ଟ୍ରେନ୍ପୋଡ଼ିକୁ ଏକ ଦୁର୍ଘଟଣା ବୋଲି ରିପୋର୍ଟ ଦେବାରୁ କମିଶନଙ୍କୁ ଅସାମ୍ବିଧାନିକ ଘୋଷଣା କରାଯାଇଥିଲା । ଗୋଧରା କାଣ୍ଡର ପରଦିନ ୭୧ ଜଣ ଦଙ୍ଗାକାରୀ ଗିରଫ ହେଲେ । ସେମାନଙ୍କ ବିରୋଧରେ ଆତଙ୍କବାଦ ନିରୋଧକ ଅଧ୍ୟାଦେଶ (ପୋଟା) ଲାଗୁ କରାଗଲା । ୨୦୦୨ ମାର୍ଚ୍ଚ ୨୫ ତାରିଖ ଦିନ ସବୁ ଅଭିଯୁକ୍ତଙ୍କ ଉପରୁ ପୋଟା ହଟାଇ ଦିଆଗଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *