କାର୍ଯ୍ୟ ନ ହେଉଣୁ ଉଠିଲା ବିଲ୍!
ଆଇଟିଡିଏ କଂକ୍ରିଟ୍ କାମରେ ଦୁର୍ନୀତି!
ବାରିପଦା (ଆପ୍ର): ବିବାଦ ଘେରରେ ଥିବା ବାରିପଦା ଆଇଟିଡିଏ ସବୁବେଳେ କିଛିନା କିଛି ଦୁର୍ନୀତିର ଘଟଣାକୁ ନେଇ ଚର୍ଚ୍ଚାରେ ରହିଆସୁଛି । ଅତୀତରେ କଣ୍ଟ୍ରାକ୍ଟରଙ୍କ ଟଙ୍କା ହଡ଼ପକୁ ନେଇ ଥାନାରେ ମାମଲା, ଜିଏସ୍ଟି ଠକେଇ, ଚାରା ଦୁର୍ନୀତି ଭଳି ମାମଲାରେ ଛନ୍ଦି ହୋଇଥିବା ବେଳେ ଏବେ ବିଧାୟକ ହାତପାଣ୍ଠିରେ ନିର୍ମିତ କଂକ୍ରିଟ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ ଆସିଛି ।
ସୂଚନା ମୁତାବକ, ୨୦୨୦-୨୧ ଆର୍ଥିକ ବର୍ଷରେ ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଖାଣ୍ଡିଆ ପଞ୍ଚାୟତର ଜାନୁଡ଼ାହି ଗ୍ରାମରେ କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ ବାଙ୍ଗିରିପୋଷି ବିଧାୟକ ତଥା ତକ୍ରାଳୀନ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ହାତପାଣ୍ଠିରୁ ୫ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ । ବାରିପଦା ଆଇଟିଡିଏ ଦ୍ୱାରା କାର୍ଯ୍ୟ ସମ୍ପାଦିତ ହେବାର ଥିଲା । ସେହି କାମ ଚାଲିଥିବା ବିଭାଗୀୟ ଯନ୍ତ୍ରୀଙ୍କ ସୂତ୍ରରୁ ଜଣାଯାଇଛି । ତେବେ ଏହି କାମରେ ମେଟାଲ ଢଳେଇ ପଡୁଥିବା ବେଳେ, କାର୍ଯ୍ୟ ନିକଟରେ ଫଳକ ନାହିଁ । ଢଳେଇ କାମ ଚାଲିଥିବା ବେଳେ, ବିଭାଗୀୟ ଅଧିକାରୀ ବା ଯନ୍ତ୍ରୀ ବା ସୁପରଭାଇଜର ମଧ୍ୟ ଉପସ୍ଥିତ ନାହାନ୍ତି । ଯେତିକି ବାଲି ପଡ଼ିବା କଥା ଓ ମେଟାଲ ପଡ଼ିବା କଥା ତାହା ହେଉ ନାହିଁ । ମନମୁଖି କାମ କରୁଥିବା ଏବଂ ତରବରିଆ କାମ ଚାଲିଥିବା ଜଣାଯାଇଛି । ତେବେ ଏହି କାମ ଆଦୌ ହୋଇ ନ ଥିବା ବେଳେ, କିଛିଦିନ ପୂର୍ବରୁ କାମ ବାବଦରେ ବିଲ୍ ପାସ୍ ହୋଇଯାଇଥିବା ଗୁରୁତର ଅଭିଯୋଗ ଆସିଛି ।
ଅଭିଯୋଗ ଅନୁଯାୟୀ, ୧୫ରୁ୨୦ ଦିନ ତଳେ ଇଙ୍କଡ଼ାପାଳ ଗ୍ରାମରେ ୩/୪ କିଲୋମିଟର ରାସ୍ତା ନିର୍ମାଣ ହୋଇଥିଲା । ଏହି ରାସ୍ତା କାମର ଫଳକ ଉପରେ ରଙ୍ଗ ମାରି ଜାନୁଡ଼ାହି ଗ୍ରାମର କାମ ବୋଲି ଲେଖାଯାଇ ଫଟୋ ଉଠା ଯାଇଥିଲା । ଫଟୋ ଉଠାଇବା ପରେ ଫଳକକୁ ଲିଭାଇ ଦିଆଯାଇଥିଲା । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ସନେ୍ଦହ ହୋଇଥିଲା । ବିନା କାର୍ଯ୍ୟରେ ବିଲ୍ ହଡ଼ପ ହୋଇଥିବା ଅଭିଯୋଗ ପାଇବା ପରେ କ୍ଷେତ୍ର ପରିଦର୍ଶନ କରିଥିଲେ ବିଭାଗୀୟ ଆଇଟିଡିଏ କନିଷ୍ଠ ଯନ୍ତ୍ରୀ । ଏବାବଦରେ ତାଙ୍କୁ ପଚାରିବାରେ, ୨୦୨୦-୨୧ ମସିହାର ବିଧାୟକ ହାତ ପାଣ୍ଠିର କାମ ବୋଲି କହିଥିଲେ । ଶ୍ୟାମାଖୁଣ୍ଟା ବ୍ଲକ୍ ଦାୟିତ୍ୱରେ ଥିବା ବାରିପଦା ଆଇଟିଡିଏର କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ, ତାଙ୍କୁ ବ୍ଲକ୍ର ଦାୟିତ୍ୱ ଦିଆଯାଇଛି । ଏ ବିଷୟରେ ସେ କିଛି ଜାଣି ନ ଥିବା କହିଥିଲେ । ରେକର୍ଡ ମୁତାବକ ଖାଣ୍ଡିଆ ପଞ୍ଚାୟତ ଅଧୀନରେ ଆଇଟିଡିଏର କୌଣସି କାର୍ଯ୍ୟ ଚାଲୁ ନ ଥିବା ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ କହିଥିଲେ । ତେବେ ଜାନୁଡ଼ାହି ଗ୍ରାମରେ ବିନା ଫଳକରେ ଚାଲିଥିବା ଏହି କଂକ୍ରିଟ୍ କାମ ବିଷୟରେ ଆସିଥିବା ଅଭିଯୋଗ ଉପରେ ବିଧିବଦ୍ଧ ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।